ତାଳଚେର ଓ ଫୁଲବାଣୀ ମେଡ଼ିକାଲ କଲେଜକୁ ଶୀଘ୍ର କାର୍ୟ୍ୟକ୍ଷମ କରିବା ଉପରେ ସରକାରଙ୍କ ପ୍ରାଥମିକତା

ଭୁବନେଶ୍ୱର, ୧୩/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଏବଂ ଫୁଲବାଣୀ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଖୁବ୍ ଶୀଘ୍ର କାର୍ୟ୍ୟକ୍ଷମ କରିବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏହି ଦୁଇ ମେଡ଼ିକାଲ କାର୍ୟ୍ୟକ୍ଷମ ହେଲେ ରାଜ୍ୟର ଚିକିତ୍ସାସେବାରେ ଆଶାତୀତ ଉନ୍ନତି ହେବା ସହ ରାଜ୍ୟବାସୀ ବିଶେଷ ଭାବେ ଉପକୃତ ହେବେ ।


ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ବତୀ ଏସ୍ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ଏହି ଦୁଇ ଅନୁଷ୍ଠାନର ବିବିଧ ଆବଶ୍ୟକତାକୁ ତୁରନ୍ତ ପୂର୍ଣ୍ଣ କରିବା ନେଇ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର କୋଠାବାଡ଼ିରୁ ଆରମ୍ଭ କରି ଯନ୍ତ୍ରପାତି ଯାଏଁ ସବୁ ଆବଶ୍ୟକୀୟ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ । ସରକାରଙ୍କ ଲକ୍ଷ୍ୟ ହେଉଛି ଯଥାଶୀଘ୍ର ଏହି ଦୁଇ ଅନୁଷ୍ଠାନକୁ ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବା ।

ଅନୁଗୋଳ ଓ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ ଓ ଅନୁଷ୍ଠାନ ସହ ସଂପୃକ୍ତ ବରିଷ୍ଠ ବିଭାଗୀୟ ଅଧିକାରୀମାନଙ୍କୁ ସାପ୍ତାହିକ ବୈଠକ ଆହ୍ବାନ କରି ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।


ଏହି ଦୁଇଟି ମେଡ଼ିକାଲ କଲେଜକୁ ଯଥାଶୀଘ୍ର କାର୍ୟ୍ୟକ୍ଷମ କରି ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ଉନ୍ନତି ଆଣିବା ଏବଂ ଜନସାଧାରଣଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସରକାର ସଂକଳ୍ପବଦ୍ଧ।

ଓଏସଏମସିଏଲର ପରିଚାଳନା ନିର୍ଦ୍ଦେଶକ ଡା. ପୋମା ଟୁଡ଼ୁ, ଅନୁଗୋଳ ଜିଲ୍ଲାପାଳ ଅବଦଲ ଏମ୍. ଅଖତର, କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର, ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ଡା. ସନ୍ତୋଷ ମିଶ୍ର, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଡ. ଉଷାରାଣୀ ସାହୁ, ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡା. କୀର୍ତ୍ତିରେଖା ମହାପାତ୍ର, ଫୁଲବାଣୀ ସରକାରୀ ମେଡ଼ିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡା. ଦେବ ପ୍ରସାଦ ମହାନ୍ତି, ଉଭୟ ଜିଲ୍ଲାର ସିଡିଏମ୍ଓ ଏବଂ ଅଧୀକ୍ଷଣ ଯନ୍ତ୍ରୀ ଏହି ବୈଠକରେ ଆଭାସି ମାଧ୍ୟମରେ ଯୋଗଦେଇଥିଲେ ।
-୦-
ସୌରଭ ପ୍ରଧାନ ଲୋକ ସମ୍ପର୍କ ଅଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଙ୍କ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *