ଭୁବନେଶ୍ୱର,୧୩/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ସାରଳା ଦାସ ସ୍ମୃତି ସଂସଦ, ଭୁବନେଶ୍ୱର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସାରଳାଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରାରମ୍ଭରେ ଅନ୍ୱୟ ଅନୁପ୍ରାଶ ବିଶ୍ୱାଳ ଓ ମହାଶ୍ୱେତା ପଟ୍ଟନାୟକଙ୍କ ଭକ୍ତି ସଂଗୀତ ସହିତ ବିସ୍ମିତା ପଣ୍ଡା ଓ ସୃଷ୍ଟି ଶର୍ମିଷ୍ଠା ମହାନ୍ତି ଓଙ୍ଗÿିଶୀ ନୃତ୍ୟ ପରିବେଷଣ କରିଥିଲେ । ମୁଖ୍ୟବକ୍ତା ଦିଲ୍ଲୀ ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ ସ୍ଥିତ ସାରଳାଦାସ ଚେୟାର୍ ର ମୁଖ୍ୟ ଚେୟାର ପ୍ରଫେସର ଉଦୟନାଥ ସାହୁ କହିଲେ ଯେ ସାରଳାଦାସ ମହାଭାରତରେ ଚରିତ୍ରମାନଙ୍କୁ ଓଡ଼ିଶା ପ୍ରଦେଶ ମଧ୍ୟରେ ପ୍ରବେଶ କରାଇ ଓଡ଼ିଆ ଜନଜୀବନକୁ ଏଭଳି ପ୍ରଭାବିତ କରିଛନ୍ତି ଯାହା ସାମ୍ପ୍ରତିକ ପରିସ୍ଥିତିରେ ମଧ୍ୟ ତାର ପ୍ରାସଙ୍ଗିକତା ଅନୁଭୂତ ହୁଏ । ସମ୍ମାନିତ ବକ୍ତା ପ୍ରଫେସର ଶରତ ଚନ୍ଦ୍ର ରଥ କହିଲେ ଯେ ସାରଳା ଦାସଙ୍କ ଭାଷା ବିଭବ ଯୋଗୁଁ ଓଡ଼ିଆ ଭାଷା ଆଜି ବିଶ୍ୱ ଦରବାରରେ ନିଜର ସ୍ଥିତି ରଖିପାରିଛି ।
ସଭାରେ ଓଡ଼ିଶା ବିଧାନସଭା ପରିସରରେ ଓଡ଼ିଆ ଭାଷା ଓ ସାହିତ୍ୟର ଜନକ ଆଦିକବି ସାରଳାଦାସଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତି ନିର୍ମାଣ କରାଯିବା, ‘ସାରଳା ଦାସ ବିଶ୍ୱବିଦ୍ୟାଳୟ’ ନାମରେ ଏକ ବିଶ୍ୱବିଦ୍ୟାଳୟ ନାମିତ କରାଯିବା ଓ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଚାଲୁଥିବା ଗୋଟିଏ ରେଳଗାଡ଼ିର ନାମ ‘ସାରଳା ଦାସ ଏକ୍ସପ୍ରେସ୍’ ରଖାଯାଉ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା । ମୁଖ୍ୟଅତିଥି ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳର ସଭାପତି ସୀତାବଲ୍ଲଭ ମହାପାତ୍ର କହିଲେ ଯେ ସାରଳା ଦାସ ହେଉଛନ୍ତି ଏ ମାଟିର ଗର୍ବ ଓ ଗୌରବ । ତାଙ୍କ ଯୋଗୁଁ ଓଡିଆ ଭାଷା ଆଜି ଶାସ୍ତ୍ରୀୟ ମାନ୍ୟତା ପାଇପାରିଛି ।
ସଂସଦର ମୁଖପତ୍ର ‘ସାରଳା ସର୍ଜନା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହେଇଥିଲା । ସାରଳା ମହାଭାରତକୁ ହିନ୍ଦୀରେ ଅନୁବାଦ କରି ସମଗ୍ର ବିଶ୍ୱରେ ପରିଚିତି ଦେଇଥିବା ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ନୀଳାଦ୍ରି ଭୂଷଣ ହରିଚନ୍ଦନଙ୍କୁ ‘୩ୟ ସାରଳାଦାସ ସ୍ମୃତି ସମ୍ମାନ’ ଓ ଓଡିଆ ସଂସ୍କୃତିକୁ ସଂଗୀତ ମାଧ୍ୟମରେ ପ୍ରଚାର ପ୍ରସାର କରୁଥିବା ଗୀତିକାର ଅରୁଣ ମନ୍ତ୍ରୀଙ୍କୁ ୨ୟ ସାରଳା ଦାସ ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ବାସନ୍ତୀ ମହାନ୍ତି ଓ କବି ବିମଳା ସିଂହ ମାନପତ୍ର ପାଠ କରିଥିଲେ । ମାଟିର କବି ସାରଳା ଦାସ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ସ୍ନେହା ପରିଜା, ଅକ୍ଷର କୁମାର ସ୍ୱାଇଁ, ସୃଷ୍ଟି ଶର୍ମିଷ୍ଠା ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା । ସୁକାନ୍ତ କୁମାର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଦୀପ୍ତ କୁମାର ବିଶ୍ୱାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଉପସଭାପତି ବିକାଶ ଚନ୍ଦ୍ର ପରିଜା ଧନ୍ୟବାଦ୍ ଦେଇଥିଲେ । ମଂଚ ପରିଚାଳନା କରିଥିଲେ ତ୍ରିନାଥ ବାରିକ ଓ ଉଷାରାଣୀ ବାରିକ ।