ପାଟନାଠାରେ ଆୟୋଜିତ ୮୫ତମ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ସାମ୍ବିଧାନିକ ମୂଲ୍ୟବୋଧ, ଆଦର୍ଶ ଓ ଗରିମା ବଜାୟ ରଖିବା ଦିଗରେ ଆମେ ସମସ୍ତେ ଏକ ମନ ଓ ପ୍ରାଣ ହୋଇ ଆଗେଇ ଆସିବା ଉଚିତ : ବାଚସ୍ପତି ଶ୍ରୀମତୀ ପାଢ଼ୀ

ଭୁବନେଶ୍ୱର,୨୧/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଆମର ଏକ ସମୃଦ୍ଧ ଐତିହାସିକ ଗଣତାନ୍ତ୍ରିକ ପରମ୍ପରା ଓ ମୂଲ୍ୟବୋଧ ରହିଛି । ବିଗତ ୭୫ ବର୍ଷ ମଧ୍ୟରେ ନିରପେକ୍ଷ ଓ ସ୍ୱାଧୀନ ମତଦାନ ସହ ନିର୍ବାଚନ ଅନୁଷ୍ଠିତ ହୋଇଛି । କେନ୍ଦ୍ର ଓ ରାଜ୍ୟସ୍ତରରେ ଆମେ ସ୍ୱାଧୀନ ଭାବେ ମତବ୍ୟକ୍ତ କରିବାର ଅଧିକାରକୁ ପ୍ରାଧାନ୍ୟ ଦେଇଆସୁଅଛୁ । ଭାରତର ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକ ଏକତା, ଜନସାଧାରଣଙ୍କ ସହଯୋଗ ଓ ସହଭାଗିତା ସହ କାର୍ଯ୍ୟ କାରିଆସୁଛନ୍ତି । ସମାନତା, ସ୍ୱାଧୀନତା, ନ୍ୟାୟ, ସହାବସ୍ଥାନ, ଭ୍ରାତୃତ୍ୱଭାବ ଆମ ସମ୍ବିଧାନର ମୂଳ ଲକ୍ଷ୍ୟ ଓ ଆଭିମୁଖ୍ୟ ହୋଇଥିବାବେଳେ ଦୀର୍ଘ ୭୫ ବର୍ଷ ମଧ୍ୟରେ ଆମେ ଏହା ବଜାୟ ରଖିବାରେ ସହାୟକ ହୋଇପାରିଛୁ ବୋଲି ପାଟନାଠାରେ ଅନୁଷ୍ଠିତ ୮୫ତମ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରକାଶ କରିଛନ୍ତି ।

ସମ୍ବିଧାନର ୭୫ତମ ପୂର୍ତ୍ତି ଉପଲକ୍ଷେ ସମ୍ବିଧାନର ମୂଲ୍ୟବୋଧକୁ ସଶକ୍ତ କରିବା ଦିଗରେ ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକର ଅବଦାନ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ନିଜ ବକ୍ତବ୍ୟ ଉପସ୍ଥାପନ କରି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଲେ ଯେ ଆମର ସମ୍ବିଧାନ ସରକାର ଓ ଜନସାଧାରଣଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ସୁନ୍ଦର ସମନ୍ୱୟର ଅବତାରଣା ପାଇଁ ସୁବିଦିତ । ଆମ ରାଜ୍ୟ ଭିଜନ୍‌ ୨୦୩୬ ଲକ୍ଷ୍ୟକୁ ସାକାର କରି ବିକଶିତ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟକରିବା ସହ ୨୦୪୭ ମସିହା ସୁଦ୍ଧା ଅମୃତକାଳ ମଧ୍ୟରେ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ଭାଗୀଦାରି ହେବାର ସମସ୍ତ ପ୍ରୟାସ କରୁଅଛି । ଏବେ ରାଜ୍ୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି । ପ୍ରବାସୀ ଭାରତୀୟଙ୍କ ସହଯୋଗରେ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହା ଆଉ ପାଦେ ଆଗେଇ ନେଇ ପାରିବ । ସାମ୍ବିଧାନିକ ମୂଲ୍ୟବୋଧ, ଆଦର୍ଶ ଓ ଗରିମା ବଜାୟ ରଖିବା ଦିଗରେ ଆମେ ସମସ୍ତେ ଏକ ମନ ଓ ପ୍ରାଣ ହୋଇ ଆଗେଇ ଆସିବା ଉଚିତ । ଏ କ୍ଷେତ୍ରରେ ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ । ଏହି ଆଲୋଚନାରେ ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ ମଧ୍ୟ ଅଂଶଗ୍ରହଣ କରି ନିଜସ୍ୱ ମତ ଉପସ୍ଥାପନ କରିଥିଲେ ।

ରାଜ୍ୟ ସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ନାରାୟଣ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସର୍ବଭାରତୀୟ ସମ୍ମିଳନୀରେ ଲୋକସଭାର ବାଚସ୍ପତି ଶ୍ରୀ ଓମ୍‌ ବିର୍ଲା ଯୋଗଦେଇ ସଂସଦୀୟ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ । ବାଚସ୍ପତି ଶ୍ରୀମତୀ ପାଢ଼ୀ ତାଙ୍କର ଦୁଇଦିନିଆ ପାଟନା ଗସ୍ତ ଅବସରରେ ବିହାର ରାଜ୍ୟପାଳ ଶ୍ରୀ ଅରିଫ ମହମ୍ମଦ ଖାନଙ୍କୁ ରାଜ୍ୟ ରାଜଭବନଠାରେ ଭେଟି ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଗବେଷଣା ଅଧିକାରୀ ଜୟକୃଷ୍ଣ ପ୍ରଧାନ ଓ ପ୍ରଶାନ୍ତ କୁମାର ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

-0-

ବିଭୂତି ନାୟକ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *