ଜଗତସିଂହପୁର,୨୧/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ କଣ୍ଟାବଲ୍ଲଭପୁର ସେବା ସମବାୟ ସମିତି ପ୍ରାଙ୍ଗଣ ରେ ୨୦୨୪-୨୫ ଖରିଫ ବର୍ଷ ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନିୟନ୍ତ୍ରିତ ବଜାର କମିଟି ଜଗତସିଂହପୁର ପକ୍ଷରୁ ଧାନ ସଂଗ୍ରହ କେନ୍ଦ୍ର (ମଣ୍ଡି) ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି। ପ୍ରକାଶ ଥାଉ କି,ଜିଲ୍ଲାରେ ୧୦୬ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୯ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ମାଧ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ। ଏହି ଉଦ୍ଘାଟନୀ ଉତ୍ସବ ରେ ଯୋଗଦେଇ ବିଧାୟକ ଶ୍ରୀ ଦାସ କହିଲେ ଯେ ,ଚଳିତ ବର୍ଷ ଚାଷୀ ମାନଙ୍କ ଠାରୁ ସୁବ୍ୟବସ୍ଥିତ ,ସ୍ୱଚ୍ଛ ଓ ସହଜରେ ଧାନ କିଣା ହେବ। ଚାଷୀମାନେ ଯେପରି ସଠିକ୍ ଭାବେ ଧାନ ବିକ୍ରି କରିବେ ସେଦିଗରେ ଗୁରୁତ୍ଵ ଦିଆଯିବ । ଏହି ଅବସର ରେ ଯୋଗଦେଇଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ,ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ,ଜଗତସିଂହପୁର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ କନକ ପ୍ରଭା ଲେଙ୍କା ପ୍ରମୁଖ ମଣ୍ଡିରେ ଧାନ କ୍ରୟ କରିବା
ପାଇଁ ସରକାର ଙ୍କ ଦ୍ଵାରା କରାଯାଇଥିବା ବ୍ୟବସ୍ଥା ସମ୍ପର୍କ ରେ ସୂଚନା ଦେଇଥିଲେ। ଧାନ ବିକ୍ରୟ କରିବାରେ କୌଣସି ଅସୁବିଧା ହେଉଥିଲେ ଟୋଲ ଫ୍ରି ନମ୍ୱର ୧୯୬୭ କୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।ଯୋଗାଣ ଅଧିକାରୀ ଶ୍ରୀମତୀ ସୁଜାତା ମିଶ୍ର କହିଲେ ଚାଷୀ ଭାଇ ମାନେ ଶୁଖିଲା ଓ ସଫା ଧାନ ବିକ୍ରୟ କେନ୍ଦ୍ରକୁ ଆଣନ୍ତୁ ଏବଂ ସରକାରୀ ଧାର୍ଯ୍ୟ ଉଚିତ୍ ସହାୟକ ମୂଲ୍ୟରେ ପାଆନ୍ତୁ। ସାଧାରଣ ଧାନ କ୍ଵିଣ୍ଟାଲ ପ୍ରତି ସହାୟକ ମୂଲ୍ୟ ୩୧୦୦ ଟଙ୍କା ଓ ଗ୍ରେଡ ଏ ଧାନ କ୍ଵିଣ୍ଟାଲ ପ୍ରତି ସହାୟକ ମୂଲ୍ୟ ୩୧୨୦ ଟଙ୍କା ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଛି ଏବଂ ଚାଷୀ ମାନେ ଧାନ ସଂଗ୍ରହ କେନ୍ଦ୍ରରେ ସକାଳ ୭ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ ଧାନ ପହଞ୍ଚାଇବେ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ARCS ଶ୍ରୀ ପ୍ରଭାତ ଚନ୍ଦ୍ର ଶତପଥୀ, ବିଶିଷ୍ଟ ସମାଜ ସେବୀ ଶ୍ରୀ ବିନାୟକ ପଟ୍ଟନାୟକ, ନିୟନ୍ତ୍ରିତ ବଜାର କମିଟି ସେକ୍ରେଟାରୀ ଶ୍ରୀ ସୂର୍ଯ୍ୟକାନ୍ତ ଦାସ,ଯୋଗାଣ ବିଭାଗ କର୍ମକର୍ତ୍ତା,ଚାଷୀ, ମିଲର, ଓ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
ଜଗତସିଂହପୁର ବ୍ଲକ୍ ରେ ଧାନ ସଂଗ୍ରହ କେନ୍ଦ୍ର ଉଦଘାଟିତ
