ଷ୍ଟେଟବ୍ୟାଙ୍କ ଡିସପେନସରୀ ଖୋଲାଯାଉନଥିବାରୁ ଉଦବେଗ
କେନ୍ଦ୍ରାପଡ଼ା,୨୨/୧୨/୨୦୨୩(ଓଡ଼ିଶା ସମାଚାର)- ଭାରତୀୟ ଷ୍ଟେଟବ୍ୟାଙ୍କ ଆଂଚଳିକ କାର୍ଯ୍ୟାଳୟ ପାରାଦୀପ ପକ୍ଷରୁ କେନ୍ଦ୍ରାପଡା ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସମ୍ମିଳନୀ କକ୍ଷରେ ଷ୍ଟେଟବ୍ୟାଙ୍କ ପେନସନରର୍ସ ଅଭିଯୋଗ ସମାଧାନ ପକ୍ଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ଷ୍ଟେଟବ୍ୟାଙ୍କ ଆଂଚଳିକ କାର୍ଯ୍ୟାଳୟର ମୁଖ୍ୟ ପରିଚାଳକ ଶତୃଘ୍ନ ଦ୍ୱିବେଦୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଆଂଚଳିକ କାର୍ଯ୍ୟାଳୟର ମାନବସମ୍ବଳ ବିକାଶ ମୁଖ୍ୟ ପରିଚାଳକ ସୁକାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପେନସନରର୍ସମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଷ୍ଟେଟବ୍ୟାଙ୍କ ପେନସନରର୍ସ ଆସୋସିଏସନ, ଓଡିଶା ସର୍କଲର ଆଂଚଳିକ ସମ୍ପାଦକ ଗଣେଶ୍ୱର ମେକାପ ବୈଠକ ପରିଚାଳନା କରିବା ସହ ଦୀର୍ଘଦିନରୁ କେନ୍ଦ୍ରାପଡାରେ ଷ୍ଟେଟବ୍ୟାଙ୍କ ଡିସପେନସାରୀ ଖୋଲାଯିବା ନିମନ୍ତେ କର୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ ଡିସପେନସାରୀ ଖୋଲାଯାଉନଥିବାରୁ ଗଭୀର ଉଦବେଗ ପ୍ରକାଶ କରି ସାରା ଓଡିଶାରେ ଷ୍ଟେଟବ୍ୟାଙ୍କ କର୍ମଚାରୀ ଓ ପେନସନ ଭୋଗୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟସେବା ଉପଲବ୍ଧ ଥିବା ସ୍ଥଳେ କେନ୍ଦ୍ରାପଡା ଜିଲାରେ ଷ୍ଟେଟବ୍ୟାଙ୍କ କର୍ମଚାରୀ ଓ ପେନସନ ଭୋଗୀମାନେ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଥିବା ପ୍ରକାଶ କରିଥିଲେ । ପେନସନରର୍ସ ସଂଘର କେନ୍ଦ୍ରାପଡା ଜିଲା ସମ୍ପାଦକ ଉଦୟନାଥ ସାହୁ, ଅତୁଲ ଚନ୍ଦ୍ର ଗିରି, ହରିପଦ ପଣ୍ଡା, ଦୁର୍ଯେ୍ୟାଧନ ସେଠୀ, ଶରତ କୁମାର ମୁଦୁଲି, ଗୋଲକ ବିହାରୀ ବେହେରା, ଅଜୟ କୁମାର ନାୟକ, ଭୀମସେନ ଦାସ, ନଗେନ ମହାକୁଡ, ରବିନ ଗୋଛାୟତ, କୁଞ୍ଜବିହାରୀ ସାମଲ, ଏସାନ ମହମ୍ମଦ ପ୍ରମୁଖ ବିଭିନ୍ନ ସମସ୍ୟା ଉପସ୍ଥାପନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଆଂଚଳିକ ସମ୍ପାଦକ ଶ୍ରୀ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ ।