ଜଗନ୍ନାଥ ପାଲା କଳାକାର ମହାସଂଘର ବାର୍ଷିକ ଉତ୍ସବ

ଫୁଲନଖରା,୧୪/୦୨/୨୦୨୫(ଓଡ଼ିଶା ସମାଚାର)- ଶ୍ରୀଜଗନ୍ନାଥ ପାଲା କଳାକାର ମହାସଂଘ ଓ ମା’ ଉତ୍କଳ ଭାରତୀ ପାଲା ଗାୟିକା ଓ କଳାକାର ପରିଷଦ ମିଳିତ ସହଯୋଗରେ ତିନିଦିନ ବ୍ୟାପୀ ରଘୁନାଥପୁର ମୌଜାରେ ଅନୁଷ୍ଠିତ ହୋଇଥିଲା । ପବିତ୍ରକୁମାର ପାତ୍ରଙ୍କ ସହଯୋଗ ଓ ଗ୍ରାମବାସୀଙ୍କ ପୃଷ୍ଠପୋଷକତା ତଥା ମହାସଂଘ ଉପଦେଷ୍ଟା ଅଞ୍ଜନ କୁମାର ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମାରୋହରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଗାୟକ, ବାୟକ ଓ ସଂଗୀତ ଶିଳ୍ପୀମାନେ ଯୋଗଦେଇଥିଲେ ।

ସଂଧ୍ୟାର ସାହିତ୍ୟ ସଭାରେ ମହାସଂଘ ସଭାପତି ନିରଞ୍ଜନ ସ୍ୱାଇଁ ଓ ଉତ୍କଳ ଭାରତୀ ପାଲା ପରିଷଦ ସଭାନେତ୍ରୀ ବସନ୍ତମଂଜରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରାକ୍ତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଧାୟକ ସୁଶାନ୍ତକୁମାର ରାଉତ, ପ୍ରାକ୍ତନ ଜିଲାପରିଷଦ ସଭ୍ୟ କୁନାଲ ରାଉତ, ଗାୟକ ନାରାୟଣ ମହାରଣା, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ବନମାଳି ପତି, ସୁବାସଚନ୍ଦ୍ର ପାତ୍ର, ସୁଧାଂଶୁ ଗିରି, ବସନ୍ତ ମହାରଣା, ଶିବଶଙ୍କର ମହାରଣା, ଉପେନ୍ଦ୍ରନାଥ ମିଶ୍ର, ଉତ୍କଳ ଭାରତୀର ସ୍ୱର୍ଣ୍ଣପ୍ରଭା ଲେଙ୍କା, ଅସୀମା ବରାଳ, କନକଲତା ସାମଲ ପ୍ରମୁଖ ଅତିଥିରୂପେ ଯୋଗଦେଇ ଓଡ଼ିଶାର ପ୍ରାଚୀନ ସଂସ୍କୃତି ପାଲା ଜନମାନସରେ ଧର୍ମୀୟ ଚେତନା ଓ ଆମ ସଂସ୍କୃତିକୁ ବଜାୟ ରଖିଛି ବୋଲି ମତବ୍ୟକ୍ତ କରିଥିଲେ ।

ମହାସଂଘ ଉପସଭାପତି ଭାବରେ ପ୍ରତ୍ୟେକ ଜିଲାରୁ ଜଣେ ଲେଖାଏଁ ମନୋନୀତ କରିବାକୁ ସଭାରେ ନିଷ୍ପତିି ହୋଇଥିଲା । ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଗାୟକ ସମ୍ରାଟ ଗୁରୁ ଲକ୍ଷ୍ମୀଧର ରାଉତଙ୍କୁ ଉଭୟ ଅନୁଷ୍ଠାନ ତରଫରୁ ଗୁରୁ ପୂଜନ କରାଯାଇଥିଲା । ଏତଦ୍ବ୍ୟତୀତ ପ୍ରତିଦିନ ସଂଧ୍ୟାରେ ଗାୟକ ଲକ୍ଷ୍ମୀଧର ରାଉତ, କାହ୍ନୁଚରଣ ବେହେରା, ନିରଞ୍ଜନ ସ୍ୱାଇଁ, ଦୁଷ୍ମନ୍ତକୁମାର ବେହେରା, ଗାୟିକା ଲକ୍ଷ୍ମୀପ୍ରିୟା ଦାଶ, ସ୍ନେହଲତା ବେହେରା, ମୀନାରାଣୀ ପୃଷ୍ଟି ଓ କନକଲତା ସାମଲ ପାଲା ପରିବେଷଣ କରିଥିଲେ । ରଘୁନାଥପୁର ମୌଜାବାସୀଙ୍କଦ୍ୱାରା ୧୦ ଜଣ ବରିଷ୍ଠ ଗାୟକ ଓ ଗାୟିକାଙ୍କୁ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *