ଭୁବନେଶ୍ୱର,୧୬/୦୬/୨୦୨୫ (ଓଡ଼ିଶା ସମାଚାର)- ୫ଜଣ ବାଇକ୍ ଚୋରଙ୍କୁ କାବୁ କରିଛି ତମାଣ୍ଡୋ ଥାନା ପୁଲିସ । ଗୋଟିଏ ବାଇକ୍ ଚୋରି ମାମଲାର ତଦନ୍ତ କରୁଥିବା ପୁଲିସ ଏହି ଗ୍ୟାଙ୍ଗର ପର୍ଦ୍ଧାଫାସ କରିଛି । ଗାଡ଼ି ଚୋରିକରି ରାଜଧାନୀରେ ଆତଙ୍କ ରଚିଥିବା ଗ୍ୟାଙ୍ଗର ୫ ଜଣଙ୍କୁ ଧରିବା ସହ ବହୁ ତଥ୍ୟ ସେମାନଙ୍କଠାରୁ ହାସଲ କରିଛି ।
ଗିରଫ ଅଭିଯୁକ୍ତ ହେଉଛନ୍ତି ଏମସ ନଗରର ମନୀଷ ପଟ୍ଟନାୟକ (୨୧), ରାଜ ସୁନାଖଳାର ବାବୁରାଓ ଆଚାର୍ଯ୍ୟ (୨୪), ପାତ୍ର ପଡ଼ା କ୍ରିଷ୍ଣା ବିହାରର ସନ୍ତୋଷ କୁମାର ବେହେରା (୨୨), କଲ୍ୟାଣୀ ନଗରର ସଚିନ ଗୈାଡ଼ (୨୩) ଓ ବାଲିଆପଡ଼ାର ବିଜନ କୁମାର ସ୍ୱାଇଁ (୩୧) । ପୁଲିସ ସୂଚନା ଅନୁସାରେ, ଗଣ୍ଡମୁଣ୍ଡା ତାରିଣୀ ବସ୍ତିରେ ରହୁଥିବା ସନ୍ତୋଷ କୁମାର ସାହୁ ଗତ ଗୁରୁବାର କଳିଙ୍ଗନଗର ହାଟ ନିକଟରେ ଗାଡ଼ି ପାର୍କିଂ କରି କିଣାକିଣି କରୁଥିଲେ । ସେହି ସମୟରେ ମନୀଷ ଓ ବାବୁରାଓ ତାଙ୍କ ଗାଡ଼ିକୁ ଚୋରିକରି ନେଇଥିଲେ । ଶୁକ୍ରବାର ସେ ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ମନୀଷ ଓ ପରେ ବାବୁରାଓକୁ ଉଠାଇ ଆଣିବା ସହିତ ସନ୍ତୋଷଙ୍କ ବାଇକ୍ ଜବତ କରିଥିଲା ।
ତଦନ୍ତ ବେଳେ ସାଂଘାତିକ କଥା ପଦାକୁ ଆସିଥିଲା । କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା କରିଥିବା ମନୀଷ ଚୋରିରେ ଏକପ୍ରକାର ପିଜି କରିଥିଲା ବୋଲି କୁହାଯାଇପାରେ । ଆଖି ପିଛୁଳାକେ ହ୍ୟାଣ୍ଡେଲ୍ ଲକ୍ ଭାଙ୍ଗି ବୁଲେଟ ଚୋରି କରି ନେଉଥିଲା । ବୁଲେଟ ଭଳି ଦାମୀ ବାଇକ୍ କୁ ମାତ୍ର ୧୦ ହଜାର ଟଙ୍କାରେ ବିକ୍ରି କରୁଥିଲା । ପୁଲିସ ସେମାନଙ୍କୁ ଧରି ବିଭିନ୍ନ ଇନଫୋଭ୍ୟାଲି ଓ ଚନ୍ଦକା ଥାନା ଅଂଚଳରେ ଚଢ଼ଉ କରିଥିଲା । ମନୀଷ ହେପାଜତରୁ ୪ଟି ଓ ବାବୁରାଓଙ୍କ ହେପାଜତରୁ ୪ଟି ଚୋରି ଗାଡ଼ି ଜବତ କରିଥିଲା । ତେବେ କେବଳ ଭୁବନେଶ୍ୱର ନୁହେଁ, ବରଂ ପିପିିିଲି ଥାନା ଅଂଚଳରୁ ମଧ୍ୟ ଗାଡ଼ି ଚୋରି କରିଥିବା ପୁଲିସ ଜାଣିବାକୁ ପାଇଥିଲା ।
ତଦନ୍ତ ବେଳେ ୩ ଜଣ ରିସିଭରଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା । ରିସିଭର ସନ୍ତୋଷ, ସଚିନ ଓ ବିଜନ ଙ୍କ ନିକଟରୁ ତିନୋଟି ଚୋରି ବୁଲେଟ ଜବତ କରିଥିଲା । ୫ ଅଭିଯୁକ୍ତଙ୍କ ଠାରୁ ୬ଟି ବୁଲେଟ ସମେତ ୧୧ଟି ବାଇକ୍ ଜବତ କରିଥିଲା । ମନୀଷ ଓ ବାବୁରାଓ ପୂର୍ବରୁ ଶ୍ରୀ ଲିଙ୍ଗରାଜ, ମୈତ୍ରୀ ବିହାର ଓ ପିିପିଲି ଥାନାର ୩ଟି ଚୋରି ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ସେହିପରି ବିଜନ ନାମରେ
ମଧ୍ୟ ପୂର୍ବରୁ ତମାଣ୍ଡୋ ଥାନାରେ ୫ଟି ମାମଲା ରହିଛି ।
