“ବିଶିଷ୍ଟ ବ୍ୟକ୍ତି ମାନଙ୍କ ଜୀବନୀ ପାଠକଙ୍କୁ ଅନୁପ୍ରାଣିତ କରେ “

ଜୀବନୀ ପୁସ୍ତକ ‘ଓଡ଼ିଆ ମାଟିର ବଢ଼ିଆ କଥା’ ଉନ୍ମୋଚିତ

କଟକ, ୨୭/୦୯/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)- ଜୀବନୀ ସାହିତ୍ୟ ପଢ଼ିବା ଦ୍ୱାରା ପାଠକ ନିଜକୁ ଗଢ଼ିପାରିବ । ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ ପାଠକକୁ ଅନୁପ୍ରାଣିତ କରେ । ପ୍ରତିଭା ତଥା ଦକ୍ଷତା ବିକାଶ ଓ ବ୍ୟକ୍ତିତ୍ୱ ନିର୍ମାଣ ଦିଗରେ ସହାୟକ ହୁଏ । ଶୁକ୍ରବାର ପୂର୍ବାହ୍ନରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ‘ପ୍ରିୟବନ୍ଧୁ’ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଡକ୍ଟର ରଘୁ ସାହୁଙ୍କ ରଚିତ ଜୀବନୀ ପୁସ୍ତକ ‘ଓଡ଼ିଆ ମାଟିର ବଢ଼ିଆ କଥା’ର ଉନ୍ମୋଚନ ଉତ୍ସବରେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକମାନେ ଉପରୋକ୍ତ ମତପ୍ରକାଶ କରିଛନ୍ତି ।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷିକା ଅଧ୍ୟାପିକା ଡକ୍ଟର ରୋଜାଲିନ୍ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବକୁ ବିଶିଷ୍ଟ ଶିଶୁ-ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏଥିରେ ବିଶିଷ୍ଟ କବି ପୀତାମ୍ବର ତରାଇ ମୁଖ୍ୟବକ୍ତା ଓ ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ବରେଣ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଏଥିସହିତ ବିଶିଷ୍ଟ ଅନୁବାଦକ ଓ ପ୍ରାବନ୍ଧିକ ବ୍ରହ୍ମାନନ୍ଦ ବିଶ୍ୱାଳ, ରେବା ରାୟ ଫାଉଣ୍ଡେସନର ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଓ ବ୍ରହ୍ମ ଜଗନ୍ନାଥ ମିଶନର ଅଧ୍ୟକ୍ଷ କ୍ୟାପ୍ଟେନ୍ ସଞ୍ଜୀବ କୁମାର ମୁଦୁଲି ସମ୍ମାନିତ ଅତିଥି ହୋଇଥିଲେ ।

ପୁସ୍ତକର ଲେଖକ ଡକ୍ଟର ରଘୁ ସାହୁ ନିଜର ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଅନୁଷ୍ଠାନର ସଂପାଦକ ଡକ୍ଟର ଗଙ୍ଗାଧର ସାମନ୍ତରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡକ୍ଟର ବୈଜୟନ୍ତୀମାଳା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କବିତା ପାଠୋତ୍ସବ ହେବା ସହିତ କବିମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *