ଭୁବନେଶ୍ୱର,୦୪/୦୧/୨୦୨୫ (ଓଡ଼ିଶା ସମାଚାର)- ଶ୍ରୀମଦ୍ ବାବା ବଳିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା ପଂଚଦିବସୀୟ ପରିବେଶ, ପରିବାର, ଗଣତନ୍ତ୍ର ଓ ଆଧ୍ୟାତ୍ମିକତା ଆଲୋଚନାଚକ୍ରର ତୃତୀୟ ଦିବସର ପୂର୍ବାହ୍ନ ଅଧିବେଶନରେ ଅନୁଷ୍ଠିତ ଜାତୀୟ ପରିବାର ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଭାରତବର୍ଷର ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ନ୍ୟାୟମୂର୍ତୀ ଅନଙ୍ଗ କୁମାର ପଟ୍ଟନାୟକ କହିଲେ ଯେ, ପରିବାରକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମଦ୍ ବାବା ବଳିଆ ଯେଉଁ ସମ୍ମିଳନୀଟି କରିଛନ୍ତି, ଏହା ଭାରତବର୍ଷର ଏକ ଅନନ୍ୟ କାର୍ୟ୍ୟକ୍ରମ । ସମାଜରେ ଆଜି ବାପ, ପୁଅ ମଧ୍ୟରେ ଜମି ଓ ଅର୍ଥକୁ ନେଇ ଅନର୍ଥ ସୃଷ୍ଟି ହେବା ସେଙ୍ଗ ସେଙ୍ଗ କୋର୍ଟ କଚେରୀରେ ମାମଲା ଯାଇ ପହଂଚୁଛି । ନ୍ୟାୟମୂର୍ତୀ ଢେଙ୍କାନାଳର ଏଭଳି ଏକ ପାରିବାରିକ କଳହର ଉଦାହରଣ ଦେଇ ସେମାନଙ୍କୁ କିଭଳି ନ୍ୟାୟ ଦିଆଗଲା, ତାର ଅବତାରଣା କରିଥିଲେ । ପିତା ପୁତ୍ର ପରିବାରରେ ସକରାତ୍ମକ ମାନସିକତାରେ କାର୍ୟ୍ୟ କଲେ ହିଁ ସୁଖୀ ପରିବାର ଗଠନ ହୋଇପାରିବ । ସେ ଆହୁରି କହିଲେ ଯେ, କେବଳ ପରିବାର ସଂସ୍କାରିତ ହେଲେ, ସମାଜରେ ସଂସ୍କାର ଆସିବ ।
ଶ୍ରୀମଦ୍ ବାବା ବଳିଆ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପରିବାରକୁ ଏକ କରି ରଖିବାକୁ ଆମ ସଂସ୍କୃତିରେ ଦେବତାମାନଙ୍କର ପରିକଳ୍ପନା କରାଯାଇଛି । ଭଗବାନ ଶିବଙ୍କ ପରିବାରର ଉଦାହରଣ ଦେଇ ବାବା କହିଲେ ଯେ, ଗୋଟିଏ ସ୍ଥାନରେ ସହବସ୍ଥାନ କରିବା ସୁଖୀ ପରିବାରର ନମୁନା । ଆଜି ଆମେ ଖାଉଥିବା ଅନ୍ନ ଠିକ୍ ନଥିବାରୁ ସମାଜରେ ସବୁ ପ୍ରକାର ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାର ବଢି ବଢି ଚାଲିଛି । ଏଥିପାଇଁ ଗୁରୁମାନଙ୍କର ମାର୍ଗଦର୍ଶନ ହିଁ ପରିବାର ଗଠନରେ ସହାୟକ ହେବ ।
ବରିଷ୍ଠ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ବେଦର ଶୋଳ ସଂସାର କଥା କହିଥିଲେ । ପରିବାରକୁ କିଭଳି ନ୍ୟାୟ ମିଳିବ, ଆମ ଠାକୁର ଶ୍ରୀଜଗନ୍ନାଥ ତାର ଉଦାହରଣ । ଶ୍ରୀ ଜଗନ୍ନାଥଙ୍କ ପ୍ରତ୍ୟେକ କାର୍ୟ୍ୟ ସମ୍ପୂର୍ଣ୍ଣ ପରିବାରକୁ ନେଇ ଉଦ୍ଧିଷ୍ଟ । ଖ୍ରୀଷ୍ଟଧର୍ମର ପ୍ରତିନିଧି ୟୁନିୟନ ଚର୍ଚ୍ଚର ଆୟୁବ ଛିଂଚାଣି, ଖ୍ରୀଷ୍ଟ ଧର୍ମରେ ପ୍ରଭୁ ଯୀଶୁ, ସୁଖୀ ପରିବାର ଗଠନର ବହୁ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି । ବାହାଇ ଧର୍ମର ପ୍ରତିନିଧି ଡଃ ସୂର୍ୟ୍ୟପ୍ରକାଶ ଧର୍ମକୁ ବିଜ୍ଞାନ ସମ୍ମତ ଭାବେ ବ୍ୟବହାର କରି ପରିବାରରେ ସମସ୍ତଙ୍କୁ ସମାନ ନ୍ୟାୟ ଦେବା ପରିବାରର ମୁଖ୍ୟଙ୍କ କର୍ତବ୍ୟ ବୋଲି ସେ କହିଥିଲେ । ବୌଦ୍ଧଧର୍ମ ପକ୍ଷରୁ ଲକ୍ଷ୍ମଣ ମଲ୍ଲିକ ସୁସ୍ଥ ସମାଜ ଗଠନ ପାଇଁ ଭଗବାନ ବୁଦ୍ଧଙ୍କ ଅଷ୍ଟାଙ୍ଗ ମାର୍ଗ ବିଷୟରେ ମାର୍ଗଦର୍ଶନ ଦେଇଛନ୍ତି । କାର୍ୟ୍ୟକ୍ରମକୁ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ମୁଖ୍ୟ ସଂଯୋଜକ ଡଃ ଆର୍ୟ୍ୟକୁମାର ଜ୍ଞାନେନ୍ଦ୍ର ପରିଚାଳନା କରିଥିଲେ ଓ ବାବାଜୀ ପ୍ରଣବାନନ୍ଦ ଦାସ ସ୍ୱାଗତ ଭାଷଣ ଦେଇଥିଲେ ।
ଏହି କାର୍ୟ୍ୟକ୍ରମରେ ଆର୍ୟ୍ୟସମାଜ ପକ୍ଷରୁ ପଣ୍ଡିତ ବିନୋଦ ବିହାରୀ ଦାସ, ଦିବ୍ୟ ଜୀବନ ସଂଘ ପକ୍ଷରୁ ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀ, ବ୍ରହ୍ମାକୁମାରୀ ଅନୁଷ୍ଠାନର ବି.କେ ଗୀତା, ଗାୟତ୍ରୀ ପରିବାରର ପ୍ରମୋଦ କୁମାର ପୃଷ୍ଟି, ବୈକୁଣ୍ଠ ନାଥ ପରିବାରର ବାବା ବାଳକାନନ୍ଦ ଦାସ, ନିଗମାନନ୍ଦ ସରସ୍ୱତୀଙ୍କ ଅନୁଷ୍ଠାନର ଆନନ୍ଦ ଚୈତନ୍ୟ ବ୍ରହ୍ମଚାରୀ, ଠାକୁର ଅନୁକୂଳଚନ୍ଦ୍ରଙ୍କ ପ୍ରତିନିଧି ଋତିକ ପାଣ୍ଡବ ଚରଣ ପ୍ରଧାନ, ଗୋସେବକ କମଳ ପ୍ରଭୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ୟ୍ୟକ୍ରମରେ ଉତ୍କଳ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ, ପ୍ରାଣୀବିଜ୍ଞାନ ବିଭାଗ, ପଟିଆ ଯୁକ୍ତ କଲେଜ, ମହର୍ଷି କଲେଜ, ମୁକ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଲୋଚନାରେ ଅଂଶଗ୍ରହଣ କରିବା ସହ ପ୍ରଶ୍ନଉତରରେ ଭାଗ ନେଇଥିଲେ । କାର୍ୟ୍ୟକ୍ରମକୁ ବାବା ଶ୍ରୀବାସ ଦାସ, ରାଧେଶ୍ୟାମ ଦାସ, ପରମାତ୍ମା ଦାସ ପ୍ରମୁଖ ପରିଚାଳନା କରିଥିଲେ ।
ପରିବାର ସଂସ୍କାରିତ ହେଲେ ସମାଜରେ ସଂସ୍କାର ଆସିବ : ନ୍ୟାୟମୂର୍ତୀ ଅନଙ୍ଗ ପଟ୍ଟନାୟକ
