ଏସ୍.ଟି.ଡି.ଏ.ଭି. ଉଚ୍ଚ ବିଦ୍ୟାଳୟର ୫୩ ତମ ବାର୍ଷିକ ଉତ୍ସବ

ରାଉରକେଲା,୨୧/୧୨/୨୦୨୪ (ଓଡ଼ିଶା ସମାଚାର)- ବେଦବ୍ୟାସ ସ୍ଥିତ ଏସ୍.ଟି.ଡ଼ି.ଏ. ଭି. ସରକାରୀ ଉଚ୍ଚ ବିଦ୍ୟାଳୟର ୫୩ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ  ସଫଳତା ଜୀବନର ଲକ୍ଷ୍ୟସ୍ଥଳ ନୁହେଁ,ଏହା ଏକ  ଦୀର୍ଘଯାତ୍ରା ବୋଲି ମୁଖ୍ୟବକ୍ତା ମତବ୍ୟକ୍ତ କରିଛନ୍ତି ।

         ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସଂଯୁକ୍ତା ମାଝୀ ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଉମାକାନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରିବା ସହିତ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ସେ ନିଜ ବକ୍ତବ୍ୟରେ କହିଲେ ଯେ,ଛାତ୍ର ଜୀବନ ଭବିଷ୍ୟତ ଗଢ଼ିବାର ଉପଯୁକ୍ତ ସମୟ ଓ ଏହି ସମୟରେ ସେମାନେ ଅବସାଦ ଠାରୁ ଦୂରେଇ ରହିବା ଉଚିତ୍ । ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ଗୁଣକୁ ଉନ୍ମୋଚନ କରିବାକୁ ପଡ଼ିବ । ସେହି ଅନ୍ତର୍ନିହିତ ପ୍ରତିଭାର ପ୍ରକୃତ ଚିହ୍ନରା ହେଉଛନ୍ତି ଶିକ୍ଷକ ଓ ଅଭିଭାବକ । ଏହା ଛଡ଼ା ଡଃ.ପଣ୍ଡା କୃତ୍ରିମ ବୁଦ୍ଧିମତ୍ତା ଉପରେ ବୁଝାଇଥିଲେ । ମୁଖ୍ୟବକ୍ତା ବ୍ୟାସଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ଶିଶୁ-ସାହିତ୍ୟିକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ  କହିଲେ ଯେ, କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ । ଛାତ୍ରଛାତ୍ରୀମାନେ ଆଳସ୍ୟ ଓ ଅନ୍ୟମନସ୍କତାର ବଳୟରେ ଛନ୍ଦି ହେଲେ ଲକ୍ଷ୍ୟଭ୍ରଷ୍ଟ ହୋଇଯିବେ । କର୍ମନିଷ୍ଠା ଓ ସମୟାନୁବର୍ତ୍ତିତା ସେମାନଙ୍କ ମୁଖ୍ୟ ଅବଲମ୍ବନ ହେବା ଆବଶ୍ୟକ । ସେମାନେ ନୂଆ ସମ୍ଭାବନା ହୋଇଥିବାରୁ ଉତ୍ସର୍ଗ, ସଂକଳ୍ପ ଓ ସଦାଚାର ବଳରେ ପ୍ରଗତି ପଥରେ ଦେଶକୁ ଅଗ୍ରସର କରାଇ ପାରିବେ  ବୋଲି ମୁଖ୍ୟବକ୍ତା ଶ୍ରୀ ବାରିକ  କହିଥିଲେ ।  ଅନ୍ୟତମ ସମ୍ମାନିତ ବକ୍ତା ଅବସରପ୍ରାପ୍ତ ଗଣିତଶିକ୍ଷକ ମନୋଜ ମିଶ୍ର ଓ ପଞ୍ଚସଖା  ଶିକ୍ଷା ସେତୁ ଯୋଜନାର ସଭାପତି ବନ୍ଧନା ଟପୋ ପିଲାମାନଙ୍କୁ ସଫଳ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସରିତା ପାରିକ, ବେରତିଲା ତିର୍କୀ, ଗାୟତ୍ରୀ ବଡାଇକ, ସ୍ମୃତିରେଖା ମହାପାତ୍ର,ସୁସାରି ଗୁଡ଼ିଆ ପ୍ରମୁଖ  କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ମଞ୍ଚାସୀନ ଅତିଥିବୃନ୍ଦ କ୍ରୀଡ଼ା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

       ପ୍ରଥମେ ବିଦ୍ୟାଳୟର ଛାତ୍ରୀ ଅଞ୍ଜୁ ମୁଣ୍ଡା,ପୂଜା ବାରିକ ଓ ବିଜୟଲକ୍ଷ୍ମୀ ସାହୁ ସ୍ଵାଗତ ଗୀତିକା ଗାନ କରିଥିଲେ । ବେରତେଲା ତିର୍କୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଜ୍ଞାନ ଶିକ୍ଷକ ବିପ୍ଳବ କେଶରୀ ସାମଲ ମଂଚ ପରିଚାଳନା କରିଥିବା ବେଳେ ଗଣିତ ଶିକ୍ଷୟିତ୍ରୀ ଗାୟତ୍ରୀ ବଡ଼ାଇକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *