ଭୁବନେଶ୍ୱର, ୨୧/୧୨/୨୦୨୪ (ଓଡ଼ିଶା ସମାଚାର)- ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତ ଶୁକ୍ରବାର ଠାରୁ ବର୍ଷା ଲାଗି ରହିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଲାଗି ରହିଛି କୋହଲା ପାଗ ସହ ତୁହାକୁ ତୁହା ବର୍ଷା । ରବିବାର ଡିସେମ୍ବର ୨୨ ତାରିଖ ରୁ କମିବ ବର୍ଷା ମାତ୍ର ଜାରି ରହିବ କୋହଲା ପାଗ । ଏନେଇ ଶନିବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ ସର୍ବାଧିକ ୭୫ ମିଲିମିଟର ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେହିପରି ଜଗତସିଂହପୁରରେ ୬୧.୨ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ, ପାରାଦୀପରେ ୬୧.୧ ମିମି, ଗୋପାଳପୁର ୫୮.୬, କଟକ ୩୩.୪, ଭୁବନେଶ୍ଵର ୫୧.୬, ପୁରୀ ୪୦.୫, ପାରଳାଖେମୁଣ୍ଡିରେ ୫୩, ଛତ୍ରପୁରରେ ୫୧.୮, ଭୁବନେଶ୍ଵରରେ ୫୧.୬ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ସୋନପୁରରେ ସର୍ବନିମ୍ନ ୧.୬ ମିମି ବର୍ଷା ରେକର୍ଡ ହୋଇଛି।
ଦକ୍ଷିଣ ଉପକୂଳ ଜିଲାରେ କାଲି ମଧ୍ୟ ବର୍ଷିବ । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡାରେ କାଲି ମଧ୍ୟ ବର୍ଷା ହେବ । ଏହାସହ ଆସନ୍ତା ୪୮ ଘଣ୍ଟାରେ ଘନ କୁହୁଡିର ମଧ୍ୟ ସମ୍ଭାବନା ରହିଛି । ଦିନ ତାପମାତ୍ରା କମିଥିବା ବେଳେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଥିବା ରେକର୍ଡ କରାଯାଇଛି । ସେହିପରି ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ପରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ଫଳସ୍ବରୂପ ଶୀତ ବଢିବ।