ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ

” ବିକାଶ ବିରୋଧୀ ଙ୍କୁ ବିରୋଧ କରିବା ବିରୋଧୀ ଦଳର କାର୍ଯ୍ୟ”

ଭୁବନ, ୩୦/୧୧/୨୦୨୪ (ଓଡ଼ିଶା ସମାଚାର)-ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ବିଷ୍ଣୁପ୍ରିୟା ଗାଲାକ୍ସି ପରିସରରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ୯ ନମ୍ବର ୱାର୍ଡ କାଉନସିଲର ପପୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀ ରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ,ବିଜେପି ମିଛ ପ୍ରତିଶ୍ରୁତି ଦେଇ ,ଲୋକଙ୍କୁ ଭୁଆଁ ବୁଲାଇ କ୍ଷମତାକୁ ଆସିଛି।ମହିଳା ଙ୍କୁ ୫୦ ହଜାର ଟଙ୍କା ଦେବାକୁ କହି ଏବେ ମାତ୍ର ୫ ହଜାର ଟଙ୍କା ପ୍ରଦାନ କରାଯାଉଛି । ଯେତିକି ଦେଉଛନ୍ତି ,ତାଠାରୁ ଢେର୍ ଅଧିକ ପ୍ରଚାର କରୁଛନ୍ତି । ୩୦୦ ୟୁନିଟ ବିଜୁଳି ଫ୍ରି,୩୦୦୦ ଟଙ୍କା ଭତ୍ତା କୁଆଡେ ଗଲା ବୋଲି ଗାଁ ଗାଁ ରେ ଲୋକମାନେ ପ୍ରଶ୍ନ କରୁଛନ୍ତି । ବିଜେଡି ସରକାରଙ୍କର ୨୦ ରୁ ଉର୍ଦ୍ଧ୍ବ ଯୋଜନା ର ନାମ ପରିବର୍ତ୍ତନ କରିଥିବା ବେଳେ ସ୍କୁଲ,କଲେଜ ଓ ପିଲାଙ୍କ ପୋଷାକ ରଙ୍ଗ ପରିବର୍ତ୍ତନରେ ମାତିଛନ୍ତି । ନାମ ବଦଳ ଓ ରଙ୍ଗ ବଦଳ ପାଇଁ ଲୋକେ ରଙ୍ଗମରା ସରକାର ବୋଲି କହିଲେଣି। ଦୀର୍ଘ ୨୪ ବର୍ଷ ଶାସନ ପରେ ବିଜେଡି ପ୍ରଥମ ଥର ପାଇଁ ବିରୋଧୀ ଦଳରେ ରହିଛି । “ପ୍ରତ୍ୟେକ କଥାରେ ବିରୋଧ କରିବା ନୁହେଁ,ବିକାଶ ବିରୋଧୀ ଙ୍କୁ ବିରୋଧ କରିବା ହେଉଛି ବିରୋଧୀ ଦଳର କାର୍ଯ୍ୟ ” । ଆପଣ ମାନେ ହେଉଛନ୍ତି ବିଜୁ ଜନତା ଦଳର ଯୋଦ୍ଧା । ତେଣୁ ଆପଣ ମାନେ ମଧ୍ୟ ଗାଁ ଗାଁ ରେ ବିକାଶ ବିରୋଧୀ ଙ୍କୁ ବିରୋଧ କରନ୍ତୁ,ମା ମାଟି ପାଇଁ କାର୍ଯ୍ୟ କରନ୍ତୁ । ଆମେ ଲୋକଙ୍କ ସାଙ୍ଗରେ ରହିଲେ ଲୋକ ଆମ  ସାଙ୍ଗରେ ରହିବେ । ବିଜେପି ସରକାର ଯେତେ ଯାହା କଲେବି ଲୋକଙ୍କ ହୃଦୟରୁ ନବୀନ ପଟ୍ଟନାୟକ ଙ୍କୁ ହଟାଇ ପାରିବେ ନାହିଁ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ ସାହୁ ଯୋଗଦେଇ କହିଥିଲେ ଯେ,୨୦୧୪ ମସିହାରେ ବିଜେପି ଅଛେ ଦିନର ସ୍ବପ୍ନ ଦେଖାଇ ବିଦେଶରୁ କଳା ଧନ ଆସିବ,ପ୍ରତ୍ୟେକ ଙ୍କ ଆକାଉଣ୍ଟ ରେ ୧୫ ଲକ୍ଷ ଟଙ୍କା ଜମା ହେବ ବୋଲି ମିଛ କଥା କହି ସରକାର ଗଠନ କରିଥିଲା। ମୋଦି ସିନା ଠକି ଦେଲେ କିନ୍ତୁ ନବୀନ ବାବୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୁଷ ଙ୍କୁ ୫ ଲକ୍ଷ ଏବଂ ମହିଳାଙ୍କୁ ୧୦ ଲକ୍ଷ ମୋଟ ୧୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦେଇଥିଲେ । ବର୍ତ୍ତମାନର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରି ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଚାହୁଁଛି । ଏଥିରେ କେବଳ ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକ ଚିକିତ୍ସା ସହାୟତା ପାଇବେ । ରୋଗୀ ପ୍ରଥମେ ହାତରୁ ଖର୍ଚ୍ଚ କରିବେ ପରେ କ୍ଲେମ୍ କଲେ ବୀମା ପାଇବେ । ଏଥିପାଇଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଲୋକମାନେ ଏବେ ବିଜେଡି ଓ ବିଜେପି ସରକାର ମଧ୍ୟରେ ତୁଳନା କରୁଛନ୍ତି । ଭୁବନ ଏନ୍ ଏ ସି ରେ ବିଗତ ୨୦ ବର୍ଷ ଓ ଗତ ୨ ବର୍ଷ ମଧ୍ୟରେ କଣ ବିକାଶ ହୋଇଛି ଆପଣ ମାନେ ତୁଳନା କରନ୍ତୁ ବୋଲି ନଗରପାଳ ଶ୍ରୀଯୁକ୍ତ ସାହୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ ଓ ଦଳିତ ନେତା ହୃଦାନନ୍ଦ ମଲ୍ଲିକ ଉପସ୍ଥିତ ରହି ବକ୍ତବ୍ୟ ଦେଇଥିଲେ । ଏହି କର୍ମୀ ସମ୍ମିଳନୀ ରେ ଅଧିକରୁ ଅଧିକ ଯୁବକ ମାନଙ୍କୁ ବିଜେଡି ସଦସ୍ୟ କରିବାକୁ ଜୋର୍ ଦିଆଯାଇଥିଲା । ସୁଶାନ୍ତ କୁମାର ପୃଷ୍ଟି,ରାକେଶ କୁମାର ପୃଷ୍ଟି,ସନ୍ତୋଷ କୁମାର ବେହେରା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହି କର୍ମୀ ସମ୍ମିଳନୀ ରେ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *