୮ ଦିନରେ ଭକ୍ତ ଗଙ୍ଗାଧର ଙ୍କ ଦଣ୍ଡ ପ୍ରଣାମ ମାରି ଶ୍ରୀକ୍ଷେତ୍ର ଗସ୍ତ

କେନ୍ଦ୍ରାପଡ଼ା ଜିଲା ଅତିକ୍ରମ କରି ଜଗତସିଂହପୁର ଜିଲାରେ ପ୍ରବେଶ କଲେ
ଗରଦପୁର,୩୦/୧୧/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ହରିହର କ୍ଷେତ୍ର ମାହାଳସ୍ଥିତ ଜଗନ୍ନାଥ ମନ୍ଦିରରୁ ପୁରୀ ଶ୍ରୀ କ୍ଷେତ୍ରକୁ ଯାତ୍ରା ଆରମ୍ଭ କରିଛନ୍ତି ଭକ୍ତ ଗଙ୍ଗାଧର ସାମଲ । ପ୍ରାୟ ୧୫୦ କିମି ବାଟ ଅତିକ୍ରମ କରିବାକୁ ଥିବାବେଳେ ଏଥିପାଇଁ ଲାଗିବ ୩ମାସ ରୁ ଅଧିକ ସମୟ । କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ୍ ମାହାଳ ଜଗନ୍ନାଥ ମନ୍ଦିରରୁ ଦଣ୍ଡ ପ୍ରଣାମ ମାରି ମାରି ଗତ ୨୩ ତାରିଖ ଶନିବାର ଦିନ ଶ୍ରୀ କ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଭକ୍ତ ଗଙ୍ଗାଧର ସାମଲ । ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ମୁଣ୍ଡିଆ ମାରି ଶ୍ରୀ କ୍ଷେତ୍ର ଅଭିମୁଖେ ଭକ୍ତ ଗଙ୍ଗାଧର ମନ୍ଦିର ପରିସରରୁ ବାହାରିବା ବେଳେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଭଜନ କୀର୍ତନ ସହିତ ହରିବୋଲ ହୁଳହୁଳିରେ ଚତୁର୍ଦିଗ ପ୍ରକମ୍ପିତ ହୋଇଥିଲା । ଭକ୍ତ ଗଙ୍ଗାଧର ପ୍ରାୟ ଦେଢ଼ ବର୍ଷ ତଳେ ଦଣ୍ଡ ପ୍ରଣାମ ମାରି ମାରି ଶ୍ରୀ ହରିହର କ୍ଷେତ୍ର ମାହାଳରୁ କେନ୍ଦ୍ରାପଡ଼ାର ତୁଳସୀ କ୍ଷେତ୍ର ଶ୍ରୀ ବଳଦେବଜୀଉ ଙ୍କ ନିକଟକୁ ଯାତ୍ରା କରିଥିଲେ । ଭକ୍ତ ଗଙ୍ଗାଧରଙ୍କୁ ପୁରୀ ଶ୍ରୀ କ୍ଷେତ୍ର ପହଂଚିବାକୁ ପ୍ରାୟ ୧୫୦ କିମି ବାଟ ଦଣ୍ଡ ପ୍ରଣାମ ମାରି ମାରି ଅତିକ୍ରମ କରିବାକୁ ପଡ଼ିବ । ଏଥିପାଇଁ ପ୍ରାୟ ୩ ମାସ ସମୟ ଲାଗିବ ବୋଲି ନିଯେ ଭକ୍ତ ଗଙ୍ଗାଧର କହିଛନ୍ତି । ଦଣ୍ଡ ପ୍ରଣାମ କରି ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଭକ୍ତ ଗଙ୍ଗାଧର ଯାତ୍ରା ଆରମ୍ଭ କରିବା ସମୟରେ ଉପସ୍ଥିତ ଲୋକ ମାନଙ୍କ ଆଖିରେ ଆନନ୍ଦାଶ୍ରୁ ଭରି ଯାଇଥିଲା ।
ଇତି ମଧ୍ୟରେ ଭକ୍ତ ଗଙ୍ଗାଧର ଙ୍କ ଏହି ଯାତ୍ରା ଆଜି ୮ ଦିନରେ ପହଂଚିଛି । କେନ୍ଦ୍ରାପଡ଼ା ଜିଲାର ମାହାଳ ଜଗନ୍ନାଥ ମନ୍ଦିରରୁ ବାହାରି କଟକ ଜିଲା ଅତିକ୍ରମ କରି କେନ୍ଦ୍ରାପଡ଼ା ଜିଲାରେ ପୁଣି ପ୍ରବେଶ କରିଥିଲେ । ଗତକାଲି ତେଣ୍ଡାକୁଡ଼ା ପଂଚାୟତର ନୟନପୁର ବାରିକ ସାହିରେ ଥିବା ଜାଗୁଳାଇ ଙ୍କ ମନ୍ଦିର ନିକଟରେ ରାତି୍ର ଯାପନ କରି ଆଜି ସକାଳେ ସାଇଫନ୍ ବ୍ରିଜ୍ ଅତିକ୍ରମ କରି ଜଗତସିଂହପୁର ଜିଲାରେ ପ୍ରବେଶ କରିଛନ୍ତି । ଜଗତସିଂହପୁର ଜିଲା ତିର୍ତୋଲ ବ୍ଲକ୍ କୃର୍ଷ୍ଣାନନ୍ଦପୁର ଦେଇ ପାଇକା ନଦୀରେ ହୋଇଥିବା ନୂତନ ସେତୁ ବାଟେ ଆଉ ଦୁଇ ରୁ ତିନି ଦିନ ମଧ୍ୟରେ ଜଇପୁର ରେ ପହଂଚିବା ଲକ୍ଷ ରଖିଛନ୍ତି । ଭକ୍ତ ଗଙ୍ଗାଧରଙ୍କ ସହିତ ସାଙ୍ଗରେ ଅଛନ୍ତି ସହଯୋଗି ସଂଗ୍ରାମ କେଶରୀ ଓଝା । ଏକ ସାଇକେଲରେ ରୋଷେଇ ସରଂଜାମ ଓ ଲୁଗା ପଟା, ନିତ୍ୟ ବ୍ୟବହାର୍ଯ୍ୟ ଆଦି ଧରି ସଂଗ୍ରାମ ତାଙ୍କ ସହିତ ଆଗେ ଆଗେ ଚାଲୁଛନ୍ତି । ତେଣ୍ଡାକୁଡ଼ା ରହଣି ଠାରୁ ଜଗତସିଂହପୁର ଜିଲା ରେ ପ୍ରବେଶ କରିବା ସମୟରେ ତେଣ୍ଡାକୁଡ଼ାର କିଶୋର କୁମାର ମହାନ୍ତି (ରବି ) ଓ ବନମାଳି ବାରିକ ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *