ଯୁବନେତା ହିମାଂଶୁ ନନ୍ଦ ହେଲେ ଜିଲା କିଷାନ କଂଗ୍ରେସ କାର୍ଯ୍ୟକାରୀ ସଭାପତି

କେନ୍ଦ୍ରାପଡ଼ା, ୧୯/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ପ୍ରତିଭାବାନ ଯୁବନେତା ହିମାଂଶୁ ନନ୍ଦଙ୍କୁ କେନ୍ଦ୍ରାପଡ଼ା ଜିଲା କିଷାନ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏହି ନିଯୁକ୍ତି ପରେ ଜିଲା କଂଗ୍ରେସ ଶିବିରରେ ଉତ୍ସାହର ଲହରୀ ଖେଳିଯାଇଛି । କୃଷକମାନଙ୍କ ହକ୍ ଓ ସମସ୍ୟା ପାଇଁ ସଦାସର୍ବଦା ସଂଗ୍ରାମ ଜାରି ରଖିଥିବା ହିମାଂଶୁଙ୍କୁ ଏହି ଗୁରୁଦାୟିତ୍ୱ ମିଳିଥିବାରୁ ସେ କଂଗ୍ରେସ ହାଇକମାଣ୍ଡ, ରାଜ୍ୟ ନେତୃବୃନ୍ଦ ଏବଂ ଜିଲା କଂଗ୍ରେସ କମିଟିକୁ ଧନ୍ୟବାଦ ଜଣାଇଛନ୍ତି ।

ନିଜର ଏହି ସଫଳତା ଓ ନୂତନ ଦାୟିତ୍ୱ ପାଇଁ ହିମାଂଶୁ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସଭାପତି ମାଲିକାର୍ଜୁନ ଖଡ଼ଗେ, ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ ଏବଂ ଅଖିଳ ଭାରତୀୟ କିଷାନ କଂଗ୍ରେସ ଅଧ୍ୟକ୍ଷ ସୁଖପାଲ ସିଂହ ଖାଇରାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ।ଏହାସହିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ, କିଷାନ କଂଗ୍ରେସ ରାଜ୍ୟ ସଭାପତି ଅଭୟ ସାହୁ, ଉପସଭାପତି କାର୍ତିକ ବରାଳ, ଇଂ ସିଦ୍ଧାର୍ଥ ସ୍ୱରୂପ ଦାଶ, କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ସଭାପତି ଡା.ଦେବସ୍ମିତା ଶର୍ମା, କିଷାନ କଂଗ୍ରେସ ଜିଲା ସଭାପତି ଜୟଦେବ ପରିଡ଼ା ଏବଂ ନିଜର ରାଜନୈତିକ ଗୁରୁ ତଥା ପୂର୍ବତନ ବିଧାୟିକା ଡ.ସିପ୍ରା ମଲ୍ଲିକଙ୍କୁ ସଶ୍ରଦ୍ଧ ଧନ୍ୟବାଦ ଜଣାଇଛନ୍ତି ।

ହିମାଂଶୁ ପ୍ରକାଶ କରିଛନ୍ତି ଯେ, ଶୀର୍ଷ ନେତୃବୃନ୍ଦ ତାଙ୍କ ଉପରେ ଯେଉଁ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଛନ୍ତି ସେ ତାହାକୁ ନିଷ୍ଠାର ସହ ପାଳନ କରିବେ । ଜିଲାର ଚାଷୀମାନଙ୍କ ବିବିଧ ସମସ୍ୟା, ସେମାନଙ୍କ ହକ୍ ଓ ଦାବି ହାସଲ ପାଇଁ କିଷାନ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବେଗବାନ୍ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ହିମାଂଶୁଙ୍କ ଏହି ନୂତନ ଦାୟିତ୍ୱ ଗ୍ରହଣ ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave a Reply

Your email address will not be published. Required fields are marked *