ବାଲିଗୁଡ଼ା ବନଖଣ୍ଡରେ ବନାଗ୍ନି ନିରାକରଣ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲିଗୁଡ଼ା, ୧୩/୧୨/୨୦୨୩ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବନାଗ୍ନି ନିରାକରଣ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ବେଳେ ପ୍ରତିବର୍ଷ ଭଳି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡରେ ବିଭିନ୍ନ କାରଣରୁ ଜଙ୍ଗଲରେ ନିଆଁ ଲାଗିଥାଏ । ସେଥି ମଧ୍ୟରୁ ମୁଖ୍ୟତଃ ବାଲିଗୁଡ଼ା ବନଖଣ୍ଡର ବିଭିନ୍ନ ଅଞ୍ଚଳର ଅଧିବାସୀ ପୋଡ଼ୁ ଚାଷ କରୁଥିବା କାରଣରୁ ଜଙ୍ଗଲରେ ନିଆଁ ଲାଗେ । ଏଥିସହିତ କିଛି ଲୋକେ ଜନ୍ତୁ ଶିକାର,ମହୁଲ ଫୁଲ ଓ ଶାଳ ମଞ୍ଜି ସଂଗ୍ରହ କରିବା କାରଣରୁ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦିଅନ୍ତି । ଯାହା ଫଳରେ ଜଙ୍ଗଲ ନଷ୍ଟ ହେବା ସହ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ପ୍ରାଣ ହରାଉଛନ୍ତି । ଏଣୁ ଆମେ ସଚେତନ ହେବା ସହ ଗାଁ ଗାଁ ରେ ବୈଠକ, ପଥପ୍ରାନ୍ତ ନାଟକ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲରେ ନିଆଁ ନଲଗାଇବା ଓ ଜଙ୍ଗଲକୁ ସୁରକ୍ଷା ଦେବା ସମ୍ବନ୍ଧରେ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି ସମସ୍ତ ସରପଞ୍ଚ ଓ ପିଆର୍.ଆଇ ମେମ୍ବର ମାନଙ୍କୁଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ସମ୍ମାନୀତ ଅତିଥି ଭାବେ ବାଲିଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ରୁପକ କୁଜୁର, ଫୁଲବାଣୀ ଏସ୍.ଡିଏଫ୍ଓ ଚନ୍ଦ୍ରସେନ ପୂଜାରୀ, ଡିଏମ୍ ଓଏଫ୍.ଡିସି ନଳିନୀକାନ୍ତ ଜୟସିଂହ,ଏସିଓଏଫ୍ ସତିଶ ଧାରୁଆ,ବନ୍ୟପ୍ରାଣୀ ସଂରକ୍ଷକ ତଥା ବରିଷ୍ଠ ଆଇନଜୀବି କୌଶିକ ସାହୁ, ବନବାସୀ ସେବା ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ଡିପିଓ ରତିକାନ୍ତ ଆଚାର୍ଯ୍ୟ ଯୋଗ ଦେଇ ବନାଗ୍ନି ନିରାକରଣ ସମ୍ବନ୍ଧରେ ନିଜ ନିଜର ଅଭିଭାଷଣ ରଖିଥିଲେ । ଏହି ଅବସରରେ ବାଲିଗୁଡ଼ା ବନଖଣ୍ଡର ବ୍ରାହ୍ମଣୀଗାଁ,ଦାରିଙ୍ଗବାଡ଼ି ,କ.ନୁଆଗାଁ, ବାଲିଗୁଡ଼ା, ତୁମୁଡ଼ିବନ୍ଧ,ବେଲଘର ଓ କୋଟଗଡ଼ ଏପରି ୭ଟି ବନାଞ୍ଚଳର ବନାଞ୍ଚଳ ଅଧିକାରୀ,ବନପାଳ,ବନ କର୍ମଚାରୀ ଯୋଗ ଦେଇଥିବା ବେଳେ ସମସ୍ତ ସରପଞ୍ଚ, ପିଆର୍.ଆଇ ମେମ୍ବର ଯୋଗ ଦେଇଥିଲେ । ଓଡ଼ିଶାର ଅନ୍ୟ ଜିଲ୍ଲା ତୁଳନାରେ କନ୍ଧମାଳ ଜିଲ୍ଲାରେ ସବୁଠାରୁ ଅଧିକ ଭାଗ ଜଙ୍ଗଲ ରହିଛି । ଏଣୁ ଆମେ ଆମ ଜଙ୍ଗଲକୁ ସୁରକ୍ଷା ଯୋଗାଇବାରେ ସହାୟକ ହେବା । ପ୍ରତି ଗାଁ ରେ ସ୍ଥାନୀୟ ଜନ ପ୍ରତିନିଧି ଓ ଅଞ୍ଚଳବାସୀଙ୍କ ସହ ମିଶି ବନାଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ କରାଇ ଅଞ୍ଚଳବାସୀଙ୍କୁ ଅଧିକରୁ ଅଧିକ ସଚେତନ କରାଇବା ସହ ଜଙ୍ଗଲ ନିଆଁକୁ ରୋକିବାକୁ ପ୍ରଚେଷ୍ଟା କରିବା ପାଇଁ ସମସ୍ତ ବନାଞ୍ଚଳ ଅଧିକାରୀ ମାନଙ୍କୁ  ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡା ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *