ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ।

କଟକ, ୦୨/୦୩/୨୦୨୪ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ଆଜି ତା୨.୩.୨୦୨୪ରିଖ ଶନିବାର ଅପରାହ୍ନରେ ସାଲେପୁର ବ୍ଲକ ଅନ୍ତର୍ଗତ ପୂର୍ଵକଛ ଠାରେ ଅବସ୍ଥିତ ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ପୀଠରେ ନବଦିନ ଵ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି ।ଗତ ୨୩.୨.୨୦୨୪ ରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଥିବା ଯଜ୍ଞାନୁଷ୍ଠାନ ପ୍ରତ୍ୟହ ସୂର୍ୟ୍ୟପୂଜା, ଗୋପୂଜା,କଳସପୂଜା ଓ ନିତ୍ୟ ଘୃତାହୁତି ସହ ସନ୍ଧ୍ୟା ଆଳତି ପରେ ବିଶ୍ରାମ ହୋଇଥାଏ ।ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଛୋଟ ଛୋଟ ପିଲାଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥାଏ। ଶେଷ ଦୁଇ ରାତି ଶ୍ରୀ ଲକ୍ଷ୍ମୀନୃସିଂହ ଆଞ୍ଚଳିକ ନାଟ୍ୟ ପରିଷଦ ଆନୁକୂଲ୍ୟରେ ନାଟକ ମଞ୍ଚସ୍ଥ କରାଯାଇଥିଲା ।
ଯଜ୍ଞ ପୂର୍ଣ୍ଣାହୁତି ପୂର୍ବରୁ ମାନସିକ ବ୍ରତଧାରୀ ମହିଳା ମାନଙ୍କ ସହ ଯଜ୍ଞକାର୍ତ୍ତାଙ୍କ ସ୍ନାନ ପରେ ପୂର୍ଣ୍ଣାହୁତି କାର୍ୟ୍ୟ ସମ୍ପନ ହୋଇଯାଇଛି। ମଧ୍ୟାହ୍ନ ଠାରୁ ରାତ୍ର ୯ ଘଟିକା ପର୍ୟ୍ୟନ୍ତ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏଥିରେ ପ୍ରାୟ ୧୫,୦୦୦ ଭକ୍ତ ଓ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ ।ଯଜ୍ଞ ଯାତ୍ରାରେ ବିଭିନ୍ନ ପ୍ରକାର ଦୋକାନ ବଜାର, ପିଲାଙ୍କ ଦୋଳି ଓ ମନୋହରି ଦୋକାନମାନଙ୍କରେ ବହୁତ ଭିଡ ହୋଇଥିଲା । ଯଜ୍ଞ ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ସମ୍ପନ୍ନ କରିବା ନିମନ୍ତେ ପୋଲିସ ପ୍ରଶାସନ , ସ୍ଥାନୀୟ ସ୍ୱେଚ୍ଛାସେବୀ ଯୁବକ ସହଯୋଗ କରିଥିଲେ। ସତ୍ୟସାଇ ସେବା ସଂଗଠନ ଆନୁକୂଲ୍ୟରେ ନିଶୁଳ୍କ ଜୋତା ଷ୍ଟାଣ୍ଡର ବ୍ୟବସ୍ଥା କରାଯାଇଥିଲା । ଟାଙ୍ଗି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା,ପୂର୍ବତନ ବିଧାୟକ ପ୍ରକାଶ ବେହେରା ପ୍ରମୁଖ ଯୋଗଦେଇଥିଲେ । ଶ୍ରୀଶ୍ରୀ ଲଷ୍ମୀନୃସିଂହ ମହାପ୍ରଭୁ ଟ୍ରଷ୍ଟବୋର୍ଡ ଓ ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ବିଶ୍ୱଶାନ୍ତି ମହାଯଜ୍ଞ କମିଟିର ମିଳିତ ସହଯୋଗରେ ସମସ୍ତ କାର୍ୟ୍ୟ ସମ୍ପନ୍ନ ହୋଇଯାଇଛି ।

Leave a Reply

Your email address will not be published. Required fields are marked *