ଐତିହ୍ୟ ଓ ସଂସ୍କୃତିକୁ ଉଜ୍ଜିବୀତ କରି ରଖିବାରେ ଚିତ୍ରକଳା ଉତ୍କୃଷ୍ଟ ମାଧ୍ୟମ- ଅତିରିକ୍ତ ଜିଲାପାଳ ଶ୍ରୀ ସାମଲ
ଯାଜପୁର, ୧୩/୧୨/୨୦୨୩ (ଓଡ଼ିଶା ସମାଚାର)-ଆଜି ଅପରାହ୍ନରେ ଓଡିଶା ଲଳିତ କଳା ଏକାଡେମୀ ଆନୁକୂଲ୍ୟରେ ଯାଜପୁର ଜିଲା କାର୍ଯ୍ୟାଳୟ ପରିସରରେ ୩ ଦିନିଆ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀକୁ ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଉଦ୍ଘାଟନ କରି କହିଲେ ଯେ, ଐତିହ୍ୟ ଓ ସଂସ୍କୃତିକୁ ଉଜ୍ଜିବୀତ କରି ରଖିବାରେ ଚିତ୍ରକଳା ଏକ ଉତ୍କୃଷ୍ଟ ମାଧ୍ୟମ ଅଟେ । ଛାତ୍ର ଛାତ୍ରୀମାନେ ଏହି ଚିତ୍ରକଳା ପ୍ରଦର୍ଶନୀର ଭରପୁର ସୁଯୋଗ ନେଇ ପରିଦର୍ଶନ କରିବା ସହ ଓଡିଶାର ପାରମ୍ପରିକ ଐତିହ୍ୟ ଓ ସଂସ୍କୃତି ସମ୍ୱନ୍ଧରେ ଚିତ୍ରକଳାରୁ ଜ୍ଞାନ ଆହରଣ ପାଇଁ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉ କି, ଓଡିଶା ଲଳିତ କଳା ଏକାଡେମୀ ପ୍ରଦର୍ଶନୀ ଅଧିକାରୀ ଶ୍ରୀ ସୁବ୍ରତ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଜିଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରାଙ୍କ ସହଯୋଗରେ ଅନୁଷ୍ଠିତ ଏହି ୩ ଦିନିଆ ଭ୍ରାମ୍ୟମାଣ ଚିତ୍ରକଳା ଷ୍ଟଲରେ ଓଡିଶାର ଜଗନ୍ନାଥ ସଂସ୍କୃତି, ଐତିହ୍ୟ ସଂପନ୍ନ ଗ୍ରାମ, ପାରମ୍ପରିକ ଲୋକକଳା ଏବଂ ଓଡିଶାର ବିିଭିନ୍ନ କିମ୍ୱଦନ୍ତୀ ସମ୍ୱନ୍ଧୀୟ ଆକୃଷ୍ଟ ଚିତ୍ରକଳା ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି ।
ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବିନ୍ଦ୍ର ନାଥ ବେହେରା, ଜିଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ଜ୍ଞାନ ରଂଜନ ସେଠୀ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ଜିଲା କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ବୃନ୍ଦ, ଓଡିଶା ଲଳିତ କଳା ଏକାଡେମୀର କର୍ମକର୍ତା ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ । ଏଠାରେ ଉଲ୍ଳେଖ ଯୋଗ୍ୟ ଯେ, ଏହି ତିନି ଦିନିଆ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀକୁ ଜିଲାର ବିଭିନ୍ନ ସ୍କୁଲ, କଲେଜର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ସେମାନଙ୍କ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନିଜ ତତ୍ୱାବଧାନରେ ଆଣି ପ୍ରଦର୍ଶନୀ ବୁଲି ଦେଖିବା ସହ ଓଡିଶା ଚାରୁକଳାର ବହୁଳ ପ୍ରଚାର, ପ୍ରସାର ଦିଗରେ ପ୍ରେରଣା ଦେବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।