ଅଭିଆରା ଫାଉଣ୍ଡେସନ୍ର ସେବା ପହଞ୍ଚିଲା ଅଢ଼ଙ୍ଗା ଓ ଭଗବାନପୁରରେ
କେନ୍ଦ୍ରାପଡ଼ା,୦୫/୦୮/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲ୍ଲାର ରାଇସର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏବଂ ବର୍ତ୍ତମାନ ମୁମ୍ବାଇରେ ପ୍ରତିଷ୍ଠିତ ଯୁବ ସମାଜସେବୀ ଅଭିମନ୍ୟୁ ମଲ୍ଲିକଙ୍କ ଦ୍ୱାରା ସ୍ଥାପିତ ଅଭିଆରା ଫାଉଣ୍ଡେସନ୍ ପକ୍ଷରୁ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ଅଢ଼ଙ୍ଗା ଓ ଭଗବାନପୁର ଗ୍ରାମରେ ଶିକ୍ଷା ଏବଂ ମାନବିକ ସହାୟତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଅଭିମନ୍ୟୁ ମଲ୍ଲିକଙ୍କ ନେତୃତ୍ୱ ଓ ମୁମ୍ବାଇରୁ ମିଳିଥିବା ସହଯୋଗରେ, ଅଭିଆରା ଫାଉଣ୍ଡେସନ୍ର ଓଡ଼ିଶା ହେଡ୍ ଅଫ୍ ଅପରେସନ୍ସ ଶ୍ରୀ ଉମାକାନ୍ତ ମହାନ୍ତ ଏବଂ ସଂସ୍ଥାର ସକ୍ରିୟ ସଦସ୍ୟ ଶ୍ରୀ ଗୁପ୍ତେଶ୍ୱର ଗ୍ରାମ ଗସ୍ତ କରି ସହାୟତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଅଢ଼ଙ୍ଗା ଗ୍ରାମରେ ଆର୍ଥିକ ଅସୁବିଧାରେ ଥିବା ଛାତ୍ରୀ ପ୍ରବାସିନୀ ଜେନା ଓ ରୂପାଲି ଜେନାଙ୍କୁ ସ୍କୁଲ ବ୍ୟାଗ୍, ବହି, ଖାତା ଓ କଲମ ପ୍ରଦାନ କରାଯାଇଥିଲା। ସେମାନଙ୍କୁ ଅଭିଆରା ଫାଉଣ୍ଡେସନ୍ର ମାସିକ ଶିକ୍ଷା ସହାୟତା କାର୍ଯ୍ୟକ୍ରମରେ ମଧ୍ୟ ସାମିଲ କରାଯାଇଛି।
ଏହା ପରେ ଭଗବାନପୁର ଗ୍ରାମରେ ସମ୍ପ୍ରତି କ୍ୟାନ୍ସରରେ ପରଲୋକଗତ କୈଳାଶ ମଲ୍ଲିକଙ୍କ ପରିବାରକୁ ଭେଟିଥିଲେ। ତାଙ୍କ ପତ୍ନୀ ବସନ୍ତୀ ମଲ୍ଲିକ ଓ ପାଞ୍ଚଜଣ ସନ୍ତାନଙ୍କ ଆର୍ଥିକ ଓ ଶିକ୍ଷାଗତ ପରିସ୍ଥିତିକୁ ବିଚାର କରି ଫାଉଣ୍ଡେସନ୍ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ପରିବାରର ସମସ୍ତ ସ୍କୁଲ ଓ କଲେଜ ପଢୁଆ ସନ୍ତାନଙ୍କୁ ମଧ୍ୟ ଫାଉଣ୍ଡେସନ୍ର ମାସିକ ଶିକ୍ଷା ସହାୟତା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।
ଅଭିଆରା ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି ଯେ, ଗ୍ରାମକୁ ଯାଇ ପରିବାରମାନଙ୍କର ପ୍ରକୃତ ଆବଶ୍ୟକତା ବୁଝି ସିଧାସଳଖ ସହାୟତା ପହଞ୍ଚାଇବା ହିଁ ସଂସ୍ଥାର ମୂଳ ଲକ୍ଷ୍ୟ। ଶିକ୍ଷା, ସ୍ୱାସ୍ଥ୍ୟ ଓ ଜରୁରୀକାଳୀନ ମାନବିକ ସହାୟତା କ୍ଷେତ୍ରରେ ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ।
ଅଭିଆରା ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି ଯେ, ଏହା କୌଣସି ଜଣେ ବ୍ୟକ୍ତିଙ୍କର ସଫଳତା ନୁହେଁ। ଏହା ଅଭିଆରା ଫାଉଣ୍ଡେସନ୍ର ପ୍ରତ୍ୟେକ ସଦସ୍ୟ, ସ୍ୱେଚ୍ଛାସେବୀ, ଦାତା, ଶୁଭେଚ୍ଛୁ ଓ ପରିଚାଳନା କମିଟିଙ୍କର ସାମୂହିକ ପ୍ରୟାସର ଫଳ। ସମସ୍ତଙ୍କର ନିଷ୍ଠା, ସହଯୋଗ ଓ ସମାଜ ପ୍ରତି ଥିବା ଦାୟିତ୍ୱବୋଧ ଯୋଗୁଁ ଆଜି ଏହି ସେବାକାର୍ଯ୍ୟ ସମ୍ଭବ ହୋଇପାରିଛି।
