ଶ୍ରୀଗୁଣ୍ଡିଚାରେ ବ୍ରହ୍ମ ତାଳଧ୍ୱଜରେ ଶ୍ରୀବଳଦେବଜୀଉ
ଏକଘଂଟା ବିଳମ୍ବରେ ଟଣାଗଲା ବ୍ରହ୍ମ ତାଳଧ୍ୱଜ
କେନ୍ଦ୍ରାପଡ଼ା, ୨୭/୦୬/୨୦୨୫ (ଓଡ଼ିଶା ସମାଚାର)- ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ସତେ ଯେମିତି ଫାଟି ପଡୁଥିଲା ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡ । ଘଂଟ, ଘଂଟା, ମୃଦଙ୍ଗ, କାହାଳୀ ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଥିଲା ତୁଳସୀକ୍ଷେତ୍ର ରଥଦାଣ୍ଡର ଗଗନ ପବନ । ବ୍ରହ୍ମ ତାଳଧ୍ୱଜ ରଥକୁ ଛୁଇଁବା ପାଇଁ ଭକ୍ତମାନଙ୍କ ମଧ୍ୟରେ ବେଶ ଆବେଗ ବଢି ଯାଇଥିଲା । ଭକ୍ତ ଓ ଭଗବାନଙ୍କ ମିଳନ ବର୍ଷକରେ ଥରେ ଥିଲା ବେଶ ଭାବବିହ୍ୱଳିତ । ଭକ୍ତମାନଙ୍କ ଆଖିରୁ ଝରି ପଡ଼ୁଥିଲା ଅଶ୍ରୁ । ରଥାରୂଢ ଶ୍ରୀଜୀଉମାନଙ୍କୁ ଦେଖିବାକୁ ବ୍ୟାକୁଳ ହୋଇ ଉଠିଥିଲେ ଭକ୍ତମାନେ । ରଥ ଟାଣିବାର ଅପୂର୍ବ ଅନୁଭୂତିକୁ କେହି ହାତଛଡା କରିବାକୁ ଚାହୁଁନଥିଲେ । ତେଣୁ ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ରଥ…ପଥ…ବ୍ରହ୍ମ ତଳଧ୍ୱଜ ହୋଇଥିଲା ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉ ମୟ ।
ଅର୍ଥାତ ବ୍ରହ୍ମ ତାଳଧ୍ୱଜ ରଥ ଉପରେ ବଡ଼ ଭାଇ ବଳଭଦ୍ର, ସୁନା ଭଉଣୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କୁ ଦର୍ଶନ କରି ଭକ୍ତମାନେ ଖୁସିରେ ଗଦଗଦ ହୋଇପଡିଥିଲେ । ଶୁକ୍ରବାର ସକାଳୁ ରଥାରୂଢ ଠାକୁରମାନଙ୍କୁ ଦର୍ଶନ କରିବା ପାଇଁ ରଥଦାଣ୍ଡ ଲୋକାରଣ୍ୟ ହୋଇଯାଇଥିଲା । ଶ୍ରୀଜୀଉମାନେ ପହଣ୍ଡି ବିଜେ କରି ରଥାରୂଢ ହୋଇଥିଲେ । ଏହାପରେ ବ୍ରହ୍ମତାଳଧ୍ୱଜ ରଥ ଗଡିବା ପାଇଁ ପ୍ରସ୍ତୁତ ହୋଇଥିଲା । ଭକ୍ତମାନଙ୍କ ଭାବାବେଗକୁ ଦେଖି ପ୍ରଶାସନ ରଥ ଟାଣିବା ପାଇଁ ପ୍ରସ୍ତୁତ ହେବା ପରେ ଅପରାହ୍ଣ ପ୍ରାୟ ସାଢେ୫ଟା ବେଳେ ଏକଘଂଟା ବିଳମ୍ବରେ ରଥ ଟଣା ହୋଇଥିଲା ।
ରଥ ଟଣାହେବାକୁ ସାଢେ ୪ଟା ସମୟ ନିର୍ଘଂଟ ହୋଇଥିଲେ ମଧ୍ୟ ଭକ୍ତଙ୍କ ଭାବାବେଗକୁ ଦେଖି ଏହା ଏକ ଘଂଟା ବିଳମ୍ବିତ ହୋଇଥିଲା । ଫଳରେ ସାଢେ ୫ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା । ରଥ ଟାଣିବା ପାଇଁ ତ୍ରିସ୍ତରୀୟ ପୋଲିସ କର୍ଡନ ବ୍ୟବସ୍ଥା ହୋଇଥିଲା । କର୍ଡ଼ନ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୈାଡା କର୍ଡ଼ନ ମଧ୍ୟରେ ରହି ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଯାଂଚ କରୁଥିଲେ ।
ତାଙ୍କୁ ସହଯୋଗ କରୁଥିଲେ ଟାଉନ୍ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ, ଇନ୍ସପେକ୍ଟର ରାଜେନ୍ଦ୍ର ମହାପାତ୍ର,ଇନ୍ସପେକ୍ଟର ସୈାମ୍ୟରଞ୍ଜନ ବିଶ୍ୱାଳ, ଇନିସପେକ୍ଟର ଧିରଜ ଲେଙ୍କା, ପଦ୍ମାଳୟା ପ୍ରଧାନ ଓ ତପନ ନାୟକଙ୍କ ସମେତ ଜିଲାର ବିଭିନ୍ନ ଥାନାର ଅଧିକାରୀମାନେ । ରଥ ଉପରକୁ ଛୋଟ ଛୋଟ ପିଲାମାନଙ୍କୁ ଉଠାଇବାକୁ ସେବାୟତମାନଙ୍କ ମଧ୍ୟରେ ବେଶ ପ୍ରତିଯୋଗିତା ଦେଖିବାକୁ ମିଳିିଥିଲା । ରଥ ଉପରକୁ ଛୋଟ ପିଲାମାନଙ୍କୁ ଉଠାଇ ଶ୍ରୀଜୀଉଙ୍କ ଦର୍ଶନ କରାଇବା ପାଇଁ ସେବାୟତମାନେ ଭକ୍ତମାନଙ୍କ ଠାରୁ ଦକ୍ଷିଣା ନେଉଥିଲେ । କିନ୍ତୁ ଏହି କାର୍ଯ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଚାଲିଥିଲା । ଲୋକେ ସେମାନଙ୍କ ପିଲାମାନଙ୍କୁ ରଥ ଛୁଇଁବାକୁ ଛାଡୁଥିବାରୁ ଆମେ ରଥ ଉପରକୁ ଚଢାଉଛୁ ବୋଲି ଅନ୍ୟ ଜଣେ ସେବାୟତ କହିଥିଲେ ।
ଫଳରେ ପୋଲିସ ନୀରବ ରହିବାକୁ ବାଧ୍ୟ ହୋଇଥିଲା । ସେମାନଙ୍କୁ ବିରୋଧ କଲେ ରଥ ଗଡାଇ ଦେବେ ନାହିଁ ବୋଲି ମଧ୍ୟ ଧମକ ଦେଇଥିଲେ । ସେଥିପାଇଁ ପୋଲିସ ନୀରବ ରହିବାକୁ ବାଧ୍ୟ ହୋଇଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ । ରଥ ସିଂହଦ୍ୱାରରୁ ଟଣା ହୋଇ ଦେବୋତର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏହା ହେଉଛି ତୁଳସୀ କ୍ଷେତ୍ରର ପରମ୍ପରା । ଆସନ୍ତା କାଲି ଅର୍ଥାତ ଶନିବାର ରଥ ଟଣା ଯାଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଚକଡା ଲାଗିବ । ପରେ ରଥାରୂଢ ଶ୍ରୀଜୀଉମାନେ ଜନ୍ମବେଦୀ ତଥା ମାଉସୀ ମା’ଙ୍କ ମନ୍ଦିରକୁ ପ୍ରବେଶ କରିବାର ପରମ୍ପରା ରହିଛି । ରଥ କର୍ଡନ ନିକଟରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲାପାଳ ରବୀନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଉପଜିଲାପାଳ ତଥା ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ଅରୁଣ କୁମାର ନାୟକ, ଦେବୋତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
