ଜଗତସିଂହପୁର ରେ ଦୁର୍ଗାପୂଜା, ରାବଣ ପୋଡ଼ି ଓ ଭସାଣୀ ଉତ୍ସବ ୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର,୨୫/୦୯/୨୦୨୬(ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଆଗାମୀ ଦଶହରା ପର୍ବ, ରାବଣ ପୋଡ଼ି ଓ ଭସାଣି ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକ ରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ଅକ୍ଷୟ ପିଲ୍ଲେ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସତ୍ୟବ୍ରତ ଦାଶ ଉପସ୍ଥିତ ରହି ଶାରଦୀୟ ପର୍ବ ମା ଦୁର୍ଗା ଙ୍କ ଆଗମନକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଥିଲେ ।

ବୈଠକ ରେ  ପୂଜା ଭସାଣୀ ରେ ଡି ଜେ ସାଉଣ୍ଡ ର ଅପବ୍ୟବହାର କୁ ବନ୍ଦ କରିବା ପାଇଁ ପ୍ରସ୍ତାବ  ସର୍ବ ସମ୍ମତି ରେ ଗୃହୀତ ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ  ଚଳିତ ବର୍ଷ ୧୭.୧୦.୨୦୨୬ ରିଖ ଠାରୁ ୨୩.୧୦.୨୦୨୬ ରିଖ ପର୍ଯ୍ୟନ୍ତ ଜଗତସିଂହପୁର ପୌର ପରିଷଦ ଅଞ୍ଚଳରେ ହେବାକୁ ଥିବା ଦୁର୍ଗାପୂଜା ଉତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ଉତ୍ସାହ ଉଦ୍ଦୀପନାର ସହିତ ପାଳନ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ, ସହରର ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ , ସମସ୍ତ ମେଢ଼ କମିଟିର କର୍ମକର୍ତ୍ତା ମାନଙ୍କର ସହଯୋଗ କାମନା କରିଥିଲେ।  ସମସ୍ତ ସରକାରୀ ନିୟମାବଳୀ ସହ ଏହାର ତଦାରଖ ନିମନ୍ତେ ଆରକ୍ଷୀ ଅଧିକ୍ଷକଙ୍କୁ ଉପଦେଶ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ମଧ୍ୟ ଡି ଜେ ପରିବର୍ତ୍ତେ ପାରମ୍ପରିକ ବାଦ୍ୟ ର ବ୍ୟବହାରକୁ ଗୁରୁତ୍ଵ ଦେବା ସହ ପୂଜା ସମୟରେ ବିଭିନ୍ନ ଅସାମାଜିକ କାର୍ଯ୍ୟ ପ୍ରତି ସାବଧାନ ରହିବାକୁ ଉପଦେଶ ଦେଇଥିଲେ  ।

ବୈଠକର ନିଷ୍ପତ୍ତି ଅନୁଯାୟୀ ବିଜୟା ଦଶମୀ ଦିନ ଅର୍ଥାତ୍ ତା ୨୧.୧୦.୨୬ ରିଖ ଦିନ ରାବଣ ପୋଡ଼ି ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ ହେବ। ଦଶମୀ ପରଦିନ ଗୁରୁବାର ପଡୁଥିବାରୁ ମା ଙ୍କ ଭସାଣି ଉତ୍ସବ ତା ୨୩.୧୦.୨୬ରିଖ ଦିନ ଅନୁଷ୍ଠିତ ହେବ। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉକ୍ତ ୨ ଦିନ କୌଣସି ମେଲୋଡି ପରିବେଷଣ କରାଯିବ ନାହିଁ ବୋଲି ସର୍ବ ସମ୍ମତିରେ ନିଷ୍ପତ୍ତି ଗ୍ରହଣ କରାଗଲା ।

ରାବଣ ପୋଡ଼ି ଓ ସାଧାରଣ ସଭା ନିମନ୍ତେ ଶ୍ରୀରାମ କ୍ଳବ୍ ଏବଂ ଭସାଣୀ ଉତ୍ସବ ପାଇଁ ସମସ୍ତ କାର୍ଯ୍ୟ ଥାନପତି କ୍ଳବ୍ ସମ୍ପାଦନ କରିବା ପାଇଁ ନିଷ୍ପତ୍ତି ନିଆଗଲା। ମୂର୍ତ୍ତି ବିସର୍ଜନ ନିମନ୍ତେ ଗାଲୁପଡ଼ା, ପୁରୋହିତପୁର ଏବଂ କଲେଜ ଛକ ଠାରୁ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇଥିବା ରାସ୍ତା କଡ଼ରେ ଅସ୍ଥାୟୀ ପୋଖରୀ ଖନନ ପାଇଁ ଅଧିକ୍ଷଣ ଯନ୍ତ୍ରୀ (ଜଳ ସମ୍ପଦ), ଅଧିକ୍ଷଣ ଯନ୍ତ୍ରୀ(ରାସ୍ତା ଓ କୋଠାବାଡ଼ି),ଅଧିକ୍ଷଣ ଯନ୍ତ୍ରୀ(ଗ୍ରାମ୍ୟ ଉନ୍ନୟନ),ଅଧିକ୍ଷଣ ଯନ୍ତ୍ରୀ( ଡ୍ରେନେଜ୍) ଙ୍କୁ ଦାୟିତ୍ଵ ଦିଆଗଲା। ରାସ୍ତା ମରାମତି ସମୟ ରେ କେବଳ ଡଷ୍ଟ ନ ପକାଇ ଉପଯୁକ୍ତ ଉପାୟ ରେ ଯଥାଶୀଘ୍ର ପରସ୍ପର ସମ୍ମନ୍ଵୟ ରେ କାର୍ଯ୍ୟ ସମ୍ପାଦନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଟ୍ରାଫିକ ନିୟନ୍ତ୍ରଣ ଓ ପୋଲିସ ଶିବିର ଦାୟିତ୍ଵ ଆରକ୍ଷୀ ଅଧିକ୍ଷକ ସମ୍ପାଦନ କରିବେ। ଟାଉନ୍ ହଲ୍ ଠାରୁ ଦଶ ନମ୍ବର, ପୁରୋହିତପୁର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଆଳିପିଙ୍ଗଳ ଠାରୁ ପୋଷ୍ଟ ଅଫିସ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଗଛର ଡାଳ କଟା କାମ ପୂର୍ତ୍ତ ବିଭାଗ ସମ୍ପାଦନ କରିବେ। ଆସନ୍ତା ୧୩.୧୦.୨୬ ତାରିଖ ସୁଦ୍ଧା ସମସ୍ତ ରାସ୍ତାର ମରାମତି କାର୍ଯ୍ୟ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳ ଅଧିକ୍ଷଣ ଯନ୍ତ୍ରୀ (ରାସ୍ତା ଓ କୋଠାବାଡ଼ି) ଏବଂ ଏନ.ଏଚ ଡିଭିଜନ କଟକ,ଅଧିକ୍ଷଣ ଯନ୍ତ୍ରୀ ଆର ଡି, ପୌର ନିର୍ବାହୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଳିପିଙ୍ଗଳ ଠାରୁ ପୋଷ୍ଟ ଅଫିସ ରାସ୍ତା ପୂର୍ତ୍ତ ବିଭାଗ, ଦଶ ନମ୍ବର ଠାରୁ ଚାଟରା ବ୍ରିଜ କେନାଲ , ଜିରା ଠାରୁ ଚର୍ଚ୍ଚିକା ବଜାର ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଓହଳ ଠାରୁ ବଡ଼ବଜାର କୋର୍ଟ ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ନିର୍ବାହୀ ଅଧିକାରୀ ପୌର ପରିଷଦ ସମ୍ପାଦନ କରିବେ। ଅସ୍ଥାୟୀ ପୋଖରୀରୁ ବିସର୍ଜିତ ସାମଗ୍ରୀ ବାହାର କରିବା , ପୋଖରୀ ଜଳକୁ ଚୁନ ପକାଇ ବିଶୋଦ୍ଧିତ କରିବା, ପୋଖରୀ ନିକଟରେ ଡଷ୍ଟବିନ୍ ରଖିବା, ବିସର୍ଜନ ସ୍ଥଳୀ ଓ ମେଲଣ ପଡିଆରେ  ଯଥେଷ୍ଟ ଆଲୋକ ବ୍ୟବସ୍ଥା କରିବା ସହିତ ୫ ଟି ଜେନେରେଟର ରଖିବା ପାଇଁ ନିର୍ବାହୀ ଅଧିକାରୀ ପୌର ପରିଷଦ ବିହିତ ବ୍ୟବସ୍ଥା ଗ୍ରହଣ କରିବେ। ବୈଠକରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ,ରାବଣ ପୋଡ଼ି ଓ ଭସାଣୀ ଉତ୍ସବ ଦିନ ମେଲଣ ପଡିଆରେ ଓ ଅସ୍ଥାୟୀ ପୋଖରୀ ନିକଟରେ ଅସ୍ଥାୟୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପାନୀୟ ଜଳର ବ୍ୟବସ୍ଥା, ସହରରେ ପାଣି ପାଇପ୍ ମରାମତି, ରାବଣ ପୋଡ଼ି ଓ ଭସାଣି ଦିନ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ୍ ବିଷୟ ରେ ନିଷ୍ପତ୍ତି ନିଆଯାଇଥିଲା।ଦୁର୍ଗାପୂଜା ସମୟରେ ଡିଜେ ସାଉଣ୍ଡ ନ ବଜାଇବା, ଶାନ୍ତି ଶୃଙ୍ଖଳା ର ସହ ପୂଜା ଓ ଭସାଣୀ କରିବା, ପ୍ରତ୍ୟେକ ମେଢ଼ ପାଖରେ ସି ସି ଟିଭି ଲଗାଇବା , ଡଷ୍ଟବିନ ରଖିବା, ସମୟ ଅନୁଯାୟୀ ମେଲଣ ପଡ଼ିଆ କୁ ଆସିବା ଓ ଭସାଣୀ କରିବାଏଵଂ ନିୟମଭଙ୍ଗକାରୀ ବିରୁଦ୍ଧରେ ଆଇନ ଅନୁଯାୟୀ ଦଣ୍ଡବିଧାନ କରିବାକୁ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଥିଲେ। ମେଲଣ ପଡିଆ ଓ ବିସର୍ଜନ ସ୍ଥଳୀରେ ଦମକଳ ଗାଡ଼ି ରଖିବା , ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରିବା, ଅସ୍ଥାୟୀ ପୋଖରୀ ନିକଟରେ ଡଷ୍ଟବିନ ରଖିବା, ନିର୍ଦ୍ଧାରିତ ସମୟ ଏଵଂ ସ୍ଥାନ ରେ ମେଢ଼ ମାନଙ୍କ ଉପସ୍ଥିତି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। 

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ପୂଜା ମଣ୍ଡପ ରେ ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ, ମୂର୍ତ୍ତି ରେ ମାଟି ଓ ପ୍ରାକୃତିକ ରଙ୍ଗର ବ୍ୟବହାର ଆଦି ବିଷୟରେ ଆଲୋଚନା କରାଯାଇଥିଲା। ପୂଜା କମିଟି ର କର୍ମକର୍ତ୍ତା ମାନେ ସରକାରୀ ଅଧିକାରୀ ମାନଙ୍କୁ ପୂଜା ମଣ୍ଡପ ବୁଲିବା ପାଇଁ ଆମନ୍ତ୍ରଣ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ସମସ୍ତ ମେଢ଼ର କର୍ମକର୍ତ୍ତା, ଶାନ୍ତି କମିଟିର ସଦସ୍ୟ, ସମସ୍ତ ବିଭାଗୀୟ ଅଧିକାରୀ , ମାନ୍ୟଗଣ୍ୟ ବ୍ୟକ୍ତି, ଆଇନଜୀବୀ ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି କାର୍ଯ୍ୟସୂଚୀ ଅନୁଯାୟୀ ବିବରଣୀ ପାଠ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *