କେନ୍ଦ୍ରାପଡାରେ ମିଳିତ ଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡ଼ା, ୦୭/୧୦/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ସଦର ମହକୁମାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ସାଢେ ଗୋଟାଏ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୌରସଂସ୍ଥା ଟାଉନ୍ ହଲ୍ରେ ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଅତିରିକ୍ତ ଜିଲାପାଳ(ରାଜସ୍ୱ) ନୀଲୁ ମହାପାତ୍ର, ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲାପାଳ ଅଶୋକ କୁମାର ଦାସ, କେନ୍ଦ୍ରାପଡ଼ା ତହସିଲଦାର ତାପସ ଦେହୁରୀ ଓ ବିଡିଓ ବନ୍ଦନା ଖଟୁଆ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ପ୍ରମୋଦ କୁମାର ପ୍ରହରାଜ, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ, ସମସ୍ତ ବିଭାଗର ଜିଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଂଟର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ । ଅଭିଯୋଗ ଶୁଣାଣିରେ ମୋଟ୍ ୨୦୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥି ମଧ୍ୟରୁ ୨୫ଟି ସାମୁହିକ ଏବଂ ୧୮୦ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫୫ହଜାର ଟଙ୍କା ୬ଜଣ ଆବେଦନକାରୀଙ୍କୁ ଦେବା ପାଇଁ ଜିଲାପାଳ ମଞ୍ଜୁର କରିଥିବା ବେଳେ ରେଡକ୍ରସ୍ ପାଣ୍ଠିରୁ ୧୧ଜଣ ଆବେଦନକାରୀଙ୍କୁ ଚିକିତ୍ସା ସହାୟତା ବାବଦରେ ମୋଟ୍ ୭୧ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ସମସ୍ତ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ବ୍ୟକ୍ତିଗତ ଅଭିଯୋଗ ଗୁଡିକ ମଧ୍ୟରେ ପାରିବାରିକ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭୂମିହୀନ ପଟ୍ଟା, ଚିକିତ୍ସା ପାଇଁ ଆର୍ଥôକ ସହାୟତା, ରାସନ୍ କାର୍ଡÿ ପ୍ରଦାନ, ଅନ୍ତଦୋୟ ଅନ୍ନପୂର୍ଣ୍ଣା ଯୋଜନା, ଫୌଜଦାରୀ ମକଦ୍ଧମା, ବାର୍ଦ୍ଧକ୍ୟ ଭତା, ବଦଳି ନିମନ୍ତେ ଆବେଦନ ପତ୍ର ଇତ୍ୟାଦି ଦରଖାସ୍ତ ଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ସେହିପରି ସାମୁହିକ ଅଭିଯୋଗ ଗୁଡିକ ମଧ୍ୟରେ ପୋଲ ନିର୍ମାଣ, ବିଦୁ୍ୟତ୍ ସଂଯୋଗ, ବିଦୁ୍ୟତ୍ ଖୁଂଟ ସ୍ଥାପନ, ଗଜଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ଉଠା ଦୋକାନୀକୁ ସ୍ଥାନାନ୍ତରଣ ନ କରି ବ୍ୟବସାୟ କରିବାକୁ ଅନୁମତି, ଗ୍ରାମ୍ୟ ସମସ୍ୟା, ଓଏଲଆର ସିଲିଂ ପଟ୍ଟା, ନୂତନ ରାଜସ୍ୱ ଗ୍ରାମ ଘୋଷଣା, ଜଳ ନିଷ୍କାସନ, ଗ୍ରାମ୍ୟ ରାସ୍ତା ମରାମତି ଓ ନିର୍ମାଣ, ସରକାରୀ ରାସ୍ତା ଅବରୋଧ ହଟାଇବା ଆଦି ଅଭିଯୋଗଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ଏଗୁଡ଼ିକର ତୁରନ୍ତ ଫଇସଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଧେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *