ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ କାର୍ଯ୍ୟକ୍ରମ ‘ସଂକଳ୍ପ’ ଉଦଯାପିତ

ଭୁବନେଶ୍ୱର, ୨୪/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଶିରିପୁରଠାରେ ଥିବା ଇମେଜ(IMAGE)ଠାରେ ଆୟୋଜିତ ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଜିଲ୍ଲା ସାଧନକର୍ମୀ (DRG) ମାନଙ୍କର ରାଜ୍ୟସ୍ତରୀୟ  ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ସଂକଳ୍ପ’  ଉଦଯାପିତ ହୋଇଯାଇଛି । ଏହି ଅବସରରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟରେ ଡ୍ରପଆଉଟକୁ କିପରି ପ୍ରତିରୋଧ କରାଯାଇପାରିବ ଓ ବିଦ୍ୟାଳୟ ଆସୁନଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରି ମୁଖ୍ୟସ୍ରୋତକୁ ଅଣାଯାଇ ପାରିବ ସେ ଦିଗରେ ଆଲୋକପାତ କରିଛନ୍ତି । ଏଥିସହିତ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କାରାଯାଇଥିବା ପ୍ରତ୍ୟେକ ଶିକ୍ଷାର୍ଥୀଙ୍କର ଆପାର (APAAR) ଆଇ.ଡି. ଖୋଲାଯିବା ସମ୍ପର୍କରେ ଓ ବିଶେଷକରି ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଅଧ୍ୟୟନରତ ନବମରୁ ଦ୍ୱାଦଶ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରିବା ବିଷୟରେ ସୂଚନା ପ୍ରଦାନ କରିଛନ୍ତି ।

ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ମନୋରଂଜନ ମଲ୍ଲିକ ଯୋଗ ଦେଇ  ଶିକ୍ଷା, ଶିକ୍ଷାର୍ଥୀ ଓ ଶିକ୍ଷାୟତନର ଗୁଣାତ୍ମକ ମାନ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷକମାନେ ଛାତ୍ରଛାତ୍ରୀ ମାନଙ୍କୁ ପିଲାଟିଦିନୁ ଭବିଷ୍ୟତ ପାଇଁ ସ୍ଵପ୍ନ ଦେଖିବାକୁ ଓ ନିଜର ରୁଚି ଅନୁଯାୟୀ ବିଷୟବସ୍ତୁ ନେଇ କ୍ୟାରିୟର ଗଢିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷେ  ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ସନାତନ ପଣ୍ଡା ‘ସଂକଳ୍ପ’ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିବରଣୀ ଭିଡ଼ିଓ ଏବଂ ପିପିଟି ମାଧ୍ୟମରେ ଉପସ୍ଥାପନା କରିଥିଲେ । ପ୍ରଶିକ୍ଷାର୍ଥୀମାନେ ନିଜର ପ୍ରଶିକ୍ଷଣ ଅନୁଭୂତି ବାଣ୍ଟିବା ସହ ନିଜ ସ୍ୱପ୍ନର ବିଦ୍ୟାଳୟ ପାଇଁ ନେଇଥିବା ସଂକଳ୍ପ ସମ୍ବନ୍ଧରେ ସୂଚନା ଦେଇଥିଲେ । ପରିଶେଷରେ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ସହ ସଂକଳ୍ପ ମଡ୍ୟୁଲ ପ୍ରଦାନ କରାଯାଇଥିଲା ।

ଏହି ତାଲିମ ରେ ଓଡ଼ିଶା ଶିକ୍ଷା ବ୍ୟବସ୍ଥା, ସରକାରୀ କର୍ମଚାରୀଙ୍କ ଶୃଙ୍ଖଳା ଓ ନୀତିନିୟମ, ଜାତୀୟ ଶିକ୍ଷା ନୀତି, ଶ୍ରେଣୀ ଗୃହ ପରିଚାଳନା, ଶିକ୍ଷଣ କୌଶଳ, ଶିକ୍ଷଣ ମୂଲ୍ୟାଙ୍କନ, ଇ-ଶିକ୍ଷଣ, ସାଇବର ସୁରକ୍ଷା, ବିଦ୍ୟାଳୟ ସୁରକ୍ଷା, କ୍ୟାରିୟର ପରାମର୍ଶ , ଗୋଷ୍ଠୀ ସହଭାଗୀତା, ଡ୍ରପଆଉଟ ପ୍ରତିରୋଧ ଓ ନିଜ ବିଦ୍ୟାଳୟକୁ ନେଇ ଯୋଜନା ପ୍ରସ୍ତୁତ କରିବା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ପାଞ୍ଚ ଦିନିଆ ତାଲିମ ଶିବିରରେ ରାଜ୍ୟର ୩୦ ଗୋଟି ଜିଲ୍ଲାରୁ ମୋଟ ୧୫୦ ଜଣ ଜିଲ୍ଲା ସାଧନକର୍ମୀ ଅଂଶ ଗ୍ରହଣ କରିଥିଲେ । ଓସେପାର ସହ ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ ଏହି ତାଲିମର ସଫଳ ପରିଚାଳନା ପାଇଁ ସମସ୍ତ ଅତିଥି, ଅଂଶଗ୍ରହଣକାରୀ, ସାଧନକର୍ମୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

-0-

ରୋଜାଲିନ୍ ସାହୁ.ଲୋକସମ୍ପର୍କ ଅଧିକାରୀ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *