ଖରିଫ୍ ଋତୁ ୨୦୨୬ ନିମନ୍ତେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ

ଜଗତସିଂହପୁର,୧୮/୦୮/୨୦୨୬ (ଓଡ଼ିଶା ସମାଚାର)-ଆଜି  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଖରିଫ୍ ଋତୁ ୨୦୨୬ ନିମନ୍ତେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ  କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି  ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ ଜଗତସିଂହପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା।ଚାଷୀ ମାନଙ୍କ ନିମନ୍ତେ ସରକାର ବହୁତ୍ ଯୋଜନା କରିଛନ୍ତି।

କୃଷକ ମାନେ ଯେପରି ପ୍ରତ୍ୟେକ ଯୋଜନାର ସୁଫଳ ପାଇପାରିବେ ସେଥିପ୍ରତି କୃଷି ବିଭାଗ ଅଧିକାରୀ ମାନେ ଯତ୍ନବାନ ହେବା ଆବଶ୍ୟକ।  ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ କୃଷି ବିଭାଗ ଦ୍ଵାରା ପରିଚାଳିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସି ଏମ୍ କିଷାନ ଯୋଜନା,ପି ଏମ୍ କେ ୱାଇ ଯୋଜନା ରେ ଜିଲ୍ଲାର ଅଧିକରୁ ଅଧିକ ଚାଷୀ ଯେପରି  ନିଜ ନିଜର ନାମ ପଞ୍ଜିକରଣ କରିବେ ସେଥିପ୍ରତି ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ,ଏବଂ ସମବାୟ ବିଭାଗ ଅଧିକାରୀ ପଦକ୍ଷେପ ଗ୍ରହଣ କରିବାକୁ  ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ଚାଷୀ ମାନଙ୍କୁ ଠିକ୍ ସମୟରେ ବିହନ ସାର ଯୋଗାଣ ଉପରେ  ଗୁରୁତ୍ୱାରୋପ କରିଥିଲେ।

ସମସ୍ତ ଯୋଜନା ଓ ସବସିଡି ବାବଦରେ କୃଷି ଅଧିକାରୀ ମାନେ ପଞ୍ଚାୟତ ସ୍ତରରେ ବ୍ୟାପକ ପ୍ରଚାର ପ୍ରସାର ସହିତ ଚାଷୀମାନଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (CDAO) ଶ୍ରୀ ବିଭୁଦତ୍ତ ସାହୁ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ। ବୈଠକରେ ପୂର୍ବ ବୈଠକ ର ବିବରଣୀକୁ ଦୃଢ଼ୀକରଣ କରାଯାଇଥିଲା। ୨୦୨୫-୨୬ରବି ଋତୁରେ ୭୩୮୩୫ ହେକ୍ଟର ଜମିରେ ହାଇବ୍ରିଡ ଧାନ, ମକା,ମୁଗ,ବିରି,କୋଳଥ , ମଟର,ବାଦାମ,ରାଶି ଆଦି ଚାଷ କରାଯାଇଥିଲା। ମୋଟ୍ ୬୮୨୯୭ ହେକ୍ଟର ଜମିରେ ଡାଲିଯାତୀୟ ଫସଲ କରାଯାଇଥିଲା। ଏତଦ୍ ବ୍ୟତୀତ ସୂର୍ଯ୍ୟମୁଖୀ,ଆଳୁ , ପିଆଜ, ଅନ୍ୟାନ୍ୟ ପନିପରିବା, ଲଙ୍କା, ରସୁଣ,ଧନିଆ, ଆଖୁଚାଷ ହୋଇଥିଲା। ଚଳିତ ଖରିଫ ଋତୁରେ ସମସ୍ତ ଫସଲ କୁ ମିଶାଇ ମୋଟ  ୮୧୮୧୦ ହେକ୍ଟର ଜମିରେ କୃଷିକାର୍ଯ୍ୟ ନିର୍ଦ୍ଧାରଣ କରାଯାଇଛି।

ସେଥିମଧ୍ୟରୁ ୮୦୨୫୦ ହେକ୍ଟର ରେ ଧାନ , ମାଣ୍ଡିଆ, ଜୱାର ଆଦି ଖାଦ୍ୟଶସ୍ୟ,୧୭୦ ହେକ୍ଟର ରେ ଡାଲି  ଜାତୀୟ ଫସଲ ,୭୦ ହେକ୍ଟର ରେ ଝୋଟ,୧୧୨୦ ହେକ୍ଟର ରେ ମସଲା ଜାତୀୟ ଫସଲ, ୨୦ ହେକ୍ଟର ସବୁଜ ଗୋଖାଦ୍ୟ , ୧୮୦ ହେକ୍ଟର ରେ ଆଖୁ ଚାଷ ନିମନ୍ତେ ଲକ୍ଷ ଧାର୍ଯ୍ୟ ରହିଛି। ତାଳଦଣ୍ଡା,ମାଛଗାଁ, ମହାନଦୀ ବ୍ୟାରେଜ୍ ଡିଭିଜନ, ଉଠା ଜଳସେଚନ ପଏଣ୍ଟ, ନଳକୂପ ମାଧ୍ୟମରେ ୭୭୩୫୬ ହେକ୍ଟର ଜମିରେ ଜଳସେଚନର ସୁବିଧା ରହିଛି। ୩୩୭୦ କ୍ଵିଣ୍ଟାଲ ଧାନ ବିହନ,୩୧୨ କ୍ଵିଣ୍ଟାଲ ଧଣୀଚା ମଞ୍ଜି,  ମଞ୍ଜି ପାଇଁ ଇଣ୍ଡେଣ୍ଟ ଦିଆଯାଇଛି।

ଜିଲ୍ଳାର ଚାଷୀ ମାନଙ୍କୁ ସମବାୟ ଓ ବିଭିନ୍ନ ବ୍ୟାଙ୍କ୍ ଜରିଆରେ ୨୭୪୨୭୮.୬୭ ଲକ୍ଷ ଋଣ ଟଙ୍କା ପ୍ରଦାନ କରାଯିବାର ଧାର୍ଯ୍ୟ ଲକ୍ଷ ରହିଛି। ଖସଡ଼ା ଧାନ ଚାଷ , ଇଣ୍ଟିଗ୍ରେଟେଡ୍ ମାଇକ୍ରୋନିଉଟ୍ରିଏଣ୍ଟ ପରିଚାଳନା, ସିଡ ଭିଲେଜ ପ୍ରୋଗ୍ରାମ,ଇ – ପେଷ୍ଟ , ସରଭେଲାନ୍ସ ମାଧ୍ୟମରେ କୀଟ ଦମନ ,ଜୈବସାର, ଭର୍ମିକମ୍ପୋଷ୍ଟ,ମିଲେଟ ମିଶନ,ଟ୍ରାକ୍ଟର ସାହାଯ୍ଯ ରେ ମଞ୍ଜି ବୁଣା ବ୍ୟବହାର ଉପରେ ପ୍ରାଧାନ୍ୟ ଦିଆଯାଇଛି।

ବୈଠକରେ ବିହନ ଯୋଗାଣ, ରାସାୟନିକ ସାର,ଫସଲ ସୁରକ୍ଷା, ମୁର୍ତିକା ପରୀକ୍ଷଣ, ସୌର ଜଳବିଧି, ଜାତୀୟ ଖାଦ୍ୟ ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଉଦ୍ୟାନ କୃଷି ଓ ମୃତ୍ତିକା ସଂରକ୍ଷଣ ଉପରେ ଆଲୋଚନା ହୋଇଥିଲା।ଏହା ବ୍ୟତୀତ ନଡ଼ିଆ,ଆମ୍ବ,କାଜୁ,ଲେମ୍ବୁ,ଅମୃତଭଣ୍ଡା, ପଣସ, କଦଳୀ, ପାନ ଚାଷ ଆଦି ଉଦ୍ୟାନ କୃଷି ,ମୃତ୍ତିକା ସଂରକ୍ଷଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ  ଉପ-ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଅଗ୍ରଣୀ ଜିଲ୍ଲା ବ୍ୟାଙ୍କ ପ୍ରବନ୍ଧକ (LDM), ନାବାର୍ଡର ଡିଡିଏମ୍ (DDM NABARD), ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ (ADH), ସମସ୍ତ ବ୍ଲକ କୃଷି ଅଧିକାରୀ (BAO), ସହକାରୀ କୃଷି ଅଧିକାରୀ (AAO) ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *