ମିଠା ପ୍ୟାକେଟ୍ ରେ ୨ ଲକ୍ଷ ଟଙ୍କା
ବରଗଡ଼,୧୧/୯/୨୦୨୪ (ଓଡ଼ିଶା ସମାଚାର)-ବରଗଡ଼ ଜିଲାପାଳ ଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଉଦ୍ୟମ କରି ଏକ ସିମେଣ୍ଟ ଉତ୍ପାଦନ ପ୍ଲାଣ୍ଟର ଅଧିକାରୀ ଗିରଫ ହୋଇଛନ୍ତି । ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଠାରୁ ସୂଚନା ପାଇ ଭିଜିଲାନ୍ସ ସମ୍ପୃକ୍ତ ସିମେଣ୍ଟ ଉତ୍ପାଦନ ପ୍ଳାଣ୍ଟର ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ, ଛତିଶଗଡ଼ ଅମ୍ବୁଜା ସିମେଣ୍ଟର ମୁଖ୍ୟ ଉତ୍ପାଦନ ଅଧିକାରୀ(ପୂର୍ବ) ରାମଭବ ଗଟ୍ଟୁ। ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ୨୩/୨୪ରେ ଏକ ମାମଲା ରୁଜୁ କରିବା ସହିତ ଲାଞ୍ଚ ଦେବାକୁ ଉଦ୍ୟମ କରୁଥିବା ୨ ଲକ୍ଷ ଟଙ୍କାକୁ ଭିଜିଲାନ୍ସ ଜବତ କରିଛି।
ସୂଚନାନୁଯାୟୀ, ଅଭିଯୁକ୍ତ ସିମେଣ୍ଟ ଉତ୍ପାଦନ ପ୍ଲାଣ୍ଟର ମୁଖ୍ୟ ଅଧିକାରୀ ଗଟ୍ଟୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲାପାଳ ଗୋୟଲଙ୍କୁ ସେ ଏକ ଫୁଲତୋଡ଼ା ଏବଂ ମିଠା ପ୍ୟାକେଟ୍ ଦେଇଥିଲେ। ତେବେ ମିଠା ପ୍ୟାକେଟ୍କୁ ସନ୍ଦେହ କରି ତାହା ଖୋଲିବା ପାଇଁ ଜିଲାପାଳ ତାଙ୍କ କାର୍ଯ୍ୟାଳୟର ପିଅନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପିଅନ ସେହି ମିଠା ପ୍ୟାକେଟ୍ ଖୋଲିବା ପରେ ୪ ବଣ୍ଡଲ ୫୦୦ ଟଙ୍କିଆ ନୋଟ୍ (୨ ଲକ୍ଷ ଟଙ୍କା) ବାହାରିଥିଲା। ଏହାପରେ ଅଭିଯୁକ୍ତ ସିମେଣ୍ଟ ଉତ୍ପାଦନ ପ୍ଲାଣ୍ଟର ମୁଖ୍ୟ ଅଧିକାରୀ ଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଟକ ରଖି ଭିଜିଲାନ୍ସକୁ ସୂଚନା ଦେଇଥିଲେ। ଭିଜିଲାନ୍ସ ଟିମ୍ ପହଞ୍ଚି ତାଙ୍କୁ ଗିରଫ ସହିତ ଫୁଲତୋଡ଼ା ଏବଂ ୨ ଲକ୍ଷ ଟଙ୍କା ଜବତ କରିଥିଲେ।