ପେଟ୍ରୋଲ ଡିଜେଲ ଯୋଗାଣ ସ୍ଥିତି ସମୀକ୍ଷା ପାଇଁ ସମନ୍ୱୟ ବୈଠକ

ଯାଜପୁର,୧୮/୦୫/୨୦୨୬(ଓଡ଼ିଶା ସମାଚାର)-ଜିଲ୍ଲାରେ ପେଟ୍ରୋଲ, ଡିଜେଲ ତୈଳ ଯୋଗାଣର ସମୀକ୍ଷା ପାଇଁ ଏକ ଜିଲ୍ଲା ସ୍ତରୀୟ ବିପତ୍ତି ପରିଚାଳନା କମିଟିର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶିବାନନ୍ଦ ସ୍ୱାଇଁ, ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲୀପ ପାଣିଗ୍ରାହୀ, ମାର୍କେଟ ଇନ୍ସପେକ୍ଟର ଏବଂ ବିଭିନ୍ନ ତୈଳ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଜିଲ୍ଲାରେ ତୈଳ ଯୋଗାଣର ବର୍ତ୍ତମାନ ସ୍ଥିତି, କେତେ ଷ୍ଟକ୍ ଉପଲବ୍ଧ ରହିଛି, କେତୋଟି ପେଟ୍ରୋଲ ପମ୍ପ ବନ୍ଦ ରହିଛି, ମାସିକ ଆବଶ୍ୟକତା ସମ୍ପର୍କରେ ଜିଲ୍ଲାପାଳ ପଚାରି ବୁଝିଥିଲେ। ରାତି ୮ ଟା ପରେ ପେଟ୍ରୋଲ ପମ୍ପ କାହିଁକି ବନ୍ଦ ରହୁଛି ବୋଲି ଜିଲ୍ଲାପାଳ ପ୍ରଶ୍ନ କରିଥିଲେ। ଗତ ମାସରେ ଚାହିଦା ବୃଦ୍ଧି ଯୋଗୁଁ ଯୋଗାଣରେ ବାଧା ଉପୁଜିଥିଲା। ଯାଜପୁର ଏକ ଖଣି ଏବଂ ଶିଳ୍ପ ଅଞ୍ଚଳ ହୋଇଥିବାରୁ ଡିଜେଲ ଚାହିଦା ମଧ୍ୟ ଅଧିକ ରହିଛି।

ତୈଳ କମ୍ପାନୀଙ୍କ କହିବା ଅନୁଯାୟୀ ଗତ କିଛି ଦିନ ପେଟ୍ରୋଲ ଯୋଗାଣରେ ଅସୁବିଧା ହେବା ପରେ ଜିଲ୍ଲାରେ ବର୍ତ୍ତମାନ ପେଟ୍ରୋଲ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି। କିନ୍ତୁ ଡିଜେଲ ଯୋଗାଣରେ ସୁଧାର ଆସିବା ପାଇଁ ଆଉ କିଛି ସମୟ ଲାଗିପାରେ ବୋଲି ସେମାନେ ମତାମତ ରଖିଥିଲେ। ଏହାସହ ଆମ୍ବୁଲାନ୍ସ, ଜରୁରୀକାଳୀନ ଯାନବାହାନଗୁଡିକୁ ପେଟ୍ରୋଲ ଏବଂ ଡିଜେଲ ଦିଆଯାଉଛି ବୋଲି କମ୍ପାନୀ ପ୍ରତିନିଧିମାନେ କହିଥିଲେ। ପ୍ରତ୍ୟେକ ଫିଲିଙ୍ଗ ଷ୍ଟେସନ୍ ଏବଂ ପେଟ୍ରୋଲ ପମ୍ପଗୁଡିକୁ ପରିଦର୍ଶନ କରି ଯାଞ୍ଚ କରିବା ସହ ସ୍ଥିତି ସମୀକ୍ଷା କରିବା ପାଇଁ ମାର୍କେଟ ଇନ୍ସପେକ୍ଟର ଏବଂ ତହସିଲଦାରମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଲୋକେ ଯେମିତି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ବ ରହିଛି।

Leave a Reply

Your email address will not be published. Required fields are marked *