ଗରଦପୁର ବ୍ଲକ୍ ର ଦୁଇ ଶିକ୍ଷୟିତ୍ରୀଙ୍କୁ ଜିଲା ଉତ୍କର୍ଷ ଶିକ୍ଷା ସମ୍ମାନ -୨୦୨୪

କେନ୍ଦ୍ରାପଡ଼ା,୦୭/୯/୨୦୨୪ (ଓଡ଼ିଶା ସମାଚାର)- ସଂଖ୍ୟାଲଘୁ ଉନ୍ନୟନ ଟ୍ରଷ୍ଟ ଉର୍ଦ୍ଧୁ ପାଠଗାର ପରିଚାଳନା ସମିତିର ମିଳିତ ଆନୁକୂଲ୍ୟରେ ଜାତୀୟ ଶିକ୍ଷକ ଦିବସ ପାଳନ ଉପଲକ୍ଷେ ଉର୍ଦ୍ଧୁ ପାଠଗାର ତଥା ଗୋଷ୍ଠିକେନ୍ଦ୍ର ପରିସରରେ ଏକ ଜିଲା ସ୍ତରୀୟ ଶିକ୍ଷକ ଉତ୍କର୍ଷ ପୁରସ୍କାର ଉତ୍ସବ – ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଟ୍ରଷ୍ଟର ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏସ.ସି.ଇ.ଆର.ଟି.ର ସହକାରୀ ନିର୍ଦେଶକ ଡ. ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା, ସମ୍ମାନୀତ ଅତିଥି ଭାବେ ନଗରପାଳ ସରିତା ସାହୁ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଡ. ଦୟାସିନ୍ଧୁ ପରିଡା, କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅତିଥିମାନେ ଗରଦପୁର ବ୍ଲକ୍ ତଳକୁସୁମା ଗୋବିନ୍ଦପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନିତା ମଲିକ୍ ଓ ଜୟତଳଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏଲିମେଂଟାରୀ ଶିକ୍ଷୟିତ୍ରୀ ଯୁବେଦା ଖାତୁନ୍ ଙ୍କୁ ପୁଷ୍ପଗୁଛ, ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ଜିଲା ଉତ୍କର୍ଷ ଶିକ୍ଷା ସମ୍ମାନ -୨୦୨୪ ସମ୍ମାନରେ ସମ୍ମାନୀତ କରିଥିଲେ । ଏହି ଉତ୍ସବରେ ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଶେଷରେ ମହମ୍ମଦ ଫାୟାଜ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *