ପୁଣି ବରିଷ୍ଠ ନାଗରିକଙ୍କୁ ଧୋକା

ଗରଦପୁର, ୨୫/୧୧/୨୦୨୬ (ଓଡ଼ିଶା ସମାଚାର)- ପୁଣି ବରିଷ୍ଠ ନାଗରିକଙ୍କୁ ଧୋକା । ବରିଷ୍ଠ ନାଗରିକଙ୍କୁ ୬୦ ବର୍ଷ ହେଲେ ସରକାର ମଧୁବାବୁ ପେନସନ୍ ଯୋଜନାରେ ଏକ ହଜାର ଟଙ୍କା ଭତା ଦେଉଛନ୍ତି । ଏହି ଭତା ବା ବାର୍ଦ୍ଧକ୍ୟ ଭତା କାହାକୁ ପଂଚାୟତ କାର୍ଯ୍ୟାଳୟରେ ମିଳୁଛି ତ ଆଉ କାହାକୁ ଅନଲାଇନ୍ ରେ ଡ଼ିବିଟି ମାଧ୍ୟମରେ ବ୍ୟାଙ୍କ ଆକାଉଂଟ ରେ ଦିଆଯାଉଥିଲା । ଗତ ପ୍ରାୟ ଏକ ବର୍ଷ ହେଲା ଏହି ବ୍ୟାଙ୍କ ଆକାଉଂଟ ରେ ଦିଆଯାଉଥିବା ଭତା ପ୍ରଦାନରେ ଅନିୟମିତତା ଦେଖା ଦେଇକ୍ତି । ଏ ସମ୍ପର୍କରେ ଅମୁକ ମାସ ଭିତରେ ବାକିଆ ଭତା ସହିତ ସମସ୍ତ ଭତା ଟଙ୍କା ମିଳିଯିବ ବୋଲି ମନ୍ତ୍ରୀ କହିଲେଣି ତ ସମୁକ ମାସ ଭିତରେ ମିଳିଯିବ ବୋଲି ସରକାରୀ ଦଳ ସଭାପତି କହିଲେ । ଏବେ ସେହି ଅନିୟମିତତାର ଶେଷ ହୋଇଛି, ବୃଦ୍ଧ ବୃଦ୍ଧାଙ୍କୁ ଆଉ ଭତା ଟଙ୍କା ପାଇବା ପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନୂତନ ଭତା ବଂଟନ କରି କହିଲେ । ଲକ୍ଷ ଲକ୍ଷ ଟଙ୍କା ର ଖବର କାଗଜରେ ବିଜ୍ଞାପନ ଦିଆଯାଇ ୨୫ ନଭେମ୍ବର ୨୦୨୬ ତାରିଖରେ ନୂତନ ହିତାଧିକାରୀ ମାନଙ୍କୁ ଓ ଯେଉଁମାନଙ୍କୁ ବ୍ୟାଙ୍କ ଆକାଉଂଟ ରେ ଭତା ଦିଆଯାଉଥିଲା , ସେ ସମସ୍ତଙ୍କୁ ପଂଚାୟତ କାର୍ଯ୍ୟାଳୟରେ ଭତା ଦିଆଯିବ ବୋଲି ହିତାଧିକାରୀ ମାନଙ୍କୁ ଜଣାଇ ଦିଆଗଲା ।

ଏହି କ୍ରମରେ ଆଜି ନଭେମ୍ବର ୨୫ ତାରିଖ ଦିନ ବ୍ୟାଙ୍କ ଆକାଉଂଟ ରେ ଭତା ପାଉଥିବା ହିତାଧିକାରୀମାନେ ତେଣ୍ଡାକୁଡ଼ା ପଂଚାୟତ କାର୍ଯ୍ୟାଳୟକୁ ଯାଉ ଭତା ନପାଇ ପୁଣି ହତାଶ ହୋଇ ଫେରିଲେ । ଏ ସମ୍ପର୍କରେ ପଂଚାୟତର ନିର୍ବାହୀ ଅଧିକାରିଙ୍କୁ ପଚାରିବାରୁ ସେ କହିଲେ କି ବ୍ୟାଙ୍କ ଆକାଉଂଟ ରେ ଭତା ପାଉଥିବା ହିତାଧିକାରୀଙ୍କ ଲିଷ୍ଟ ଆସିନାହିଁ କି ସେଥିପାଇଁ ଟଙ୍କା ମଧ୍ୟ ଆସିନାହିଁ । ବୃଦ୍ଧ ବୃଦ୍ଧା ମାନେ ପୁଣି ହତାଶ ହୋଇ କାନ ମୁଣ୍ଡା ଆଉଁସି ଘରକୁ ଫେରିଲେ । ଏ ସମ୍ପର୍କରେ ଗରଦପୁର ବିଡ଼ିଓ ଙ୍କୁ ପ୍ରତିକ୍ରିୟା ଜାଣିବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ତେବେ ଲକ୍ଷ ଲକ୍ଷ ଟଙ୍କା ର ସରକାରୀ ବିଜ୍ଞାପନ ତେବେ କଣ ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ସରକାରୀ ବିଜ୍ଞାପନ କେବଳ ଖବର କାଗଜ ତୃଷ୍ଟିକରଣ ପାଇଁ ନାଁ ଜନସାଧାରଣଙ୍କ କେଉଁ ହିତରେ ?

Leave a Reply

Your email address will not be published. Required fields are marked *