ଖୁବ୍‌ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ଶିକ୍ଷାନୀତି, ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୮/୧୦/୨୦୨୪ (ଓଡ଼ିଶା ସମାଚାର)-ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ ୬ଟି ଥିମେଟିକ୍‌ ସବ୍‌କମିଟି ଗଠନ କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏହି ଟାସ୍କଫୋର୍ସରେ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ପଞ୍ଚାୟତିରାଜ ବିଭାଗ, ଅର୍ଥ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବଙ୍କ ସହ ଉଚ୍ଚଶିକ୍ଷା ବିଭାଗର ସଚିବ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଭୁବନେଶ୍ୱରସ୍ଥିତ ରିଜିଓନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେଶନର ପ୍ରନ୍ସିପାଲ ସଦସ୍ୟ ରହିଛନ୍ତି। ସେହିଭଳି ଟିଚର୍ସ ଏଜୁକେଶନ ଆଣ୍ଡ୍‌ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକଙ୍କୁ ଜାତୀୟ ଶିକ୍ଷା ନୀତି-୨୦୨୦ର ନୋଡାଲ ଅଫିସର ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କୁ ଆବାହକ ସଦସ୍ୟ ରଖାଯାଇଛି। ଏହି ଟାସ୍କଫୋର୍ସରେ ଏକ୍ସପର୍ଟ ସଦସ୍ୟ ଭାବେ ୟୁନିସେଫ, ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେଶନ, ଅକ୍ଷର ଫାଉଣ୍ଡେଶନ, ଲାଙ୍ଗୁଏଜ ଲର୍ନିଂ ଫାଉଣ୍ଡେଶନ, ପ୍ରଥମ ଅନୁଷ୍ଠାନର ପ୍ରତିନିଧିଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ମନୋନୀତ ସଦସ୍ୟ ମଧ୍ୟ ରହିବେ। ଏଥିସହ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଉପାଦାନକୁ ଅନୁଧ୍ୟାନ ପାଇଁ ୬ଟି ଥିମେଟିକ ସବ୍‌କମିଟି ମଧ୍ୟ ଗଠନ କରାଯାଇଛି। ଏହି ସବ୍‌କମିଟିରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ ସମେତ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞ ଓ ଶିକ୍ଷାବିତ୍‌ମାନଙ୍କୁ ସାମିଲ କରାଯାଇଛି।

Leave a Reply

Your email address will not be published. Required fields are marked *