କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୯୨.୪୪ପ୍ରତିଶତ, ଅର୍ଚ୍ଚିତା ସ୍ୱାଇଁ କଲେଜ ଟପ୍ପର

କେନ୍ଦ୍ରାପଡା,୩୦/୦୫/୨୦୨୬(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି । ଏଥିରେ +୩ ବିଜ୍ଞାନ ବିଭାଗର ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ରୀ ଅର୍ଚ୍ଚିତା ସ୍ୱାଇଁ କଲେଜ ଟପ୍ପର ହୋଇଛନ୍ତି । ସେହିପରି ଭୂଗୋଳ ସମ୍ମାନ ଛାତ୍ର ଶାନ୍ତନୁ କୁମାର ସାହୁ, କଳା ବିଭାଗରେ ଟପ୍ପର ହୋଇଥିବା ବେଳେ ବାଣିଜ୍ୟ ସମ୍ମାନ ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ବାଣିଜ୍ୟ ବିଭାଗର ଟପ୍ପର ହୋଇଛନ୍ତି । ବିଜ୍ଞାନ ବିଭାଗର ଛାତ୍ରୀ ଅର୍ଚ୍ଚିତା ୯.୬୯ ସି.ଜି.ପି.ଏ. ମାର୍କ ରଖିଥିବା ବେଳେ କଳା ବିଭାଗର ଛାତ୍ର ଶାନ୍ତନୁ ୯.୪୪ ସି.ଜି.ପି.ଏ. ଓ ବାଣିଜ୍ୟ ବିଭାଗ ଛାତ୍ରୀ ଲକ୍ଷ୍ମୀପ୍ରିୟା ୮.୮୧ ପ୍ରତିଶତ ମାର୍କ ରଖିଛନ୍ତି । ଏହି ୩ଜଣ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶାନ୍ତନୁ ଜେନା ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଚଳିତ ବର୍ଷ କଳାରେ ୯୩.୪୭ ପ୍ରତିଶତ, ବାଣିଜ୍ୟରେ ୯୧.୬ ପ୍ରତିଶତ ଓ ବିଜ୍ଞାନରେ ୯୨.୦୨ ପ୍ରତିଶତ ଛାତ୍ରଛାତ୍ରୀ ଉତିର୍ଣ୍ଣ ହୋଇଛନ୍ତି । କଳାରେ ୪୧୯ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିବା ବେଳେ ୩୮୩ଜଣ ପରୀକ୍ଷା ଦେଇଥିଲେ । ୩୫ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିଙ୍କସନରେ ୨୧୮ଜଣ, ପ୍ରଥମଶ୍ରେଣୀରେ ୮୪ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୫୬ଜଣ ପାସ କରିଥିବା ବେଳେ ମୋଟ ୩୫୮ଜଣ ପାସ କରିଛନ୍ତି ଓ ୨୫ଜଣ ଫେଲ ହୋଇଛନ୍ତି । ସେଥିମଧ୍ୟରୁ ୯୪ଜଣ ଛାତ୍ର ଥିବା ବେଳେ ୨୬୪ଜଣ ଛାତ୍ରୀ ଅଛନ୍ତି । ବିଜ୍ଞାନ ବିଭାଗରେ ୩୭୮ଜଣ ପଞ୍ଜିକୃତ ହୋଇଥିବା ବେଳେ ୩୫୧ଜଣ ପରୀକ୍ଷା ଦେଇଥିଲେ । ୨୭ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିଙ୍କସନରେ ୧୫୮ଜଣ, ପ୍ରଥମଶ୍ରେଣୀରେ ୧୨୯ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୩୬ଜଣ ପାସ କରିଥିବା ବେଳେ ମୋଟ ୩୨୩ଜଣ ପାସ କରିଛନ୍ତି ଏବଂ ୨୮ଜଣ ଫେଲ ହୋଇଛନ୍ତି ।

ସେଥିମଧ୍ୟରୁ ୧୬୦ଜଣ ଛାତ୍ର ଥିବା ବେଳେ ୧୬୩ଜଣ ଛାତ୍ରୀ ଅଛନ୍ତି । ସେହିଭଳି ବାଣିଜ୍ୟ ବିଭାଗରେ ୩୧୦ଜଣ ପଞ୍ଜିକୃତ ହୋଇଥିବା ବେଳେ ୨୯୯ଜଣ ପରୀକ୍ଷା ଦେଇଥିଲେ । ୧୧ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିଙ୍କସନରେ ୫୨ଜଣ, ପ୍ରଥମଶ୍ରେଣୀରେ ୧୦୪ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୧୧୮ଜଣ ପାସ କରିଥିବା ବେଳେ ମୋଟ ୨୭୪ଜଣ ପାସ କରିଛନ୍ତି ଓ ୨୫ଜଣ ଫେଲ ହୋଇଛନ୍ତି । ସେଥିମଧ୍ୟରୁ ୧୬୯ଜଣ ଛାତ୍ର ଥିବା ବେଳେ ୧୦୫ଜଣ ଛାତ୍ରୀ ଅଛନ୍ତି । କଲେଜର ମୋଟ ୧୧୦୭ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିବା ବେଳେ ମୋଟ୧୦୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ୯୫୫ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । କଲେଜର ପାସହାର ୯୨.୪୪ ପ୍ରତିଶତ ହୋଇଥିବା ବେଳେ ସେଥିମଧ୍ୟରୁ ୪୨୩ଜଣ ଛାତ୍ର ଥିବା ବେଳେ ୫୩୨ଜଣ ଛାତ୍ରୀ ଅଛନ୍ତି ।

ଏହି ପରୀକ୍ଷା ଫଳ ପୁସ୍ତିକା ଉନ୍ନୋଚନ ଓ ସମ୍ବର୍ଦ୍ଧନା ଉତ୍ସବରେ କଲେଜ ଅଧ୍ୟକ୍ଷ ଶ୍ରୀ ଜେନାଙ୍କ ସମେତ ପ୍ରାଧ୍ୟାପକ ରମାନାଥ ମହାନ୍ତି, ଡ. ଗୈାର ପ୍ରସାଦ ଷଡଙ୍ଗୀ, ଡ. ଗୌତମ ଚରଣ ଦାସ, ଅଧ୍ୟାପକ ରଞ୍ଜିତ ଦାସ, ମନୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବିଗତ ୨୦୨୬ ରେ କଲେଜର ମୋଟ ପାସହାର ୯୨.୬୯ ପ୍ରତିଶତ ହୋଇଥିବା ବେଳେ କଳାରେ ମୋଟ ୯୩.୫୧ ପ୍ରତିଶତ, ବିଜ୍ଞାନରେ ୯୨.୧୭ ପ୍ରତିଶତ ଓ ବାଣିଜ୍ୟରେ ୯୧.୮୮ ପ୍ରତିଶତ ପାସହାର ଥିଲା । ଚଳିତ ବର୍ଷ କଲେଜର ପାସହାର ହ୍ରାସ ପାଇଥିବା ଦେଖାଯାଇଛିି ।

Leave a Reply

Your email address will not be published. Required fields are marked *