ବିକଶିତ ସମାଜ ଗଠନରେ ସାମ୍ବାଦିକଙ୍କର ଗୁରୁ ଦାୟିତ୍ୱ ରହିଛି’

ସୁନୀତିଙ୍କୁ କଳାହାଣ୍ଡି ସାମ୍ବାଦିକା ରତ୍ନ ସମ୍ମାନ

ଜୁନାଗଡ଼, ୦୫/୧୨/୨୦୨୩ (ଓଡ଼ିଶା ସମାଚାର)- ସ୍ଥାନୀୟ ଆରଏମସି ନୂଆ ମାର୍କେଟ ପରିସରରେ ରବିବାର କଳାହାଣ୍ଡି ସାମ୍ବାଦିକ ସଂଘର ବାର୍ଷିକୋତ୍ସବ ତଥା ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସଂଘର ଜିଲ୍ଲା ସଭାପତି ମହମ୍ମଦ ଅଲ୍ଲୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇଥିଲେ । ସଂଘର ରାଜ୍ୟ ସଭାପତି କୈଳାଶ ନାୟକଙ୍କ ଉପସ୍ଥିତିରେ ଡ ସୁନୀତି ମୁଣ୍ଡ୍‌ ଙ୍କୁ ସାମ୍ବାଦିକ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ସୁନୀତି କଳାହାଣ୍ଡିରେ ଦୀର୍ଘ ୩୦ ବର୍ଷ ପୂର୍ବରୁ ସାମ୍ବାଦିକତା ଆରମ୍ଭ କରିଥିଲେ । ପ୍ରଥମେ ସେ ପ୍ରଜାତନ୍ତ୍ର ସାପ୍ତାହିକରେ କଳାହାଣ୍ଡିର ଅନେକ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହିତ ସ୍ଥାନୀୟ କଳାକାରମାନଙ୍କୁ ଜିଲ୍ଲା ବାହାରେ ପରିଚିତି ଦେଇଥିଲେ । ପରେପରେ ସେ ପ୍ରଗତିବାଦୀର ଜିଲ୍ଲା ପ୍ରତିନିଧି ଭାବେ ଯୋଗ ଦେଇ ପ୍ରତ୍ୟହ କଳାହାଣ୍ଡିର ଅନେକ ସମସ୍ୟା ଓ ତା’ର ସମାଧାନ ଦିଗରେ କାମ କରି କଳାହାଣ୍ଡିକୁ ବିକାଶର ଧାରାରେ ସାମିଲ କରିବା ଦିଗରେ ନିରନ୍ତର ପ୍ରୟତ୍ନ କରିଥିଲେ । ପରବର୍ତ୍ତୀ ସମୟରେ ସେ ଧରିତ୍ରୀରେ ଭୁବନେଶ୍ୱର କାର୍ଯ୍ୟାଳୟରେ ସହସଂପାଦିକା ଭାବେ ଯୋଗ ଦେଇଥିଲେ । ଭୁବନେଶ୍ୱରରେ ରହି ମଧ୍ୟ ସେ ଅବିଭକ୍ତ କଳାହାଣ୍ଡି ପାଇଁ ଅନବରତ କାର୍ଯ୍ୟ କରୁଥିଲେ । ଏପରିକି ସେ ସାମ୍ବାଦିକତାର ଅଭିଜ୍ଞତାକୁ ନିଜ ସାହିତ୍ୟ ମଧ୍ୟରେ ବି ସନି୍ନହିତ କରି ଜିଲ୍ଲାର ବିକାଶ ଏବଂ ପ୍ରଗତିର ଧାରାକୁ ବଳବତର କରିବାକୁ ସର୍ବଦା ପ୍ରଚେଷ୍ଟା କରିଆସୁଥିଲେ । ତାଙ୍କର ଏତାଦୃଶ ସାଧନାକୁ କଳାହାଣ୍ଡି ସମ୍ବାଦିକ ସଂଘ ସମ୍ମାନିତ କରିଛି । ଏହି ଅବସରରେ ସୁନୀତି ତାଙ୍କ ବକ୍ତବ୍ୟରେ କହିଛନ୍ତି, “କଳାହାଣ୍ଡି ମାଟି ମୋତେ ଜନ୍ମ ଦେବା ସହିତ ଶିକ୍ଷା ଦୀକ୍ଷା ଦେଇଛି, କଲମ ଧରାଇଛି, କ୍ୟାମେରାରେ ସତ୍ୟତା ଦେଖାଇବାର ସାହସ ଦେଇଛି ।  ନିଜ ଅନୁଭୂତି ବଖାଣିବା ସହିତ ସାମ୍ବାଦିକତା କେମିତି ତାଙ୍କୁ ଧୈର୍ଯ୍ୟ ଶାଳୀନତା ଶିଖାଇଛି ତାହା ମଧ୍ୟ ସେ କହିଥିଲେ । ସେ କହିଥିଲେ, ଆଜି କଳାହାଣ୍ଡିର ପ୍ରଥମ ମହିଳା ସାମ୍ବାଦିକ ଭାବରେ ମୋତେ ସମ୍ମାନିତ କରାଯାଇଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି । ସାମ୍ବାଦିକତା ଏଭଳି ଏକ ବୃତ୍ତି ଯେଉଁଥିରେ ଜଣେ ସାମ୍ବାଦିକ କେବେ ପ୍ରଶଂସା ଓ ସମ୍ମାନ ପଛରେ ନଗୋଡାଇ ତା’ର କର୍ତବ୍ୟ ସମ୍ପାଦନ କରିଥାଏ । ସେ ଦେଉଥିବା ରିପୋର୍ଟ ପ୍ରକାଶନ ଅଥବା ପ୍ରସାରଣ ହେଲେ ତାକୁ ଆତ୍ୱତୃପ୍ତି ମିଳେ । ତାହା ହିଁ ତା’ ପାଇଁ ସବୁଠାରୁ ବଡ଼ ସମ୍ମାନ ବୋଲି ସେ ବିଚାର କରେ । ନାରଦ ହେଉଛନ୍ତି ଆଦ୍ୟ ସାମ୍ବାଦିକ । ଯିଏ ତିନି ଲୋକ ଭିତରେ ଖବର ସଂଗ୍ରହ ଠାରୁ ପହଂଚାଇବା କାର୍ଯ୍ୟ କରୁଥିଲେ । ଏବେ ସାମ୍ବାଦିକଙ୍କ ବୃତ୍ତି ସମ୍ପାଦନ ପାଇଁ ଅନେକ ସାଧନ ଉପଲବ୍ଧ । ମିନିଟକ ଭିତରେ ବିଶ୍ୱର ଗୋଟିଏ କୋଣରେ ଘଟୁଥିବା ଖବର ଅନ୍ୟ କୋଣରେ ପହଂଚିପାରୁଛି । ତାହା ସତ୍ୱେ ଆମେ ଆମ ବୃତ୍ତିରେ କେତେ ନୀତିନିଷ୍ଠ ଭାବରେ କାର୍ଯ୍ୟ କରୁଛେ ତାହା ଆତ୍ମ ସମୀକ୍ଷା କରିବା କଥା । ଜଣେ ସାମ୍ବାଦିକ ଚାହିଲେ ସମାଜରେ ଅନେକ ସକାରାତ୍ମକ ପରିବର୍ତନ ଆଣିପାରିବେ । ସେ ବି ସାଧାରଣ ଲୋକଙ୍କୁ ଭୁଲ ତଥ୍ୟ ଦେଇ ଅସ୍ଥିରତା ସୃଷ୍ଟି କରିପାରନ୍ତି । ସମାଜର ଅନେକ ଦୋଷ ଦୁର୍ବଳତା ସମସ୍ୟା ସାମ୍ବାଦିକମାନେ ଲୋକଲୋଚନକୁ ଆଣିବାରେ ମୁଖ୍ୟ ଭୂମିକା ନେଇଥାନ୍ତି । କହିବାକୁ ଗଲେ ଏକ ସୁସ୍ଥ ଓ ବିକଶିତ ସମାଜ ଗଠନରେ ସାମ୍ବାଦିକଙ୍କ ଗୁରୁଦାୟିତ୍ୱ ଓ ଭୂମିକା ରହିଛି । ଆମ ଜିଲ୍ଲା କଳାହାଣ୍ଡି ଏକ ପଛୁଆ ଓ ଦରିଦ୍ର ଜିଲ୍ଲା ଭାବରେ ପରିଚିତ । ଜିଲ୍ଲାର ସମସ୍ୟା ସାମ୍ବାଦିକମାନେ ହିଁ ସର୍ବସମ୍ମୁଖକୁ ଆଣୁଛନ୍ତି । ତେବେ ସେମାନଙ୍କୁ ଏ କ୍ଷେତ୍ରରେ ଟିକେ ଅଧିକ ଦାୟିତ୍ୱ ସମ୍ପନ୍ନ ଓ ନିଷ୍ଠାର ସହିତ ଦାୟିତ୍ୱ ତୁଲାଇବାକୁ ହେବ ବୋଲି ମୁଁ ବ୍ୟକ୍ତିଗତ ଭାବରେ ଜଣେ ସାମ୍ବାଦିକ ଭାବରେ ମନେ କରୁଛି । ସାମ୍ବାଦିକମାନେ ନିରବଚ୍ଛିନ୍ନ ଭାବରେ ଜିଲ୍ଲା ସମସ୍ୟାକୁ ନେଇ କଲମ ଚାଳନା କଲେ ନିଶ୍ଚିତ ଭାବରେ ଅନେକ ସମସ୍ୟାର ସମାଧାନ ହୋଇପାରିବ । କାରଣ ଅସି ଠାରୁ ମସି ଶକ୍ତିଶାଳୀ ଏକଥା ବହୁବାର ପ୍ରତିପାଦିତ ହୋଇସାରିଛି ।”

ଏହି ଅବସରରେ ଓଡିଶାର କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନ ବିହାରି ସାହୁ, ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା, ଜାତୀୟ କାର୍ଯ୍ୟକାରୀଣୀ ସଦସ୍ୟ ଚିନ୍ତାମଣି ପାଢ଼ି, ବଲାଙ୍ଗୀର ଜିଲ୍ଲା ସଭାପତି ଶିବ ନାରାୟଣ ଗଉଡ଼, ନୂଆପଡ଼ା ଜିଲା ସଭାପତି ଘନଶ୍ୟାମ ଭୋଇ ତଥା ଦୁଇଶହରୁ ଅଧିକ ସାମ୍ବାଦିକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସଂଗଠନକୁ ସୁଦୃଢ଼ କରିବା ସହିତ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ଶେଷରେ ସଂଘର ସଂପାଦକ ଦୁଷ୍ମନ୍ତ ପଣ୍ଡା ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *