ପୁରୀ ଜିଲ୍ଲା କଣାସ ବ୍ଲକରେ ଡ଼ାଇରିଆ (ADD) ପ୍ରାଦୁର୍ଭାବର ସ୍ଥିତି ଓ ବିଭାଗୀୟ ପଦକ୍ଷେପ

ଭୁବନେଶ୍ୱର,୨୧/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୁରୀ ଜିଲ୍ଲାର କଣାସ ବ୍ଲକରେ ଡାଇରିଆ ରୋଗ (Acute Diarrheal Disease)ର ପ୍ରାଦୁର୍ଭାବ ଦେଖାଦେଇଛି। ଏହା ପ୍ରଥମେ ୧୨ ଜାନୁଆରୀ ୨୦୨୫ ତାରିଖରେ  ଜାଗୁଲେଇପଦର ଗ୍ରାମରୁ ଆରମ୍ଭ ହୋଇଥିଲା ଏବଂ ଧୀରେ ଧୀରେ ଦୟାନଦୀ କୂଳର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଯଥା ନୁଆଁ ଗାଁ, ଗୋପୀନାଥପୁର, ପାଇକମରା, କଳାପଦର, ନଈକୁଳପାଟଣା, ନୂଆ ଦୋକନ୍ଦା ଇତ୍ୟାଦି ଗାଁକୁ ବ୍ୟାପିଥିଲା। ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ମୋଟ ୮୩ ଜଣ ଡ଼ାଇରିଆରେ ପ୍ରଭାବିତ ହୋଇଛନ୍ତି ଏବଂ ସମସ୍ତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୭୬ ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି ।

ରାଜ୍ୟ ୟୁନିଟର ତ୍ୱରିତ କାର୍ଯ୍ୟାନୁଷ୍ଠାନ

ରାଜ୍ୟ ପର୍ଯ୍ୟବେକ୍ଷଣ ୟୁନିଟ୍ (SSU) ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ପ୍ରତିରୋଧକ ପଦକ୍ଷେପ ସମ୍ପର୍କରେ ମାର୍ଗଦର୍ଶନ ହେଇଛନ୍ତି, ଯେଉଁଥିରେ ସକ୍ରିୟ ପର୍ଯ୍ୟବେକ୍ଷଣ, ଜୀବାଣୁମୁକ୍ତିକରଣ ଏବଂ ସମୟୋଚିତ ଚିକିତ୍ସା ଅନ୍ତର୍ଭୁକ୍ତ ଅଟେ ।

ରାଜ୍ୟ ୟୁନିଟର IDSP ଦଳ  ଅତିରିକ୍ତ ନିର୍ଦ୍ଦେଶକ (ଜନସ୍ୱାସ୍ଥ୍ୟ)ଙ୍କ ନେତୃତ୍ୱରେ ପରିସ୍ଥିତି ବିଶ୍ଳେଷଣ ଏବଂ ପ୍ରକୋପ ମୂଲ୍ୟାୟନ ପାଇଁ ପ୍ରଭାବିତ ଗ୍ରାମଗୁଡ଼ିକୁ ଦୁଇଥର ପରିଦର୍ଶନ କରିସାରିଛନ୍ତି। ସେମାନେ ଲ୍ୟାବ ପରୀକ୍ଷା ଦ୍ୱାରା କାରକ ଚିହ୍ନଟ ପାଇଁ ରେକ୍ଟାଲ ସ୍ୱାବ୍ ଏବଂ ପାଣି ନମୁନା ସଂଗ୍ରହ କରିଥିଲେ ।

ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ମଧ୍ୟ ଆବଶ୍ୟକୀୟ ସହାୟତା ଏବଂ ଡ଼ାଇରିଆ ବ୍ୟାପିବା ସମ୍ପର୍କିତ ତଦନ୍ତ ପାଇଁ ଏକ ଦଳ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲା ଦଳର ସମୁଚିତ ପଦକ୍ଷେପ

ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗକୁ ଚିହ୍ନଟ କରି ଏହାର ପ୍ରଶମନକୁ ରୋକିବା ପାଇଁ ଏହି ଦଳ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ତିନି ଜଣ ସଦସ୍ୟ ବିଶିଷ୍ଟ ବାରଟି ଦଳ ଘର ଘର ବୁଲି ସର୍ଭେ କରୁଛନ୍ତି, ଛୋଟମୋଟ ରୋଗର ଚିକିତ୍ସା କରିବା ସହିତ ଜନସାଧାରଣଙ୍କୁ ORS, ହାଲୋଜେନ୍ ଟାବଲେଟ୍ ଏବଂ କଣ୍ଟାକଟ ଡୋଜ୍ ଦେଉଛନ୍ତି । ଜାଗୁଲେଇପଦର ଏବଂ ନୁଆଁ ଗାଁରେ ଦୁଇଟି ଆମ୍ବୁଲାନ୍ସ ଏବଂ ବିଶେଷଜ୍ଞମାନଙ୍କୁ କଣାସରେ ଚିକିତ୍ସା ସହାୟତା ପାଇଁ ମୁତୟନ କରାଯାଇଛି । ଜାଗୁଲେଇପଦର, ନୁଆଁ ଗାଁର ଚିକିତ୍ସା ଶିବିର ଏବଂ  ଗଡିସଗଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ୱାସ୍ଥ୍ୟ କର୍ମୀମାନେ ରୋଗୀମାନଙ୍କୁ ଦିନରାତି ସେବା ପ୍ରଦାନ କରୁଛନ୍ତି । ରୋଗୀ ଏବଂ ତାଙ୍କ ସଂସ୍ପର୍ଶରେ ଥିବା ଲୋକଙ୍କୁ ପ୍ରତିରୋଧକ ରୂପେ ଡକ୍ସିସାଇକ୍ଲିନ୍ ଦିଆଯାଉଛି। ଜଳ ଏବଂ ରେକ୍ଟାଲ ସ୍ୱାବ୍ ବିଶ୍ଳେଷଣପାଇଁ ଲ୍ୟାବକୁ ପଠାଯାଇଛି,୮୮ ଟି ନଳକୂପକୁ କ୍ଲୋରିନେଟ୍ କରାଯାଇଛି, ଅବଶିଷ୍ଟ କୂପଗୁଡ଼ିକୁ ୪୮ ଘଣ୍ଟା ମଧ୍ୟରେ କ୍ଲୋରିନେଟ୍ କରାଯିବ। ପାନୀୟ ଜଳ ଯୋଗାଣ କରୁଥିବା ପାଣି ଟ୍ୟାଙ୍କର୍ ସଂଖ୍ୟାକୁ ୧୮ ରୁ ୨୬ କୁ ବୃଦ୍ଧି କରାଯାଇଛି ।   ଦୟାନଦୀର ସୁପର କ୍ଲୋରିନେସନ୍ କରାଗଲା ପରେ ନରାଜ ବ୍ୟାରେଜ୍ ଉନ୍ମୁକ୍ତ କରାଯାଇଥିଲା । ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ଏବଂ ସ୍ବେଛାସେବୀ ସଂସ୍ଥାମାନେ ନଦୀକୂଳ ସଫା, ମୃତଦେହ ହଟାଇବା,

ଏବଂ ଅଳିଆଆବର୍ଜନାର ପରିଚାଳନା କରୁଛନ୍ତି। ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଏକ ଦଳ ଏହି ମହାମାରୀ ବ୍ୟାପିବା ଉପରେ ତଦନ୍ତ କରୁଛନ୍ତି।

ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ମହାମାରୀକୁ ନିୟନ୍ତ୍ରଣ କରିବା ଏବଂ ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସମୁଚିତ ପଦକ୍ଷେପ ନିଆଯାଉଛି ।

Leave a Reply

Your email address will not be published. Required fields are marked *