କେନ୍ଦ୍ରାପଡ଼ା,୦୭/୦୪/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ଗ୍ରାମପଂଚାୟତର ଜଗନ୍ନାଥପୁର-ପାରାଚକ ଠାରେ ୭୨ତମ ବାର୍ଷିକ ମା’ବାସନ୍ତୀକ ଦୂର୍ଗାଦେବୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ଉପଲକ୍ଷେ ଗୁରୁବାର ଦେବୀଙ୍କ ଷଷ୍ଠାଦି କଳ୍ପାରମ୍ଭ, ବିଲ୍ୱାଧିବାସ,ବୋଧନ, ଦେବୀ ଆମନ୍ତ୍ରଣ ଓ ଘୃତାହୂତି କରାଯାଇଥିବା ବେଳେ ଶୁକ୍ରବାର ଶତକଳସ ଯାତ୍ରା, ଘଟନିମର୍ଜନ, ଜଳାଭିଷେକ, ନବପତ୍ରିକା ଦୋଳାରୋହଣ, ଶୋଭାଯାତ୍ରା, ନଗର ପରିକ୍ରମା, ମହାସ୍ନାନ, ସହସ୍ରଧାରା ସ୍ନାନ, ଘଟ କଳସ ଓ ନବପତ୍ରିକା ମନ୍ଦିର ପ୍ରବେଶ ପରେ ଦେବୀଙ୍କ ମହାସପ୍ତମୀ ବିହିତ ପୂଜାରମ୍ଭ, ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜା, ଚକ୍ଷୁଦାନ ପରେ ପ୍ରାଣ ପ୍ରତିଷ୍ଠା କରାଯାଇ ଷୋଡଶ ଉପଚାର ପୂଜା କରାଯାଇଥିଲା ।
ପରେ ଶ୍ରୀଚଣ୍ଡୀ ପାଠ, ଘୃତାହୂତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ଶନିବାର ମହାଷ୍ଟମୀ ଜନିତ ବିହିତ ପୂଜାରମ୍ଭ, ଷୋଡଶ ଉପଚାର ପୂଜା ପରେ ଶ୍ରୀଚଣ୍ଡୀ ପାଠ, ଘୃତାହୂତି ଓ ପୁଷ୍ପାଞ୍ଜଳି ଅର୍ପଣ ପରେ ସନ୍ଧିବଳି ପ୍ରେକ୍ଷଣ ପରେ ଅଷ୍ଟୋତର ଶତ ଦୀପ ଉତ୍ସର୍ଗ ଓ ଝୁଣାଦାନ କରାଯାଇଥିଲା । ରବିବାର ମହାନବମୀ ଜନିତ ବିହିତ ପୂଜା ପରେ ଚଣ୍ଡିପାଠ, ନବକୁମାରୀ ପୂଜା, ଅଷ୍ଟୋତର ଶତ ଦୀପ ଉତ୍ସର୍ଗ, ଗୀତାହୂତି,ଚଣ୍ଡିଆହୂତି,ପୂର୍ଣ୍ଣାହୂତି ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା ।
ସୋମବାର ମା’ବାସନ୍ତୀକ ବିଜୟାଦଶମୀରେ ଅପରାଜିତା ପୂଜା, ଉରପୂଜନ, ସମୂହ ପୁଷ୍ପାଞ୍ଜଳି, ପୂର୍ଣ୍ଣ ଆଳତି, ବଳୟଧାରଣ, ଆଳତୀ ଓ ସିନ୍ଦୁର ଲାଗି, ସପ୍ତଦୀପ ବନ୍ଦାପନା, ଦେବୀଙ୍କ ପୁନଃ ଆଗମନ ପାଇଁ ମେଲାଣୀ, ଘଟ କଳସ ଓ ନବ ପତ୍ରିକା ବିସର୍ଜନ କରାଯାଇଥିଲା । ସେହିଭଳି ନୃତ୍ୟସଂଗୀତ ଆସର, ପରିବ୍ରାଜକ ପ୍ରମୋଦ କୁମାର ପୃଷ୍ଟିଙ୍କ ଦ୍ୱାରା ପ୍ରବଚନ, ମ୍ୟାଜିକସିଆନ ଜେ.ପି.କ୍ରିଷ୍ଣାଙ୍କ ଦ୍ୱାରା ମ୍ୟାଜିକ ସୋ, ବାସନ୍ତୀ ଜ୍ୟୋତି ସମ୍ମାନ ସମ୍ବର୍ଦ୍ଧନା ସଭା, ମହିଷାସୁର ପୋଡି ଓ ଅପେରା ରାଜମହଲ ପକ୍ଷରୁ ଅପେରା ପରିବେଷଣ କରାଯାଇଥିଲା ।
