ପ୍ରଭାବଶାଳୀ ବ୍ୟକ୍ତି ଙ୍କ କବଜାରେ ଦେବୋତ୍ତର ଜମି

ଅଧିକାରୀ ଙ୍କ ଭୂମିକା ସନ୍ଦେହ ଘେରରେ

ଭୁବନ, ୭/୮/୨୦୨୪ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅଧିନରେ ବ୍ୟାପକ ଦେବୋତ୍ତର ଜମି ଥିବା ବେଳେ ଅଧିକାରୀ ଙ୍କ ଦୁର୍ନୀତି,ପ୍ରୀୟପ୍ରିତି ଓ ବଟିଖିଆ ନୀତି ଯୋଗୁଁ ଅଧିକାଂଶ ଜମି ପ୍ରଭାବଶାଳୀ ବ୍ୟକ୍ତି ଓ ଶିଳ୍ପପତି ଙ୍କ କବଜାରେ ରହିଥିବା ଅଭିଯୋଗ ହୋଇଛି । ଭୁବନ ଟୋଲଙ୍କବେରେଣି ମୌଜା ର ଅଧିବାସୀ ଦେବେନ୍ଦ୍ର ପୃଷ୍ଟି,ବିନୋଦିନୀ ସାହୁ,ଝରଣା ପୋଥାଳ,ସବିତା ବେହେରା,ପୁରୁଷୋତ୍ତମ ବେହେରା ,ପ୍ରଦୀପ ପୃଷ୍ଟି,ଗୌରାଙ୍ଗ ବିହାରୀ, କୈଳାଶ ଚନ୍ଦ୍ର ସାହୁ, ସନ୍ତୋଷ ବିହାରୀ,ଶକ୍ତି କାନ୍ତ ନନ୍ଦ,ରଘୁନାଥ ବେହେରା, ଚିନ୍ମୟ ରାଉତ, ବିକାଶ ବନ,ଟିକି ବନ, ହିମେଶ ସାହୁ ପ୍ରମୁଖ ଢେ଼ଙ୍କାନାଳ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ,ପ୍ରଧାନମନ୍ତ୍ରୀ, ରାଷ୍ଟପତି ଙ୍କ ନିକଟକୁ  ପ୍ରେରଣ କରିଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଯେ , ଭୁବନ ତହସିଲ ଅନ୍ତର୍ଗତ ଟୋଲଙ୍କ ବେରେଣି ମୌଜା ଖାତା ନମ୍ବର ୨୨୩ ରେ  ଶ୍ରୀ ଶ୍ରୀ ମଦନ ମୋହନ ଜିୟୁ ବିଜେ , ପୃଷ୍ଟି ପାଟଣା , ସେବାୟତ ଓଡ଼ିଶା ସରକାର, ମାର୍ଫତ ଦେବୋତ୍ତର ଅଧିକାରୀ ,ଢେ଼ଙ୍କାନାଳ ଙ୍କ ନାମରେ ସମୁଦାୟ ୪୫ ଟି ପ୍ଲଟ ରେ ମୋଟ ୬ ଏକର ୮୪୩୦ ଡେସିମିଲ ଜମି ରହିଛି । ଏହି ଜମି ମଧ୍ୟରୁ ସିଂହଭାଗ ଜମି ଜନୈକ ପ୍ରଭାବଶାଳୀ ,ଶିଳ୍ପପତି ( କୋଟିପତି )ବ୍ୟକ୍ତି ଙ୍କ କବଜାରେ ରହିଛି ସଂପୃକ୍ତ ବ୍ୟକ୍ତି ଜଣକ ଜିଲ୍ଲା ଦେବୋତ୍ତର ଅଧିକାରୀ ଙ୍କୁ କରାୟତ କରି କୌଶଳ କ୍ରମେ ଖାତା ନମ୍ୱର ୨୨୩ ରୁ ୬ ଟି ପ୍ଲଟ ର ମୋଟ ୧ ଏକର ୪୫୯ ଡେସିମିଲ ଜମି ନିଜ ପରିବାର ବ୍ୟକ୍ତିଙ୍କ ନାମରେ ପଟ୍ଟା କରିନେଇଛନ୍ତି ।

ଖାତା ନମ୍ୱର ୨୨୩ ର ଅନ୍ୟ ପ୍ଲଟ/ ଜମିରେ ଦୀର୍ଘଦିନ ହେଲା ବସବାସ କରୁଥିବା ବ୍ୟକ୍ତି ଙ୍କ ଜାଗା ଉପରକୁ ଉଦ୍ଦେଶ୍ୟ ମୂଳକ ଭାବେ ମଇଳା ପାଣି ଛାଡିବା, ମାଡ଼ ମାରିବା, ଅଳିଆ ଆବର୍ଜନା ପକାଇ ଏହି ଜାଗା ଛାଡି ଦେବାକୁ ଧମକ ଦେଉଛନ୍ତି । ଦେବୋତ୍ତର ଅଧିକାରୀ ଙ୍କ ନିକଟରେ ଚୁଗୁଲାମୀ କରି ବାରମ୍ବାର ଉଚ୍ଛେଦ ନୋଟିସ ଲଗାଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜିଲ୍ଲା ଦେବୋତ୍ତର ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ସେ ମହାଶୟ କୌଣସି ପ୍ରତିକାର / ପଦକ୍ଷେପ ନେଉନାହାନ୍ତି । ପଞ୍ଚାୟତିରାଜ ଓ ଗ୍ରାମୀଣ ଜଳ ଯୋଗାଣ ବିଭାଗ ଅଣ୍ଡର ସେକ୍ରେଟାରୀ ବସନ୍ତ କୁମାର ସିଂହ,ଢେ଼ଙ୍କାନାଳ ଜିଲ୍ଲା ଉନ୍ନୟନ ଅଧିକାରୀ/ପ୍ରକଳ୍ପ ନିର୍ଦ୍ଦେଶକ ଙ୍କୁ ଚିଠି ନଂ ୧୪୩୫୮ ଟା ୩.୭.୨୦୨୪ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜାନାରେ ଦେବୋତ୍ତର ଜମି ହିତାଧିକାରୀଙ୍କୁ ସାମିଲ କରିବାକୁ ଜଣାଇଥିଲା ବେଳେ ଏହି ନିର୍ଦ୍ଦେଶ କୁ କାର୍ଯ୍ୟକାରୀ କରିବା  ବଦଳରେ ଚିଠି ନଂ ୧୬୬୨, ୧୬୬୫, ୧୬୬୮, ୧୬୭୧ ରେ ମନ ଗଢା ମିଛ କାରଣ ଦର୍ଶାଇ ତା ୨୪.୭.୨୦୨୪ ରେ ଉପରୋକ୍ତ ବ୍ୟକ୍ତି ମାନଙ୍କୁ ଜୁଲାଇ ୩୦ ତାରିଖ ସୁଦ୍ଧା ସେମାନଙ୍କ ଜାଗା ଛାଡି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।    ପ୍ରଭାବଶାଳୀ ବ୍ୟକ୍ତି ଙ୍କ ନାମରେ ଗୋଟେ ଏକର ରୁ ଉର୍ଦ୍ଧ୍ବ ଜମି ପଟ୍ଟା କରାଯାଇଥିବା ବେଳେ ଗରିବ,ଅସହାୟ, ନିସହାୟ ବ୍ୟକ୍ତି ଙ୍କ ନାମରେ ଗୁଣ୍ଠିକିଆ ପଟ୍ଟା ଦିଆଯାଉନାହିଁ । ଫଳରେ ଏନେଇ ବିବାଦ ଦିନକୁ ଦିନ ବୃଢ଼ିପାଇବାରେ ଲାଗିଛି । ବର୍ଷ ବର୍ଷ ଧରି ସଞ୍ଜା/ ପାଉତି ଦେଉଥିବା ଉପରୋକ୍ତ ବ୍ୟକ୍ତି ମାନେ ବଜାର ଦର ଅନୁଯାୟୀ ପାଉଣା ଦେଇ ନିଜ ନାମରେ ଜମି ପଟ୍ଟା କରିବାକୁ ଚାହୁଁଥିବା ବେଳେ ଦେବୋତ୍ତର ଅଧିକାରୀ କରାଇ ନଦେଇ ଜାଗା ଛାଡି ଦେବାକୁ ତାଗିଦ୍ କରୁଛନ୍ତି । ଏହି ବ୍ୟକ୍ତିମାନେ ଜାଗା ଛାଡି ଦେଲେ ଦେବୋତ୍ତର ଅଧିକାରୀ ସେହି ଜାଗାକୁ ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତି ଙ୍କ ନାମରେ କରିଦେବାକୁ  ଯୋଜନା କରୁଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟା ସମାଧାନ ନକଲେ ଏହାକୁ ନେଇ ଭୁବନ ରେ ଜନ ଆନ୍ଦୋଳନ ହେବାର ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *