ଭୁବନେଶ୍ୱର, ୬/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆମେରିକାର କନସୁଲେଟ୍ ଜେନେରାଲ୍ ମିସ ଜେନିଫର ଲାର୍ସନ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା କରିଛନ୍ତି । ପ୍ରାରମ୍ଭରେ ନୂତନ ସରକାର ଗଠନ ନେଇ ମିସ୍ ଲାର୍ସନ ଅଭିବାଦନ ଜଣାଇଥିଲେ । ବୈଠକରେ ଶ୍ରୀ ସିଂହଦେଓ ଓଡ଼ିଶାର ଭୌଗୋଳିକ ଅବସ୍ଥିତି, ଖଣିଜ ସମ୍ପଦ, ଉର୍ବର ମାଟି ଓ ବିସ୍ତିର୍ଣ୍ଣ ବେଳାଭୂମି ବିଷୟରେ ମିସ ଲାର୍ସନ୍ଙ୍କୁ ଅବଗତ କରାଇଥିଲେ । ଓଡ଼ିଶାର ଏହି ପ୍ରାକୃତିକ ସମ୍ପଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସଙ୍ଗେ ସଙ୍ଗେ ବିଦେଶୀ ନିବେଶକଙ୍କୁ ମଧ୍ୟ ନିବେଶ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ । ରାଜ୍ୟର ସଂସ୍କୃତି, ଐତିହ୍ୟ ଏବଂ ଜୈବବିବିଧତାସମୃଦ୍ଧ ସ୍ଥାନରେ ପର୍ଯ୍ୟଟନ ସମ୍ଭାବନାର ଅଭିବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।
ରାଜ୍ୟରେ ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ ଥିବାରୁ ସମୁଦ୍ରକୂଳକୁ ଗନ୍ତବ୍ୟସ୍ଥଳ ଓ ପରିବହନର ମାର୍ଗ ରୂପେ ପ୍ରତିଷ୍ଠା କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ । ଏହା ପାଇଁ ଚଳିତ ବର୍ଷ ବଜେଟ୍ ରେ ମଧ୍ୟ କେନ୍ଦ୍ର ଅର୍ଥ ମନ୍ତ୍ରୀ ବିଶେଷ ରୂପେ ବ୍ୟୟ ବରାଦ କରିଛନ୍ତି । ଅନୁରୂପ ଭାବରେ, ବିଜୁଳି ଓ ଶକ୍ତି କ୍ଷେତ୍ରରେ ସୌର ଉର୍ଜାର ବ୍ୟବହାରକୁ ସରକାର ଅଧିକ ପ୍ରାଧାନ୍ୟ ଦେବା ସହ ବ୍ୟବହାର ଓ ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରୁଛନ୍ତି । ଓଡ଼ିଶାର ଖାଦ୍ୟ ଉତ୍ପାଦନ ଓ ଏହାର ପ୍ରକ୍ରିୟାକରଣ, ରପ୍ତାନି, ସୂଚନା ଓ ପ୍ରଯୁକ୍ତି, ବୟନ ଶିଳ୍ପ, ଶିଳ୍ପ ପ୍ରତିଷ୍ଠାନ ଭଳି କ୍ଷେତ୍ରରେ ନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଶିଳ୍ପସଂସ୍ଥାମାନେ ନିବେଶ କରିବା ପାଇଁ ଏହାର ସୁଯୋଗ ନେଇପାରିବେ । ବିଦେଶୀ ପର୍ଯ୍ୟଟକ ଓ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ନିରନ୍ତର ଭିତ୍ତିଭୂମି ବିକାଶ, ନୂତନ ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି, ବିନିଯୋଗ ଉପଯୋଗୀ ଲ୍ୟାଣ୍ଡ ସର୍ଭେ, ସରକାରଙ୍କ ପ୍ରୋତ୍ସାହନ ନୀତି ଏବଂ ଯୋଜନାଭିତ୍ତିକ ନିବେଶକ ଇତ୍ୟାଦି ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂହଦେଓ କହିଥିଲେ । ଏହା ଦ୍ୱାରା ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ସହିତ ଜଡ଼ିତ କ୍ଷେତ୍ରଗୁଡିକର ବିକାଶ ହେବ ଏବଂ ଯୋଗ୍ୟ ମାନବସମ୍ବଳ ସୃଷ୍ଟି ହେବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ ।
ବୈଠକ ଶେଷରେ ମିସ ଲାର୍ସନ୍ ଶ୍ରୀ ସିଂହଦେଓଙ୍କୁ ଆମେରିକାର ସମସ୍ତ ନ୍ୟାସନାଲ ପାର୍କ ସମ୍ବନ୍ଧରେ ଉଲ୍ଲେଖ ଥିବା ଏକ ପୁସ୍ତକ ପ୍ରଦାନ କରିଥିଲେ ଏବଂ ଆମେରିକା ଓ ଓଡ଼ିଶା ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମିସ ଲାର୍ସନ୍ ପୂର୍ବରୁ ନେପାଳ, ଭୁଟାନ, ମାଳଦ୍ୱୀପ, ବାଂଲାଦେଶ ପାଇଁ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି । ବୈଠକରେ ମିସ ଲାର୍ସନ୍ଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।