ଅଙ୍କୁରାୟନ ର ବାର୍ଷିକ ଉତ୍ସବ ଉଦଯାପିତ

ଗରଦପୁର, ୨୨/୧୨/୨୦୨୪ (ଓଡ଼ିଶା ସମାଚାର)- ସାମାଜିକ ସଂଗଠନ ବନ୍ଧୁ ଦ୍ୱାରା ଆୟୋଜିତ ହୋଇ ଆସୁଥିବା ଅଙ୍କୁରାୟନର ୧୯ତମ ବାର୍ଷିକ ଉତ୍ସବ ଗରଦପୁର ଓ ତିର୍ତୋଲ ବ୍ଲକ୍ ର ସଙ୍ଗମ ସ୍ଥଳ ପଳସୁଧାସ୍ଥିତ ମକର ପଡ଼ିଆ ରେ ଅନୁଷ୍ଠିତ ହୋଇ ଯାଇଛି । ଗତ ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ୬ ଟି ଜିଲା ରୁ ୧୬୪୧ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ସୃଜନଶିଳତାକୁ ବିକଶିତ କରିବା ଲକ୍ଷରେ ଅଙ୍କୁରାୟନ ଅନୁଷ୍ଠାନ ତରଫରୁ ୨୯ ଟି କାର୍ଯ୍ୟକ୍ରମ ଯଥା: ପୁଚି, ମୁରୁଜ, ଝୋଟି, ଚିତା, ଦୌଡ଼ି ଡ଼ିଆଁ, ଜ୍ଞାନ କୁମ୍ପି, ଜ୍ଞାନ ସିନ୍ଦୁକ, ମହକ, ବକ୍ତୃତା, ଆବୃତି, ମେହେନ୍ଦି, ଦୌଡ଼ା, ଲମ୍ବ ଡ଼ିଆଁ, ଚିତ୍ରାଙ୍କନ, ସୃଜନିକା ଆଦିରେ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ସୂଚନା ଅଧିକାର କର୍ମୀ ରମେଶ ଚନ୍ଦ୍ର ଭୋଇ ଓ ସମ୍ମାନିତ ଅତିଥି ଭାବେ ପରିବେଶବିତ ପ୍ରଭାତ କୁମାର ନାଥ ଯୋଗ ଦେଇଥିଲେ । ସେହିପରି ଦ୍ୱିତିୟ ଦିନ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ଶିଳ୍ପୀ ରବି ନାରାୟଣ ରଥ, ପରିବେଶବିତ ବିଶ୍ୱଜିତ ମହାନ୍ତି ଓ ବିଶିଷ୍ଟ ଐତିହାସିକ ଅନୀଲ ଧୀର ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କୁନି କୁନି ପିଲାଙ୍କ ଦ୍ୱାରା ତିଆରି ମାଟି ମୂର୍ତିର ପ୍ରଦର୍ଶନୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଚିତ୍ରକର ପ୍ରଣବ ଅଖଣ୍ଡ ପିଲାମାନଙ୍କୁ ଚିତ୍ର ଆଙ୍କିବାର କୌଶଳ ଶିଖାଇଥିଲେ । ପାଇକା ନଦୀ ପଠାରେ ବିନା ହାର ଜିତ୍ ରେ ଖେଳୁଆଡ଼ ମନୋଭାବରେ ଏପରି ନିଆରା କାର୍ଯ୍ୟକ୍ରମ ସମସ୍ତଙ୍କ ମନରେ ଉତ୍ସାହ ଭରି ଦେଇଥିଲା । କାର୍ଯ୍ୟକ୍ରମରେ ଭାଗ ନେଉଥିବା ପିଲାଙ୍କର ଚିତ୍ର ଆଙ୍କି ଶିଳ୍ପୀ ରବି ନାରାୟଣ ରଥ ବିଭୋର ହୋଇଥିଲେ । ବିଭିନ୍ନ ପ୍ରତିଯୋଗିତା ସହ ପିଲାମାନଙ୍କ ମନରେ ସାମାଜିକ ଚେତନାର ବିକାଶ ଓ ନିଜର ସଂସ୍କୃତି ପ୍ରତି ଅନୁରାଗ ସୃଷ୍ଟି କରିବା ଅଙ୍କୁରାୟନର ପ୍ରମୁଖ ଉଦେଶ୍ୟ ବୋଲି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି ମତବ୍ୟକ୍ତ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଉମେଶ ଚନ୍ଦ୍ର ସେଠି, ପ୍ରିୟବ୍ରତ ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସର୍ବଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ଭୂମିକା ରଥ ଓ ସାଇ ପ୍ରସାଦ ନାୟକଙ୍କୁ କନିଷ୍ଠ ବର୍ଗରେ ଅଙ୍କୁରାୟନ ପ୍ରତିଭା ଓ ବରିଷ୍ଠ ବିଭାଗରେ ରିଜ୍ଆନା ଫାତମା ଙ୍କୁ ବନ୍ଧୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସର୍ବୋକ୍ରୃଷ୍ଟ ପ୍ରଦର୍ଶନ ନିମନ୍ତେ ମାହାଳହାଟ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୁ ବନ୍ଧୁ ଗୌରବ ଭାବେ ସମ୍ମାନିତ କରାଯାଇଥିଲା । ଅଙ୍କୁରାୟନର ଆବାହକ ବିଭୁ ସେନାପତିଙ୍କ ପରିଚାଳନାରେ ସମ୍ପାଦକ ସଂଜୟ କୁମାର ସ୍ୱାଇଁ, ସୁଧାଂଶୁ ରାଉତ, ସୁଶାନ୍ତ କୁମାର ମଲିକ, ତାରାକାନ୍ତ ନାୟକ, ଦିଲିପ କୁମାର ପରିଡ଼ା, ଇଂ ଶରତ ଘଡ଼ାଇ, ବିଶ୍ୱକମ ମିଶ୍ର, ସୁବ୍ରତ, ସିପୁ, ପ୍ରତାପ, ଜ୍ଞାନ ପ୍ରମୁଖ ଙ୍କ ନେତୃତ୍ୱରେ ୭୦ ରୁ ଉଦ୍ଧ୍ୱର୍ ବନ୍ଧୁ ସ୍ୱେଛା ସେବକଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଉତ୍ସବରେ ଏକକ ବ୍ୟବହାର ପ୍ଲାଷ୍ଟିକ ର ବ୍ୟବହାର ନକରିବାକୁ ଶପଥ କରାଯାଇଥିବାବେଳେ ମଂଚ ସଜାରେ ବରଡ଼ା ତାଟି , ଷଢ଼େଇ ଓ ପାଳ ଭୁତର ବ୍ୟବହାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *