ଭୁବନେଶ୍ୱର,୦୬/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବନ୍ୟପ୍ରାଣୀ ଶିକାର ରୋକିବା, ଜଙ୍ଗଲ ନିଆଁ ରୋକିବାରେ ଜଙ୍ଗଲ ବିଭାଗ ଭଲ କାମ କରୁଛି । ତଥାପି ଏ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ କରିବାକୁ ପଡ଼ିବ । ଆବଶ୍ୟକ ସ୍ଥଳେ ବ୍ୟାପକ ଜନସଚେତନ ସୃଷ୍ଟି ସହିତ ନୂଆ ଟେକ୍ନୋଲୋଜିର ପ୍ରୟୋଗ କରିବା ଦରକାର । ଜଙ୍ଗଲ ସୁରକ୍ଷା ପାଇଁ ସ୍ୱେଚ୍ଛାସେବୀ ସଂଗଠନ, ନାଗରିକ ସୁରକ୍ଷା ମଂଚ ଇତ୍ୟାଦିର ସହଯୋଗ କାମନା ଜୁରୁରୀ । ମଙ୍ଗଳବାର ଲୋକସେବା ଭବନ କନଭେନସନ୍ ସେଂଟର୍ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଉପସ୍ଥିତ ବନଖଣ୍ଡ ଅଧିକାରୀମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ରାଜ୍ୟର ଏକ ଚତୁର୍ଥାଂଶ ଲୋକ ହେଉଛନ୍ତି ଆଦିବାସୀ ସଂପ୍ରଦାୟର । ସେମାନେ ମୁଖ୍ୟତଃ ବଣ ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବସବାସ କରନ୍ତି । ସେମାନଙ୍କ ପାଇଁ ସଂଘର୍ଷହୀନ ସହାବସ୍ଥାନ ସୃଷ୍ଟି ଓ ସେମାନଙ୍କ ସୁରକ୍ଷା କରିବା ହେଉଛି ସରକାରଙ୍କ ନୈତିକ ଦାୟିତ୍ୱ । ବନ ଅଧିକାରୀମାନେ ସମସ୍ତେ ମୁଖ୍ୟତଃ ଗରିବ, ଆଦିବାସୀ, ଦଳିତବର୍ଗ ଲୋକଙ୍କ ସହିତ ମିଳାମିଶା କରୁଛନ୍ତି । ଜଙ୍ଗଲ ସୁରକ୍ଷା ନିୟମ ପାଳନ ସମୟରେ ସେମାନଙ୍କ ସହ ସମ୍ବେଦନଶୀଳତା ସହ ବ୍ୟବହାର କରିବାକୁ ପଡ଼ିବ । ସେହିରି ହାତୀ ମନୁଷ୍ୟ ସଂଘର୍ଷକୁ ହ୍ରାସ କରିବା ପାଇଁ ବିଭାଗ ପକ୍ଷରୁ ଜଙ୍ଗଲ ଭିତରେ ହାତୀ ଖାଦ୍ୟ ପାଇଁ ଧାନ ଚାଷ କରିବା ପାଇଁ ବିଭାଗକୁ ସେ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ସହିତ ତା’ର ସୁରକ୍ଷା, ପରିଚାଳନା ଓ ସବୁଜ ବଳୟ ବୃଦ୍ଧି ଦିଗରେ ଆମକୁ ଦୃଷ୍ଟି ଦେବାକୁ ପଡ଼ିବ । ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ମଧ୍ୟ ଗୁରୁତ୍ୱ ଦେବା ଦରକାର । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜନବସତି ଅଂଚଳରେ ଏପରି ଗଛ ଲଗାଇବା ଉଚିତ୍ ଯାହା ଲୋକଙ୍କୁ ଫଳ, ପୁଷ୍ପ ପ୍ରଦାନ କରୁଥିବା ସହିତ ଛାୟା ପ୍ରଦାନ କରିାରିବ । ତେବେ ଯାଇ ଲୋକମାନେ ଏସବୁ ବୃକ୍ଷର ଉପଯୁକ୍ତ ଯତ୍ନନେବେ । ସେହିଭଳି ପଥପାର୍ଶ୍ୱ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲୋକମାନଙ୍କ କାମରେ ଲାଗିଲା ଭଳି ଗଛ ରୋପଣ କରନ୍ତୁ । ଏଥିସହିତ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲାର ପ୍ରମିଳା ପ୍ରଧାନଙ୍କ ଉଦ୍ୟମକୁ ନେଇ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ୨୦୩୬ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପରିକଳ୍ପନା କରାଯାଇଥିବା ସବୁଜ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠାପର ଯୋଗଦାନ କାମନା କରିବା ସହିତ ଦକ୍ଷତା ବୃଦ୍ଧି ପାଇଁ ତାଲିମ୍ ଓ ଗବେଷଣା ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଲୋକମାନଙ୍କ ସେବା କରିବା ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବାକୁ ଆହ୍ୱାନ ଦେଇଥିଲେ । ଦୁର୍ନୀତି ବିରୁଦ୍ଧରେ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତମାନର ସରକାର ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି । ତେଣୁ, ଅଧିକାରୀମାନେ ଦୁର୍ନୀତିରୁ ଦୂରରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଂଟିଆ କହିଥିଲେ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ହେଉଛି ଏ ସମାଜର ଜୀବନ ରେଖା । ଏ ସୃଷ୍ଟିର ମୌଳିକତାକୁ ବଜାୟ ରଖିବାରେ ଏହି ବିଭାଗର ଗୁରୁତ୍ୱୂର୍ଣ୍ଣ ଦାୟିତ୍ୱ ରହିଛି । ନୂଆ ସରକାର ଆସିବା ପରେ ଜଙ୍ଗଲ ସଂରକ୍ଷଣ ଓ ଅଭିବୃଦ୍ଧି ପ୍ରତି ଗୁରୁ ଦିଆଯାଉଛି । ଆଜି ଓଡ଼ିଶାରେ ଜଙ୍ଗଲ ଅଭିବୃଦ୍ଧି କ୍ଷେତ୍ରରେ ଯାହା ବି ଅଭିବୃଦ୍ଧି ହୋଇଛି ଏହାର ଶ୍ରେୟ ନିଷ୍ଠାପର ଜଙ୍ଗଲ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କର । ସମସ୍ତ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରି ଲୋକଙ୍କ ସହ ଯୋଡ଼ିହୋଇ କାମ କରି ବିଭାଗ ପାଇଁ ସୁନାମ ଆଣିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ ଆମ ରାଜ୍ୟ ହେଉଛି ଏକ ଜୈବ ବିବିଧତା ପୂର୍ଣ୍ଣ ରାଜ୍ୟ । ଜଙ୍ଗଲ ସମ୍ପଦର ସୁରକ୍ଷା ସହିତ ଜଙ୍ଗଲ ଭିତରେ ଏବଂ ନିକଟରେ ରହୁଥିବା ଲୋକଙ୍କୁ ଜଙ୍ଗଲ ସଂରକ୍ଷଣ ପ୍ରତି ସଚେତନ କରିବା ସହିତ ଜଙ୍ଗଲ ମଧ୍ୟରେ ରହୁଥିବା ଲୋକଙ୍କ ଜୀବନ ଜୀବିକା ବୃଦ୍ଧି ପ୍ରତି ଦୃଷ୍ଟିଦେବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆଂଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର, ଉଦ୍ୟାନ କୃଷି ବିଭାଗ ଏବଂ ଓଡ଼ିଶା ରାଜ୍ୟ ବିହନ ନିଗମ ମଧ୍ୟରେ ଏକ ତ୍ରି ପାକ୍ଷିକ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥିଲା ।
ଏହାଦ୍ୱାରା ରାଜ୍ୟର କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ମାନର ଫଳ ଚାରା ଯୋଗାଇ ଦିଆଯିବ । ଜଙ୍ଗଲ ସମ୍ପଦର ସଂରକ୍ଷଣ ଓ ବିଭାଗର ସଫଳତା ଉପରେ ପର୍ଯ୍ୟବସିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ପ୍ରେମ୍ କୁମାର ଝା, ପ୍ରଧାନ ମୁଖ୍ୟ ବନସଂରକ୍ଷକ (କେନ୍ଦୁପତ୍ର) ଉମା ନନ୍ଦୁରୀ ଉପସ୍ଥିତ ଥିଲେ ।
ରାଜ୍ୟର ସମସ୍ତ ବନଖଣ୍ଡର ବନ ସଂରକ୍ଷକ, ଡିଏଫ୍ଓ, ଏସିଏଫ୍ ଙ୍କ ସମେତ ବିଭାଗୀୟ ଅଧିକାରୀମାନେ ସମ୍ମିଳନୀରେ ଯୋଗଦେଇଥିଲେ । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ସୁରେଶ ପନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
