ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଗୁରୁତ୍ୱାରୋ
ଭୁବନେଶ୍ୱର, ୬/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମ୍ମିଳନୀ କକ୍ଷରେ ନିବନ୍ଧନ ସେବାଗୁଡ଼ିକ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଓ ବିଭାଗର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ଦିଗ ଉପରେ ଆଲୋଚନା କରି ସବୁ ନିବନ୍ଧନ ସେବାକୁ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଦାନ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିବନ୍ଧନ ଅଧିକାରୀ ଭାବେ କାର୍ଯ୍ୟରତ ଓଡ଼ିଶା ରାଜସ୍ୱ ସେବା ଓ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀମାନଙ୍କ କାର୍ଯ୍ୟଶୈଳୀରେ ମୂଲ୍ୟବୋଧଭିତ୍ତିକ ପରିବର୍ତ୍ତନ, ଶୃଙ୍ଖଳା ଜ୍ଞାନ ଏବଂ ସମୟାନୁବର୍ତ୍ତିତା ଇତ୍ୟାଦିକୁ ଗୁରୁତ୍ୱ ଦେଇ ସମସ୍ତ ସେବାଗୁଡ଼ିକୁ ଆଇନର ପରିସର ଭିତରେ ତଥା ସମୟାନୁସାରେ ସେବା ପ୍ରଦାନ କରିବା ପ୍ରକ୍ରିୟା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟ କରୁଥିବା ସମସ୍ତ ତହସିଲଦାର ଓ ନିବନ୍ଧନ ଅଧିକାରୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ନୈତିକତା, ଇ-ଗଭର୍ଣ୍ଣାନ୍ସ ଓ ଅନ୍ୟାନ୍ୟ ବ୍ୟବହାରିକ ଦିଗ ଉପରେ ତାଲିମ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।
ମାନ୍ୟବର ମନ୍ତ୍ରୀ ଅଧିକ ସମୟ ଧରି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପର୍ଯ୍ୟାୟକ୍ରମେ ବଦଳି ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରତି ତହସିଲରେ ହେବାକୁ ଥିବା ଉପ-ନିବନ୍ଧନ କାର୍ଯ୍ୟାଳୟକୁ ତ୍ୱରିତ ବେଗରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ନିବନ୍ଧନ ଓ ଉପ-ନିବନ୍ଧନ କାର୍ଯ୍ୟାଳୟରେ ଅର୍ଥ ବ୍ୟବସ୍ଥାର ଖାତା କିପରି ସ୍ୱୟଂଚାଳିତ ଉପାୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ସ୍ୱତଃପୂର୍ତ୍ତ ଭାବେ ହୋଇପାରିବ, ସେ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ଉପ-ନିବନ୍ଧନ ତଥା ନିବନ୍ଧନ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ଏସ୍ଏମ୍ଏସ୍ ମାଧ୍ୟମରେ ସେମାନଙ୍କର ସରକାରୀ ଦେୟର ବିବରଣୀ ଜଣାଇ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇନଗତ କାର୍ଯ୍ୟ ପରେ ସମସ୍ତ ଦଲିଲକୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ସେମାନଙ୍କ ସହମତି ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଅନ୍ୟ ରାଜ୍ୟଗୁଡ଼ିକରେ ପ୍ରଚଳିତ ସର୍ବଶ୍ରେଷ୍ଠ ବ୍ୟବସ୍ଥାର ଅନୁଶୀଳନ ଏବଂ ଅନୁଗ୍ରହଣ ନିମିତ୍ତ ରାଜସ୍ୱ ବିଭାଗର ଅଧିକାରୀମାନଙ୍କୁ ପଠାଯିବ । ନିବନ୍ଧନ ସେବାକୁ ଆହୁରି ଗତିଶୀଳ ଓ ସ୍ୱଚ୍ଛ କରିବା ନିମନ୍ତେ ଏକ ବୈଷୟିକ କମିଟିର ମଧ୍ୟ ଗଠନ କରାଯାଇ, କମିଟିକୁ ୧୫ ଦିନ ମଧ୍ୟରେ ଏକ ରିପୋର୍ଟ ଦେବାକୁ କୁହାଯାଇଛି ।
ମାନନୀୟ ମନ୍ତ୍ରୀ ସେବା ପ୍ରଦାନରେ ସ୍ୱଚ୍ଛତା ଓ ସମ୍ମାନର ସହ ସେବା ପ୍ରଦାନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟରେ ଖିଲାପ କରୁଥିବା ନିବନ୍ଧନ ବା ଉପ-ନିବନ୍ଧନ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।