କେନ୍ଦ୍ରାପଡା,୨୮/୬/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାର ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜନୈକ ନାବାଳିକାକୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ସଂପୃକ୍ତ ଅଭିଯୁକ୍ତକୁ କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ କୋର୍ଟର ଅତିରିକ୍ତ ଜିଲା ଜଜ୍ ତ୍ରିବିକ୍ରମ କେଶରୀ ଚିନ୍ନାରା ୨୦ବର୍ଷ ଜେଲଦଣ୍ଡାଦେଶ ସହିତ ୫୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦ ମସିହା ସେପ୍ଟେମ୍ବର ମାସ ୧୫ତାରିଖ ସନ୍ଧ୍ୟା ୫ଟା ସମୟରେ ନାବାଳିକା ଜଣକ ତାଙ୍କ ଘରପାଖ ନଳକୂପରୁ ପାଣି ଆଣିବା ପାଇଁ ଯାଇଥିଲା । ସେଠାରେ ନାବାଳିକାକୁ ଏକୁଟିଆ ପାଇ ଆସାମୀ ସିକା ଓରଫ ଚନ୍ଦନ ମଳିକ(୨୫) ନିକଟରେ ଥିବା ତା’ର ଘର ଭିତରକୁ ଟେକିନେଇ ଅସଦାଚରଣ କରିଥିଲା । ଘଟଣା ସମ୍ପର୍କରେ କାହାକୁ କିଛି କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ନାବାଳିକା ଜଣକ ଘରକୁ ଆସିବାର କିଛି ସମୟ ପରେ ବାନ୍ତି କରିବାରୁ ଘଟଣା ସମ୍ପର୍କରେ ନାବାଳିକା ତାଙ୍କ ବୁଢିମାଆଙ୍କୁ କହିଥିଲା । ପରଦିନ ଏସମ୍ପର୍କରେ ଆଳି ଥାନାରେ ତାଙ୍କ ମାଆ ଓ ସମ୍ପର୍କୀୟଙ୍କ ସହିତ ଯାଇ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଆସାମୀକୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ଫାଷ୍ଟଟ୍ରାକ୍ ଆଡହକ କୋର୍ଟର ଅତିରିକ୍ତ ଜିଲା ଜଜ୍ ଶ୍ରୀ ଚିନ୍ନାରା ଏହି ମାମଲାର ବିଚାର କରି ୧୬ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତି କରି ଅଭିଯୁକ୍ତ ଚନ୍ଦନ ମଳିକଙ୍କୁ ୨୦ବର୍ଷ ଜେଲଦଣ୍ଡାଦେଶ ସହ ୫୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦାୟ ଆଉ ଅଧିକ ଏକବର୍ଷ କାରାଦଣ୍ଡାଦେଶ ସହିତ ଦୁଇଜହାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି । ଏଥିସହିତ ଫାଷ୍ଟଟ୍ରାକ୍ ଆଡହକ କୋର୍ଟର ଅତିରିକ୍ତ ଜିଲା ଜଜ୍ ଶ୍ରୀ ଚିନ୍ନାରା ନାବାଳିକାକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଜିଲା ଆଇନସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବୀ ମନୋଜ କୁମାର ସାହୁ କୋର୍ଟରେ ମାମଲାର ପରିଚାଳନା କରୁଥିଲେ ।