ଜିଲା ପ୍ରଶାସନର ‘ମା ପାଇଁ ଗଛଟିଏ’ ଅଭିଯାନ

କେନ୍ଦ୍ରାପଡ଼ା, ୨୮/୬/୨୦୨୪ (ଓଡ଼ିଶା ସମାଚାର)- ଜିଲା ପ୍ରଶାସନ ପକ୍ଷରୁ ‘ମା ପାଇଁ ଗଛଟିଏ’ ଅଭିଯାନ କେନ୍ଦ୍ରାପଡାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଆଜି ସକାଳେ ବାରୋ ଗ୍ରାମପଂଚାୟତର ତରାଣ୍ଡୋଠାରେ ଥିବା ଜିଲା ମିଶନ ଶକ୍ତି ଭବନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ମିଶନ ଶକ୍ତି ଜିଲା ସଂଯୋଜକ କୈଳାଶ ସେନାପତି, ସମସ୍ତ ଜିଲାସ୍ତରୀୟ ଅଧିକାରୀ, ମିଶନ ଶକ୍ତିର ମା’ ଭଉଣୀ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ବିଧାୟକ ଗଣେଶ୍ୱର ବେହେରା ଏହି ଅବସରରେ କହିଥିଲେ ଯେ ବୃକ୍ଷ ବଂଚି ରହିଲେ ବିଶ୍ୱ ତିଷ୍ଠି ରହିବ । ଏଣୁ ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ । ସମସ୍ତ ଜିଲାବାସୀଙ୍କୁ ନିଜ ମା’ଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଜିଲାପାଳ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ‘ଏକ ପେଡ ମା କେ ନାମ’ (‘ମା ପାଇଁ ଗଛଟିଏ’) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆହ୍ୱାନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *