କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଅଧିକାରୀଙ୍କୁ ରାଜ୍ୟ ମୁଖ୍ୟାଳୟ ଆସିବା ମନା -କୃଷି ସଚିବ

                                      ଉଲ୍ଲଙ୍ଘନ କଲେ ସେବା ଆଚରଣ ବିଧିରେ ଦଣ୍ଡିତ ହେବେ ଅଧିକାରୀ

ଭୁବନେଶ୍ୱର, ୨୮/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଅଧିକାରୀଙ୍କ ବଦଳି ସମ୍ପର୍କିତ ଅଭିଯୋଗ ନେଇ ଅନେକ ଅଧିକାରୀ ରାଜ୍ୟ ମୁଖ୍ୟାଳୟକୁ ବାରମ୍ବାର ଆସୁଥିବା ବିଭାଗର ଦୃଷ୍ଟିଗୋଚର ହେଉଛି । ପୂର୍ବରୁ ଏ ସଂକ୍ରାନ୍ତରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ କି ବିଭିନ୍ନ ଜିଲ୍ଲା ବା କ୍ଷେତ୍ର ଅଧିକାରୀମାନେ କୌଣସି ଅଭିଯୋଗ/ ନିବେଦନ ପାଇଁ ସେମାନଙ୍କର ନିର୍ଦ୍ଧାରିତ ମୁଖ୍ୟାଳୟ ଛାଡିବା ପୂର୍ବରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ନିଶ୍ଚିତ ରୂପେ ଅନୁମତି ପତ୍ର ନେଇ ଆସିବେ । ସେହିପରି ଯେ କୌଣସି ଅଭିଯୋଗ ପତ୍ର ବିଭାଗୀୟ ଇ-ମେଲ ଅଥବା ଉପଯୁକ୍ତ ଚ୍ୟାନେଲ୍‌ ମାଧ୍ୟମରେ ପଠାଇଲେ ତାହା ବ୍ୟକ୍ତିଗତ ଯୋଗ୍ୟତା ଏବଂ ସରକାରୀ ନୀତି ଆଧାରରେ ସମାଧାନ କରାଯାଇ ପାରିବ ।

     ବିଭାଗ ପ୍ରତି ସୋମବାର ଅଭିଯୋଗ ପ୍ରକୋଷ୍ଠ ଆୟୋଜନ କରିଥାଏ ଏବଂ କୃଷକଙ୍କ ସମେତ ଅଧିକାରୀ ଓ ଅଣଅଧିକାରୀମାନେ ସମସ୍ୟାର ସମାଧାନ ପାଇଁ ଗସ୍ତ କରି ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରିଥାନ୍ତି । ପ୍ରମୁଖ ଶାସନ ସଚିବ ଡ. ପାଢୀ କହିଛନ୍ତି ଯେ ଆମେ ଏକ ପ୍ରଭାବଶାଳୀ ଢଙ୍ଗରେ ପ୍ରତ୍ୟେକ ଆବେଦନର ଶୀଘ୍ର ସମାଧାନ ପାଇଁ ଚେଷ୍ଟା କରୁଛୁ । ମାତ୍ର କିଛି ଅଧିକାରୀ ବଦଳି ମାମଲା ସମ୍ବନ୍ଧରେ ରାଜ୍ୟ ମୁଖ୍ୟାଳୟକୁ ବାରମ୍ବାର ଗସ୍ତ କରୁଛନ୍ତି ଯାହା ପୂର୍ବ ନିର୍ଦ୍ଦେଶର ଘୋର ଉଲଙ୍ଘନ କରୁଛି । ତେଣୁ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୌଣସି ଜିଲ୍ଲାର ଅଧିକାରୀଙ୍କୁ ଭୁବନେଶ୍ୱର ଆସିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଡ. ପାଢୀ କଡା ନିର୍ଦ୍ଦେଶ ଦେଇଛନ୍ତି ।

          ଖରିଫ ଫସଲ ଋତୁ ଆଗେଇ ଆସୁଥିବାରୁ ସେବା କ୍ଷେତ୍ରରେ ଚାଷୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ନିଜ ନିଜ ଷ୍ଟେସନରେ କ୍ଷେତ୍ର ଅଧିକାରୀଙ୍କ ଉପସ୍ଥିତି ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହାକୁ ବିଭାଗର ଅଧିକାରୀମାନେ ନିଶ୍ଚିତ ଭାବେ ଧ୍ୟାନ ଦେବା ଜରୁରୀ ।

    ବଦଳି ମାମଲାରେ କୌଣସି ବାହ୍ୟ ପ୍ରଭାବ ବା ଚାପ ପ୍ରୟୋଗ ନ କରିବାକୁ ଡ. ପାଢ଼ୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏପରି କରିବା ଦ୍ୱାରା ସେମାନେ ସମ୍ପୃକ୍ତ ସରକାରୀ ସେବା ଆଚରଣ ନିୟମର କବଳରୁ ବର୍ତ୍ତି ପାରିବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *