ଦୋକାନ ପୋଡ଼ିଯିବାରୁ ଋଣଭାର ସହିନପାରି ଦେହତ୍ୟାଗ କଲେ ରୋଗାଗ୍ରସ୍ତ ଜି. ଲକ୍ଷ୍ମଣ ରାଓ

ଭୁବନେଶ୍ୱର,୨୪/୦୬/୨୦୨୬(ଓଡ଼ିଶା ସମାଚାର)- ଗତ ଜାନୁଆରୀ ୧୯ ତାରିଖ ରାତିରେ କିଛି ଖଳ ପ୍ରକୃତିର ଲୋକ ସେମାନଙ୍କ ନିଜ ସ୍ୱାର୍ଥ ହାସଲ ପାଇଁ ୟୁନିଟ୍-୧ରେ ଥିବା ରଶି ଭେଣ୍ଡିଂଜୋନରେ ନିଆଁ ଲଗାଇଦେବା ଫଳରେ ସେଠାରେ ପାଖାପାଖି ୪୦ରୁ ଅଧିକ ଦୋକାନ ପୋଡ଼ି ପାଉଁଶ ହୋଇଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଥିଲା । ସେହି ଦୋକାନୀମାନଙ୍କ ମଧ୍ୟରୁ ଜି. ଲକ୍ଷ୍ମଣ ରାଓ ୨ ଲକ୍ଷ ଟଙ୍କାରୁ ଅଧିକ କରଜ କରି ନିଜ ଦୋକାନରେ ବିଭିନ୍ନ ସାମଗ୍ରୀ ରଖିଥିଲେ । ତାଙ୍କ ସମ୍ମୁଖରେ ଦୋକାନ ପୋଡ଼ିବା ଦେଖି ସେ ଦୁଃଖରେ ଭାଙ୍ଗିପଡ଼ିବା ସହ ଋଣଭାର ପରିଶୋଧ କରିନପାରିବା ଚିନ୍ତାରେ ରୋଗାଗ୍ରସ୍ତ ହୋଇପଡ଼ିଥିଲେ । ରୋଗାଗ୍ରସ୍ତ ହୋଇଯିବାରୁ ଜି. ଲକ୍ଷ୍ମଣ ରାଓଙ୍କୁ ତାଙ୍କର ପତ୍ନୀ, ପୁତ୍ର ଏବଂ ଝିଅ କ୍ୟାପିଟାଲ ହସ୍ପିଟାଲ ଏବଂ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଥିଲେ ମଧ୍ୟ ସେ ସୁସ୍ଥ ହୋଇପାରି ନଥିଲେ । ଫଳରେ ଗତ ୨୨ ତାରିଖ ଦିନ କଟକ ବଡ଼ ମେଡ଼ିକାଲରେ ସେ ଦେହତ୍ୟାଗ କରିଥିଲେ ।


ତାଙ୍କର ମୃତୁ୍ୟ ଖବର ପାଇ ଭୁବନେଶ୍ୱରରେ ବହୁ ଉଠାଦୋକାନୀ ମର୍ମାହତ ହେବା ସହ ସ୍ୱର୍ଗତ ରାଓଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ବୁଧବାର ସନ୍ଧ୍ୟାରେ ମହାବୀର ବଣିକ ସଂଘ, ନିଖିଳ ଉତ୍କଳ ସୁରକ୍ଷା କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ମହାସଂଘ ଏବଂ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ମିଳିତ ସହଯୋଗରେ ମହାସଂଘର ସାଧାରଣ ସମ୍ପାଦକ ଦୀପକ ମହାପାତ୍ରଙ୍କ ନେତୃତ୍ୱରେ ଶହ ଶହ ଉଠାଦୋକାନୀ ୟୁନିଟ୍-୧ରୁ ଏକ ମହମ ଶୋଭାଯାତ୍ରାରେ ବାହାରି ଏଜି ଛକ ଦେଇ ୟୁନିଟ୍-୨ ଏବଂ ମହିଳା ଥାନା ପାଖରେ ଥିବା ଆଖଣ୍ଡଳମଣି ମନ୍ଦିରଠାରେ ପହଂଚିଥିଲେ । ମନ୍ଦିରରେ ସମସ୍ତ ଦୋକାନୀ ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରେ ମହାସଂଘର ସଭାପତି ପ୍ରତାପ ସାହୁ ପହଂଚି ସ୍ୱର୍ଗତ ରାଓଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ, ସ୍ୱର୍ଗତ ରାଓ ଜଣେ ଭଲ ଓ ମେଳାପୀ ମଣିଷ ଥିଲେ, ସମସ୍ତଙ୍କ ସୁଖଦୁଃଖରେ ସେ ସାମିଲ୍ ହେଉଥିଲେ । ପୁରୀ ଜିଲା ନିମାପଡ଼ାର ଶ୍ରୀମୁଖ ଗ୍ରାମରେ ସ୍ୱର୍ଗତ ରାଓ ଜନ୍ମଗ୍ରହଣ କରିଥିଲେ । ଏଭଳି ଦୁଃଖଦ ସମୟରେ ସ୍ୱର୍ଗତ ରାଓଙ୍କ ପରିବାରଙ୍କୁ ମହାପ୍ରଭୁ ଅଶେଷ ଶକ୍ତିପ୍ରଦାନ କରନ୍ତୁ ବୋଲି କମନା କରିଥିଲେ ।

ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ନିରଞ୍ଜନ ପାଣ୍ଡେ, ସୁନିଲ କୁମାର ଖଣ୍ଡୁଆଳ, ନୀଳମଣି ସାହୁ, ଅଲ୍ଲୀ ଜାନ, ଗଙ୍ଗା ରେଡି, ଶରତ କୁମାର ସାହୁ, ଉପେନ୍ଦ୍ର କୁମାର ସାହୁଙ୍କ ସମେତ ଭୁବନେଶ୍ୱରର ୧୦୦ ଅଧିକ ସଂଗଠନର ସଭାପତି, ସମ୍ପାଦକମାନେ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *