ପ୍ରତିକୂଳ ପାଗରେ ମୟୂରଭଞ୍ଜର ମୋରଡା ଓ ବାରିପଦାରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଭାଷଣ ଦେବା ସମୟରେ ମୟୂରଭଞ୍ଜ ମାଟିର ଝିଅକୁ ପ୍ରଧାନମନ୍ତ୍ରୀ ନା ରାଷ୍ଟ୍ରପତି ଜାଣିନପାରିବା ଚିନ୍ତାଜନକଧର୍ମେନ୍ଦ୍ର ପ୍ରଧାନ  

ମୋରଡା/ବାରିପଦା, ୨୬/୦୫/୨୦୨୪ (ଓଡ଼ିଶା ସମାଚାର)-  ମୟୂରଭଞ୍ଜ ପ୍ରତି ମୋର ଅଗାଢ ଶ୍ରଦ୍ଧା ଓ ସମର୍ପଣଭାବ ଅଛି । ମୟୂରଭଞ୍ଜ ମାଟିରୁ ଆଦରଣୀୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହୋଇଛନ୍ତି, ଯାହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତାରେ ମୟୂରଭଞ୍ଜ, ଆଦିବାସୀ ଓ ମହିଳାମାନେ ଅଛନ୍ତି । ମାତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ବାରିପଦାରେ ଅଭିଭାଷଣ ଦେବା ବେଳେ ଏହି ମାଟିର ଝିଅକୁ ପ୍ରଧାନମନ୍ତ୍ରୀ ନା ରାଷ୍ଟ୍ରପତି ଜାଣିନପାରିବା ଚିନ୍ତାଜନକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ରବିବାର  ପ୍ରତିକୂଳ ପାଗରେ ବି ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରର ମୋରଡା ଓ ବାରିପଦାରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିଛନ୍ତି ।  ପ୍ରବଳ ବର୍ଷାରେ ବି ଜନସମାବେଶ ଓ ରୋଡ ସୋ’ରେ ସଂଖ୍ୟାଧିକ ଜନସାଧାରଣ ସାମିଲ ହୋଇଥିଲେ । ମୋରଡା ନିର୍ବାଚନମଣ୍ଡଳୀରେ ଆୟୋଜିତ ‘ପରିବର୍ତ୍ତନ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରତିକୂଳ ପାଗ ସତ୍ତ୍ୱେ ସମାବେଶରେ ଜନସାଧାରଣଙ୍କ ଉପସ୍ଥିତି ଉତ୍ସାହପୂର୍ବ । ହଜାର ହଜାର ଲୋକମାନେ ବର୍ଷାରେ ଭିଜି ବିଜେପି ପ୍ରତି ସମର୍ଥନ ଜଣାଇବା ପାଇଁ ଏକାଠି ହେବା ଓଡ଼ିଶା ନିର୍ବାଚନର ଫଳାଫଳର ସ୍ପଷ୍ଟ ସଙ୍କେତ ଦେଉଛି ।

କେ କହିଛନ୍ତି ଯେ ବିଜେଡି ସରକାରରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ଅକଥନୀୟ । ଏହି ସରକାରରେ ହିଁ ଆଦିବାସୀଙ୍କ ଜମି ବିକିବା ପାଇଁ ଷଡଯନ୍ତ୍ର କରାଯାଇଥିଲା । ପ୍ରଥମେ ଆଦିବାସୀଙ୍କ ବିରୋଧରେ ୫୦ ହଜାରରୁ ଅଧିକ ଅବକାରୀ, ଜଙ୍ଗଲ ଓ ଅନ୍ୟାନ୍ୟ ମାମଲା ରୁଜୁ କରାଇଲେ । ପରେ ୫୦ ହଜାର ମାମଲା ଉଠାଇ ଦେବା କଥା କହିଲେ । ପ୍ରଥମେ ବିଜେଡି ସରକାର ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଝାଡୁଛନ୍ତି । ଆଦିବାସୀଙ୍କ ଉପରେ ହେଉଥବା ଅତ୍ୟାଚାର ବିରୋଧରେ ପରିବର୍ତ୍ତନର ଭୋଟ୍ ହେବ । ଅପରପକ୍ଷରେ ୨୫ ବର୍ଷର ବିଜେଡି ସରକାରରେ ବିଶୁଦ୍ଧ ପାନୀୟ ଜଳ ନାହିଁ । ଜମିକୁ ଜଳସେଚନ ହୋଇପାରୁନଥିବାରୁ ଚାଷୀମାନେ ଅସୁବିଧା ଭୋଗୁଛନ୍ତି । ସ୍କୁଲରେ ଶିକ୍ଷକ ନାହାନ୍ତି କି ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ପେସା ଆକ୍ଟ କାର୍ଯ୍ୟକାରୀ ହେଉନଥିବା ବେଳେ ଆଦିବାସୀଙ୍କୁ ସ୍ଥାୟୀ ପଟ୍ଟା ମିଳୁନାହିଁ । ଏଠାକାର ପିଲାମାନେ କାମଧନ୍ଦା ପାଇଁ ବାହାରକୁ ଯାଉଛନ୍ତି ।  ଗୋଟିଏ ସରକାର ୨୫ ବର୍ଷ କ୍ଷମତାରେ ରହିବା ପରେ ବି ସାଧାରଣ ସୁବିଧା ଦେଇପାରନ୍ତି ନାହିଁ । ଦୀର୍ଘ ୨୫ ବର୍ଷର ଅପାରଗ ସରକାରକୁ ଗାଦିଚ୍ୟୁତ୍ କରି ରାଜ୍ୟ ଏବଂ ଦେଶରେ ନରେନ୍ଦ୍ର ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ମୟୂରଭଞ୍ଜ ପ୍ରସ୍ତୁତ ।

ଓଡ଼ିଶାର ନେତୃତ୍ୱ ଭଡାଟିଆ ନୁହେଁ ବରଂ ଓଡ଼ିଆ ଲୋକ ନେବେ । ଭଡ଼ାଟିଆ ଲୋକ ମୟୂରଭଞ୍ଜର ଜିଲ୍ଲାପାଳ ଥିଲେ । ଏହି ଦୁର୍ନୀତିଗ୍ରସ୍ତ ଭଡ଼ାଟିଆକୁ ବାହାରକୁ ପଠାଇବା ପାଇଁ ଲୋକମାନେ ମନସ୍ଥ କରିସାରିଛନ୍ତି । ବିଜେପି ସରକାର ହେଲେ ଚିଟ୍‌ଫଣ୍ଡରେ ଲିପ୍ତ ସବୁ ଲୋକଙ୍କୁ ଜେଲ ପଠାଯିବ । ଲୋକଙ୍କୁ ସେମାନଙ୍କ ଟଙ୍କା ଫେରାଯିବ । ଓଡ଼ିଶାର ଗଣତନ୍ତ୍ରକୁ ଅକ୍ତିଆର କରିବାକୁ ଚାହୁଁଥିବା ଲୋକଙ୍କୁ ଜେଲ୍ ପଠାଯିବ । ଓଡ଼ିଶାରେ ଓଡ଼ିଆ ଲୋକଙ୍କ ଶାସନ ହେବ । କିଛି ଅଣଓଡ଼ିଆ ଲୋକ ଓଡ଼ିଆ ଅସ୍ମିତାକୁ କ୍ଷୁର୍ଣ୍ଣ କରିବା ପାଇଁ ଲାଗିପଡ଼ିଛନ୍ତି ।

ମୟୂରଭଞ୍ଜରେ ମାତୃଶକ୍ତିଙ୍କ ଗୁରୁତ୍ୱ ଅଧିକ, ଏହି ଭୂମିରେ ପ୍ରଥମେ ମହିଳା ମାନଙ୍କ ଦ୍ୱାରା ସୁଭଦ୍ରାଙ୍କ ରଥ ଟଣା ପରମ୍ପରା ଆରମ୍ଭ ହୋଇଥିଲା । ବିଜେପି ସରକାର ହେଲେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ  ୫୦ ହଜାର ଟଙ୍କାର ଭାଉଚର ମିଳିବ । ଏହାକୁ ଦୁଇ ବର୍ଷ ମଧ୍ୟରେ ସେମାନେ ଖର୍ଚ୍ଚ କରିପାରିବେ । ଏହାବ୍ୟତିତ ରାଜ୍ୟରେ ବିଜେପି ସରକାର ହେଲେ ଧାନର ଏମଏସପି କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଚାଷ ଜମିକୁ ଜଳସେଚନ କରାଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । ମୟୂରଭଞ୍ଜ ଜିଲ୍ଲାକୁ ଏକ ନମ୍ବର କରାଯିବ । ଯୁବକଙ୍କୁ ରୋଜଗାର ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଖରାପ ପାଗ ଯୋଗୁଁ ମୟୂରଭଞ୍ଜର ଯଶୀପୁର, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ସାରସକଣା ଓ ଉଦଳାରେ ହେବାକୁ ଥିବା ଦଳର ‘ବିଜୟ ସଂକଳ୍ପ ସଭା’ରେ ଶ୍ରୀ ପ୍ରଧାନ ଯୋଗଦେଇପାରିନଥିଲେ ।

Leave a Reply

Your email address will not be published. Required fields are marked *