କେନ୍ଦ୍ରାପଡ଼ା,୨୬/୧୨/୨୦୨୫(ଓଡ଼ିଶା ସମାଚାର)- ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)ର ଜିଲା ସ୍ତରୀୟ ଶତବାର୍ଷିକୀ ଉତ୍ସବ ସହରସ୍ଥିତ ନିର୍ମାଲ୍ୟ ପ୍ୟାଲେସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ଣରେ ପାର୍ଟିର ଲାଲ୍ ପତାକାକୁ ଶିକ୍ଷକ ମହାସଂଘର ପ୍ରାକ୍ତନ ସାଧାରଣ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ ଉତୋଳନ କରିବା ପରେ ବରିଷ୍ଠ ସଭ୍ୟ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଉଦ୍ୟାପନୀ ସଭା ଅନୁଷ୍ଠିତ ହୋଇଥିଲା ।
ଜିଲାର ବିଭିନ୍ନ ଅଂଚଳରୁ ଆସିଥିବା ଶତାଧିକ କର୍ମୀଙ୍କୁ ସମ୍ବୋଧିତ କରି ରାଜ୍ୟ କମିଟି ସଭ୍ୟ ରମଣୀ ରଞ୍ଜନ ରାଉତରାୟ ଦେଶରେ ଏକ ଶ୍ରେଣୀ ହୀନ, ଶୋଷଣ ମୁକ୍ତ, ସମାଜବାଦୀ ସମାଜ ପ୍ରତିଷ୍ଠା ନିମନ୍ତେ ପାର୍ଟିର ଶହେ ବର୍ଷର ସାଲିସ ହୀନ ସଂଘର୍ଷ ବିଷୟରେ ବର୍ଣ୍ଣନା କରିଥିଲେ । ଜିଲା ସଂପାଦକ ବିକାଶ ଚନ୍ଦ୍ର ବେଉରା ପାର୍ଟିର ଶହେ ବର୍ଷର ଉତ୍ସରେ ସମସ୍ତ ସମାଜବାଦୀ ବିଚାରର ବ୍ୟକ୍ତି ଓ ସଂଗଠନମାନେ ଏକାଠି ହେବା ପାଇଁ ଜାତୀୟ ପାର୍ଟିର ଆହ୍ୱାନ ଘୋଷଣା କରିଥିଲେ ।
ପାର୍ଟିର କର୍ମକର୍ତାମାନଙ୍କ ମଧ୍ୟରୁ ସର୍ବସାଥୀ ରବୀନ୍ଦ୍ର ପରିଡା, ସଂଯୁକ୍ତା ରାଉତ, ଅଭୟ ଦାସ, ନିରଞ୍ଜନ ଦାସ, ସତ୍ୟନାରାୟଣ ଜେନା, ପ୍ରଦୀପ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ଉପସ୍ଥିତ ରହି ବିଶିଷ୍ଟ ପ୍ରଗତିଶୀଳ କବି ନିରାକାର ଦାସ, ରଣଧୀର ଜେନା, କର୍ମଚାରୀ ନେତା ବୈଷ୍ଣବ ସ୍ୱାଇଁ, ଡ. ଚୈତନ୍ୟ ଚରଣ ପରିଡା, ରାଜକିଶୋର ନାୟକ, ଧୀରେନ୍ ବେହେରା, ଶ୍ରୀନିବାସ ପରିଡା ପ୍ରମୁଖ ଶୁଭେଚ୍ଛା ବକ୍ତବ୍ୟ ପ୍ରଦାନ କରିଥିଲେ । ନାରୀନେତ୍ରୀ ସୋହାନା ବେଗମ୍ ଧନ୍ୟବାଦ ଅର୍ପଣ କରିଥିଲେ ।
