ବନ୍ଧା ହେଲେ ଦୁଇ ଡକାୟତ , ଗୋଟିଏ ଦେଶୀ ବନ୍ଧୁକ, ୩ ରାଉଣ୍ଡ ଗୁଳି ଓ ଏକ ଛୁରୀ ଜବତ

ବଡ଼ବିଲ, ୨୬/୦୪/୨୦୨୪ (ଓଡ଼ିଶା ସମାଚାର)-ଗତ  ବୁଧବାର ଦିନ ବଡ଼ବିଲ ସହରର ଆଠ ନଂ ୱାର୍ଡ଼ ଭଞ୍ଜ କଲୋନୀରେ ଘରେ ପଶି ଯୁବକଙ୍କ ପାଟିରେ ବନ୍ଧୁକ ପୁରାଇ ଛୁରା ମାଡ଼ ଘଟଣାରେ ପୋଲିସକୁ ସଫଳତା ମିଳିଛି ।

ଘଟଣାରେ ସଂପୃକ୍ତ ୨ ଝାଡ଼ଖଣ୍ଡୀ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୩ ରାଉଣ୍ଡ ଗୁଳି ଓ ଏକ ଛୁରୀ ଜବତ କରିଛି ପୋଲିସ୍। ଗିରଫ ଦୁଇ ଅଭିଯୁକ୍ତ ହେଲେ ଝାଡଖଣ୍ଡ ରାଜ୍ୟ ଧାନବାଦ୍ ଜିଲ୍ଲା ଯୋଡାପୋଖର ଥାନା ଅଂଚଳର ଅଇନୁଲ ଅନସାରୀ ଏବଂ ରାଜପାଲ ସିଂହ ଓରଫ୍ ରାଜୁ । ଏହି ଘଟଣାରେ ଅନ୍ୟ ତୃତୀୟ ଅଭିଯୁକ୍ତ ଫେରାର ହୋଇଯାଇଛି ।

ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ବଡବିଲ ଭଞ୍ଜ କଲୋନୀର ଅନୁପ ବିଶ୍ୱକର୍ମା ନାମକ ବ୍ୟକ୍ତିଙ୍କ ଘରେ ୩ଜଣ ଦୃବୃର୍ତ୍ତ ପଶି ତାଙ୍କ ପାଟିରେ ବନ୍ଧୁକ ପୁରାଇ ଲୁଟ୍ ଉଦ୍ୟମ କରିଥିଲେ । ତେବେ ଅନୁପ ପ୍ରତିବାଦ କରିବାରୁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଓ ଅନୁପଙ୍କୁ ସେମାନେ ଛୁରୀଭୁସି ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ବଡ଼ବିଲ ପୋଲିସ୍ ସୂଚନା ପାଇବାପରେ ତନାଘନା ଆରମ୍ଭ କରିଥିଲା । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଦୃବୃର୍ତ୍ତମାନଙ୍କୁ ଧରିବା ନିମନ୍ତେ ଉଦ୍ୟମ ଜାରୀ ରଖିଥିଲା । ଦୁର୍ବୃତମାନେ ଚମ୍ପୁଆ ଦେଇ ଝାଡଖଣ୍ଡ ରାଜ୍ୟକୁ ପଳାୟନ ପାଇଁ ଉଦ୍ୟମ କରୁଥିବାବେଳେ ଚମ୍ପୁଆ ନିକଟରେ ମାଡ଼ି ବସିଥିଲା ପୋଲିସ୍ ଟିମ୍ । ଦୁଇ ଜଣ ପୋଲିସ୍ ହାତରେ ଧରା ପଡ଼ିଥିବାବେଳେ, ଅନ୍ୟ ଜଣେ ଫେରାର ମାରିଛି । ପୋଲିସର ସୂଚନା ଅନୁଯାୟୀ ଏମାନେ ପୂର୍ବରୁ ବଡ଼ବିଲ ଆସି ବିଭିନ୍ନ ସ୍ଥାନରେ ରେକି କରିବାପରେ ଏହି ଘଟଣା ଭିଆଇଥିଲେ। ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇ ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *