ବଦଳିଲେ ବ୍ରହ୍ମପୁର ଓ ଢେଙ୍କାନାଳ ଏସପି
ଭୁବନେଶ୍ୱର,୨୨/୦୯/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଭୁବନେଶ୍ୱରକୁ ମିଳିଲା ନୂଆ ଡିସିପି । ଭୁବନେଶ୍ୱରର ନୂଆ ଡିସିପି ହୋଇଛନ୍ତି ଆଇପିଏସ୍ ସର୍ବଣା ବିବେକ ଏମ୍ । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି । ସର୍ବଣା ବିବେକ ଏମ୍ ପୂର୍ବରୁ ବ୍ରହ୍ମପୁର ଏସପି ଥିଲେ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୫ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ହେଉଛନ୍ତି ସର୍ବଣା ବିବେକ ଏମ୍ । ପୂର୍ବରୁ ସେ ରାୟଗଡ଼ା ଏବଂ ବ୍ରହ୍ମପୁରର ଏସପି ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଏହା ସହିତ ସେ ଭୁବନେଶ୍ୱରରେ ଭିଜିଲାନ୍ସ ଏସପି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । 
ଆଗକୁ ପାର୍ବଣ ଆସୁଥିବା ବେଳେ ଭୁବନେଶ୍ୱରର ଗୁରୁ ଦାୟିତ୍ୱ ବର୍ତମାନ ତାଙ୍କ ଉପରେ ରହିବ । ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ପର୍ଦ୍ଧାଫାସ କରିବାରେ ତାଙ୍କ ଭୂମିକା ବେଶ ପ୍ରଶଂସନୀୟ ଥିଲା । ସମସ୍ତ ଅଭିଯୁକ୍ତ ମାନଙ୍କୁ ଧରିବା ଏବଂ ହତ୍ୟା ପଛର ମୁଖ୍ୟ କାରଣକୁ ଖୋଜି ସେ ବାହାର କରିଥିଲେ । ଏଥିସହ ବ୍ରହ୍ମପୁର ଓ ଢେଙ୍କାନାଳ ଏସପି ମଧ୍ୟ ବଦଳିଛନ୍ତି । ବ୍ରହ୍ମପୁର ଏସପି ଭାବେ ଅଭିନବ ସୋନକରଙ୍କୁ ଦାୟିତ୍ୱ ଦିଆଯାଇଛି । ଢେଙ୍କାନାଳ ଏସପି ଭାବେ ଅଜିଙ୍କ୍ୟ ବି. ମାନେଙ୍କୁ ଦାୟିତ୍ୱ ମିଳିଛି । ବରଗଡ଼ ଏସଡିପିଓ ଭାବେ ଏବି.ଶିଲ୍ପାଙ୍କୁ ନିଯୁକ୍ତ କରାଯାଇଛି ।
