ଭୁବନେଶ୍ୱର,୨୨/୦୯/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ‘ଲହରୀ’କୁ ପ୍ରଦାନ କରାଯାଇଛି । ଗୁଜରାଟର ଏକତା ନଗରଠାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ଲହରୀ’ ହେଉଛି ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ପ୍ରଶଂସିତ ଓଡ଼ିଆ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟି ଓଡ଼ିଶାର ମାଟି, ପରମ୍ପରା, ଏବଂ ମାନବୀୟ ସମ୍ପର୍କର ଏକ ସୁନ୍ଦର ମିଶ୍ରଣ । ଏହି ଚଳଚ୍ଚିତ୍ରକୁ ଓଲିଉଡର ଜଣାଶୁଣା ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା କରିଥିବା ବେଳେ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦେଏଳ ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ଏହାର ନିର୍ଦେଶନା ଦେଇଛନ୍ତି ।
ଏଥିରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ଦୀପନ୍ୱିତ ଦାଶ ମହାପାତ୍ର ଏବଂ ସ୍ୱସ୍ତିକ ଚୌଧୁରୀ
ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ଓଡ଼ିଶାର ଗ୍ରାମୀଣ ପରିବେଶ, ବାପା-ପୁଅଙ୍କ ସମ୍ପର୍କର କାହାଣୀ, ବନ୍ଧୁତ୍ୱ ଏବଂ ଗାଁରେ “ଇକୋ-ଟୁରିଜିମ୍’ ମାଧ୍ୟମରେ ଲୋକଙ୍କ ବିକାଶକୁ ଖୁବ୍ ସୁନ୍ଦର ଭାବେ ଦର୍ଶାଯାଇଛି ।ଏହି ଚଳଚ୍ଚିତ୍ରଟି କେବଳ ଓଡ଼ିଶାରେ ନୁହେଁ, ବରଂ “ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ଣ୍ଣ’ ଭଳି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ବେଶ୍ ପ୍ରଶଂସିତ ହୋଇଛି ।
