ଯଯାତି ୨୦୨୬ ଶେଷ ସନ୍ଧ୍ୟା: ଡାନିସଙ୍କ ଗୀତରେ ଦୁଲୁକିଲା ଯଯାତି ମଞ୍ଚ

— ସୁଭଦ୍ରା ଏକ ଯୋଜନା ନୁହେଁ, ଏକ କ୍ରାନ୍ତି: ମନ୍ତ୍ରୀ ଶ୍ରୀ ବଳସାମନ୍ତ

ଯାଜପୁର, ୨୪/୦୩/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ର ଶେଷ ସନ୍ଧ୍ୟା ଖୁବ୍ ଧୁମଧାମରେ ପାଳିତ ହୋଇଛି। ଆଜି ପ୍ରଖ୍ୟାତ ବଲିଉଡ ଗାୟକ ମହମ୍ମଦ ଡାନିସଙ୍କ ମନଛୁଆଁ କଣ୍ଠସ୍ୱରରେ ଦର୍ଶକ ମତୁଆଲା ହୋଇଥିଲେ। ରାତି ବଢ଼ିବା ସହ ସାଂସ୍କୃତିକ ଆସର ଭିତରେ ଦର୍ଶକ ମଧ୍ୟ ସେତିକି ଉତ୍ସାହିତ ଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଯାଜପୁର ଜିଲ୍ଲାର ବିକାଶ ପାଇଁ ପ୍ରଶାସନର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବକ୍ତବ୍ୟରେ ଆଲୋକପାତ କରିଥିଲେ।  ମନ୍ତ୍ରୀ ଶ୍ରୀ ବଳ ସାମନ୍ତ କହିଥିଲେ ଯେ ମହୋତ୍ସବରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା ଏବଂ ପଲ୍ଲିଶ୍ରୀ ମେଳା ଯୋଗୁଁ ସ୍ଥାନୀୟ ଅର୍ଥନୀତିକୁ ଗତି ମିଳିବା ସହ ହସ୍ତଶିଳ୍ପର ପ୍ରସାର ହୋଇପାରିବ ।

ଗଡ଼ମଧୁପୁରର କାଇଁଚ, ରୁଦ୍ରପୁରର ପଥର ଖୋଦେଇ କାରୁକାର୍ଯ୍ୟ, ହରିପୁରର ଚାନ୍ଦୁଆ, କଣ୍ଟାବଣିଆର ବେତ କାରୁକାର୍ଯ୍ୟ, ବୈଦ୍ୟରାଜପୁରର କଂସା ପିତ୍ତଳ କାମ, ଗୋପାଳପୁରର ହସ୍ତତନ୍ତ ଇତ୍ୟାଦି ଏହି ମେଳାରେ ପ୍ରଦର୍ଶିତ ହୋଇଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମେ ଭୋକାଲ ଫର୍ ଲୋକାଲ ହେବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ ଯାଜପୁର ଜିଲ୍ଲାରେ ଜିଆଇ ଟ୍ୟାଗ ପ୍ରାପ୍ତ ଟସର ବସ୍ତ୍ର ଏବଂ ଏସିଆ ମହାଦେଶର ସର୍ବବୃହତ କ୍ରୋମାଇଟ ଖଣି ଜିଲ୍ଲାରେ ରହିଛି।

ଯଯାତି ମହୋତ୍ସବ ଯାଜପୁର ଜିଲ୍ଲାର ଜନ ଜୀବନର ଏକ ଜୀବନ୍ତ ପ୍ରତିଫଳନ ଏବଂ ଜିଲ୍ଲାର ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ତଥା ପ୍ରଚାର ପ୍ରସାର କରିବାରେ ଜିଲ୍ଲା ମହୋତ୍ସବର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶାକ୍ତ ଏବଂ ବୌଦ୍ଧ ଧର୍ମର ମହା ସମନ୍ୱୟ ସହ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଭଳି ବିଦଗ୍ଧ ସାହିତ୍ୟିକ ଏଇ ମାଟିରେ ଜନ୍ମ ନେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଥିଲେ। ଏହି ଅବସରରେ ହୃଦରୋଗ ବିଶେଷଜ୍ଞ ଡାକ୍ତର ସତ୍ୟରଞ୍ଜନ ରାଉତରାୟ, କଳାକାର ଡ. କୈଳାଶ ବେହେରା, ନାଟ୍ୟକାର ଡ. ଦୀପକ ଜେନା, କୁସ୍ତିଯୋଦ୍ଧା ପ୍ରଶାନ୍ତ ସାମଲଙ୍କୁ ଯଯାତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆମେ ଯାଜପୁରିଆ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର ଏବଂ କଳାକାରମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ମଞ୍ଚରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ଲମ୍ବୋଦର ଖୁଣ୍ଟିଆ ଉପସ୍ଥିତ ଥିଲେ। ସଭା ଶେଷରେ ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷ ରଜନୀରେ ଭଜନ ସଙ୍ଗୀତ, ତାଣ୍ଡବ ନୃତ୍ୟ, ଓଡ଼ିଶୀ ନୃତ୍ୟ, ଫ୍ୟାସନ୍ ସୋ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହା ପରେ ପ୍ରସିଦ୍ଧ ନୃତ୍ୟ ଦଳ ପ୍ରିନ୍ସ ଡାନ୍ସ ଗ୍ରୁପ ଖୁବ୍ ସୁନ୍ଦର ରୋମାଞ୍ଚକର ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟାଇ ମଞ୍ଚକୁ ଆସିଥିଲେ ବଲିଉଡ ଗାୟକ ଡାନିସ ଏବଂ ତାଙ୍କ ଦମଦାର ଗୀତରେ ସମବେତ ଦର୍ଶକ ନାଚିଥିଲେ।

ଡାନିସଙ୍କ ଚମତ୍କାର ପ୍ରଦର୍ଶନରେ କିଛି ସମୟ ପାଇଁ ଲୋକେ ପୁରା ମଜ୍ଜି ଯାଇଥିଲେ। ଟ୍ରାଫିକ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଚାରିଆଡ଼େ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ଏବଂ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା । ଏହା ସହ ଲୋକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା ଏବଂ ଲଗାତାର ପାଞ୍ଚ ଦିନ ଧରି ମହୋତ୍ସବ ପଡ଼ିଆକୁ ସ୍ଵଚ୍ଛ ରଖାଯାଇଥିଲା। ପଲ୍ଲିଶ୍ରୀ ମେଳାରେ ଜନସମୁଦ୍ର ସାଙ୍ଗକୁ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ଚମତ୍କାର ପ୍ରଦର୍ଶନ ସହ ପାଞ୍ଚ ଦିନ ବ୍ୟାପୀ ଚାଲିଥିବା ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ ମହାଆଡମ୍ବରରେ ସମାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *