ମହାବୀର ଜିମ୍ନାସିୟମରେ ହନୁମାନ ଜୟନ୍ତୀ ପାଳିତ

ଯାଜପୁର, ୧୫/୦୪/୨୦୨୪ (ଓଡ଼ିଶା ସମାଚାର)- ବିରଜା ମନ୍ଦିର ନିକଟସ୍ଥ ଚମ୍ପାମଡ଼ାଇ ସ୍ଥିତ ମହାବୀର ମଲ୍ଟି ଜିମ୍ନାସିୟମ ପରିସରରେ ବିରଜା ପଞ୍ଜିକା ଅନୁସାରେ ଓଡ଼ିଆ ନବ ବର୍ଷ, ମହାବିଷୁବ ସଂକ୍ରାନ୍ତି ଓ ପ୍ରଭୂ ଶ୍ରୀହନୁମାନ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରତୁ୍ୟଷରୁ ରାମଧୁନ, ପ୍ରଭୁ ହନୁମାଜୀଙ୍କ ପୂଜାର୍ଚ୍ଚନା, ବନ୍ଦନା, ହୋମ, ଯଜ୍ଞ, ସୂର୍ଯ୍ୟପୂଜା, ଗୋ-ପୂଜା ଆଦି ଦିବସ ବ୍ୟାପି ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ସମାବେଶ ଜିମ୍ନାସିୟମ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଜିମ୍ର ସଭାପତି ଡଃ ବଟକୃଷ୍ଣ ମହାପାତ୍ରଙ୍କ ତତ୍ୱାବଧାନରେ ଓ ମୁଖ୍ୟ ପରିଚାଳକ ଗୁରୁ ନୀଳକଣ୍ଠ ମିଶ୍ରଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ବିରଜା ରତ୍ନ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପଣ୍ଡିତ ଭୂପତିଭୂଷଣ ମିଶ୍ର ଯୋଗଦେଇ ହନୁମାନ ଜୟନ୍ତୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସନ୍ଧ୍ୟାରେ ଶହସ୍ରାଧିକ ଶ୍ରଦ୍ଧାଳୁ ହନୁମାନଜୀଙ୍କ ଆଶିଷ ଲାଭ ସହିତ ମା’ସଂଗୀତ ପକ୍ଷରୁ ଭଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ବାର୍ତା ସମ୍ପାଦକ ମିନକେତନ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଚାଳନ କରିଥିବା ବେଳେ ସୁଶ୍ରୀ ସୌରି ରଞ୍ଜିତାଙ୍କ ‘ସଦାଚାର’ ସମାଜରେ କି ପ୍ରକାର କଲ୍ୟାଣ ସାଧନ କରିଥାଏ ବକ୍ତବ୍ୟ ସମବେତ ଶ୍ରଦ୍ଧାଳୁଙ୍କୁ ଆମୋଦିତ କରିଥିଲା । ଅଶୋକ କୁମାର ପଲାଇ ଓ ସାଥୀଙ୍କ ଭଜନ ଗୁଡ଼ିକ ମନଛୁଆଁ ହୋଇଥିବା ବେଳେ ଅନୁଷ୍ଠାନ ପକ୍ଷରୁ ମହାବୀର ସେବାଶ୍ରୀ ସମ୍ମାନରେ ବିଶିଷ୍ଟ କବି ପ୍ରାଧ୍ୟାପକ ଡଃ ଶ୍ରୀହରି ଧଳ, ବିଦ୍ୱାନ ପଣ୍ଡିତ ବିଜୟ ଭୂଷଣ ନନ୍ଦ ଓ ସଫଳ ବ୍ୟବସାୟୀ ନନ୍ଦକିଶୋର ସାହୁଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ବିଶିଷ୍ଟ ରାଜନେତା, ସାମ୍ବାଦିକ, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ମହାବୀର ମଲ୍ଟି ଜିମ୍ନାସିୟମର ସୁନ୍ଦର ସ୍ୱାସ୍ଥ୍ୟ ଯୁକ୍ତ ଛାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରି ଗଢ଼ି ତୋଳିଥିଲେ । ପ୍ରସାଦ ସେବା ଓ ଅପୂର୍ବ ସାଜସଜ୍ଜା ସମଗ୍ର ପରିବେଶକୁ ଚଳଚଂଚଳ କରିପାରିଥିଲା ।

Leave a Reply

Your email address will not be published. Required fields are marked *