ମହିଳା ହୋମଗାର୍ଡ ଙ୍କୁ ପ୍ରତାରଣା ଅଭିଯୋଗ ରେ କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ ନାହାକ ଗିରଫ
କୁଜଙ୍ଗ,୨୬/୦୨/୨୦୨୫ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନାର ଆଇଆଇସି ତପନ ନାହାକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ୨ଟି ପିଲାର ବାପା କୁହାଯାଉଥିବା ସମ୍ପୃକ୍ତ ଆଇଆଇସି ତପନ ନାହାକ ସେହି ଥାନାର ଜଣେ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ମହିଳା ହୋମଗାର୍ଡ ସଦର ଥାନାରେ ଏତଲା ଦେବା ପରେ ଆଇଆଇସି ତପନ ନାହାକ ଫେରାର ହୋଇ ଯାଇଥିଲେ।

ପରେ ପୁଲିସ ତାଙ୍କୁ ଧରିବା ପାଇଁ ବିଭିନ ସ୍ଥାନରେ ଚଢ଼ାଉ କରିବା ପରେ ତାଙ୍କୁ ଗତକାଲି ଖୋର୍ଦ୍ଧା ନିକଟରୁ ଧରି ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟରେ ପଚରାଉଚୁରା କରିଥିଲା। ଆପୋଷ ବୁଝାମଣା ହୋଇ ନ ପାରିବାରୁ ଆଜି ତାଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯାଇଛି।
ଆଜି ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ପରେ ଆଜି ସନ୍ଧ୍ୟାରେ ନିଲମ୍ବିତ ଆଇଆଇସିଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏସ୍ଡିଜେଏମ୍ କୋର୍ଟ ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ଆଳି ପିଙ୍ଗଳ ଜେଲ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ବିରୁଦ୍ଧରେ ପୁଲିସ ମାମଲା (ନଂ. ୧୧୭/୨୫) ଦଫା ୬୮ ଏ, ୬୮ ବି, ୬୯ ବିଏନଏସ ଆକ୍ଟରେ ମାମଲା ରୁଜୁ କରିଥିବା ଜଣାପଡିଛି।
