ଚିତ୍ରୋତ୍ପଳା ବଂଚାଅ ଅଭିଯାନ  “ନମାମି ଚିତ୍ରୋତ୍ପଳା”

ଗରଦପୁର, ୧୧/୧୨/୨୦୨୩ (ଓଡ଼ିଶା ସମାଚାର)-ଗରଦପୁର ବ୍ଳକ୍ ସାନଅଢଙ୍ଗା ଗ୍ରାମ ପଂଚାୟତ ଧସନାପାରି ଗ୍ରାମର ଉମା ରାମେଶ୍ୱର ମହାଦେବ ପ୍ରାଙ୍ଗଣରେ ଚିତ୍ରୋତ୍ପଳା ନଦୀ ଦକ୍ରୁ ଦିନ ଶୁଷ୍କ ହୋଇଯାଉଥିବାରୁ ତାକୁ ପୁନରୁଦ୍ଧାର କରାଯାଇ ପୂର୍ଣ୍ଣଗର୍ଭା କରିବା ପାଇଁ “ନମାମି ଚିତ୍ରୋତ୍ପଳା” ନାମରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଜନ ସମାବେଶରେ ନମାମୀ ଚିତ୍ରୋତ୍ପଳାର ଆବାହକ ଇଂ. ଚିତରଂଜନ ସାହୁ ସଭାପତିତ୍ୱ କରି ଚିତ୍ରୋତ୍ପଳା ନଦୀର ପୌରାଣିକ ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ବିଶିଷ୍ଟ ପରିବେଶବିତ୍ ତଥା ନମାମୀ ଗେଙ୍ଗ ଅଭିଯାନର ଅନ୍ୟତମ ବିଶେଷଜ୍ଞ ବ୍ରତେନ୍ଦୀ ଜେନା ଯୋଗଦେଇ ନଦୀର ସାମାଜିକ, ଆର୍ଥିକ, ସାଂସ୍କୃତିକ ଓ ଧାର୍ମିକ ବିଶେଷତ୍ୱ ଉପରେ ଆଲୋକପାତ କରିଥିବାବେଳେ ନଦୀ ଶୁଖିଗଲେ ସଭ୍ୟତା ଲୋପ ପାଇଯିବ । ତେଣୁ ଚିତ୍ରୋତ୍ପଳାର ତୁରନ୍ତ ପୁନରୁଦ୍ଧାର ପାଇଁ ସେ ଦାବି କରିଥିଲେ । ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ବରିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ସ୍ୱାଇଁ ଚିତ୍ରୋତ୍ପଳା ନଦୀରେ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ ନିର୍ମାଣ ଉପରେ ଗୁରୁତ୍ୱାରୋପ କରି ଏ ଦିଗରେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ତେଣୁ ଜନସାଧାରଣ ନିରନ୍ତର ସରକାରଙ୍କ ଉପରେ ସକରାତ୍ମକ ଚାପ ସୃଷ୍ଟି କଲେ ଚିତ୍ରୋତ୍ପଳାର ପୁନରୁଦ୍ଧାର ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ଭଗବାନ ଜେନା, ଇଂ.ପ୍ରକାଶ ଜେନା, ବରିଷ୍ଠ  ସାମ୍ବାଦିକ ଅକ୍ଷୟ ସାହୁ, ଅବସରପ୍ରାପ୍ତ ସେନା ଅଧିକାରୀ ନୟନ ବଲ୍ଲଭ ନାୟକ ପ୍ରମୁଖ ଯୋଗଦେଇ ପୂଣ୍ୟତୋୟା ଚିତୋତ୍ପଳା ନଦୀର ମାହାତ୍ମ୍ୟ, ଏହାର ଶୁଷ୍କତାର କାରଣ ଓ ନିରାକରଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଚିତ୍ରୋତ୍ପଳା ନଦୀ ଗର୍ଭ ଦିନକୁ ଦିନ ବାଲିରେ ପୋତି ହୋଇ ସବୁ ସମୟରେ ପାଣି ଆସୁନଥିବାରୁ ବକ୍ତାମାନେ ଉଦ୍ବେଗ ପ୍ରକାଶ କରିଥିଲେ । ଚିତ୍ରୋତ୍ପଳା ନଦୀ ଶୁଷ୍କତାରୁ କିପରି ପୂର୍ଣ୍ଣଗର୍ଭା ହୋଇପାରିବ, ସେବିଷୟରେ ବକ୍ତାମାନେ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିବାବେଳେ ନମାମୀ ଚିତୋତ୍ପଳାର ଆବାହକ ଇଂ. ସାହୁ ଜଳସମ୍ପଦ ବିଭାଗର ପଦାଧିକାରୀଙ୍କ ସହିତ ଆଲୋଚନା କରିଥିବା ପ୍ରକାଶ କରିଥିଲେ । ସୁବ୍ରତ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶହ ଶହ ମହିଳାଙ୍କ ସମେତ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବିମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ମା’ ଚିତ୍ରୋତ୍ପଳାଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ  ଅର୍ପଣ କରାଯାଇଥିବାବେଳେ ଶେଷରେ ମା’ ଚିତ୍ରୋତ୍ପଳାଙ୍କ ସନ୍ଧ୍ୟା ଆଳତୀ କରାଯାଇଥିଲା ।

Leave a Reply

Your email address will not be published. Required fields are marked *